Latest Odisha News

BREAKING NEWS

ଅଲବିଦା କହିବେ ରୋହିତ-ବିରାଟ !

ଭୁବନେଶ୍ବର : ୮ ମାସର ବ୍ୟବଧାନରେ ଆରମ୍ଭ ହେବାକୁ ଯାଉଛି ଆଉ ଏକ ବିଶ୍ୱକପ୍ । କ୍ରିକେଟ୍ ମହାକୁମ୍ଭ ଆସିବା ମାତ୍ରେ ଦୁଇ ଭାରତୀୟଙ୍କ ଉପରେ ଥାଏ ଅଧିକ ନଜର । ଜଣେ ରୋହିତ ଶର୍ମା ଓ ଆଉ ଜଣେ ବିରାଟ କୋହଲି । ଦିନେ ସଚିନ ତେନ୍ଦୁଲକରଙ୍କ ବିନା ଯେମିତି କ୍ରିକେଟ୍ ଅସମ୍ଭବ ବୋଲି ଲାଗୁଥିଲା । ଏବେ ଠିକ୍ ସେହିପରି ବିରାଟ ଓ ରୋହିତଙ୍କ ବିନା କ୍ରିକେଟ୍ ଅସମ୍ପୂର୍ଣ୍ଣ । ଦୁହେଁ ତ ବର୍ତମାନ କ୍ରିକେଟ୍ ଖେଳୁଛନ୍ତି । ତାହେଲେ ଆମେ ଏଠି ବିରାଟ ଓ ରୋହିତଙ୍କ କଥା କାହିଁକି କହୁଛୁ । ଆସନ୍ତା ମାସରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପରେ ହୁଏତ ଏହି ଫର୍ମାଟରେ ରୋହିତ ଓ ବିରାଟଙ୍କୁ ଦେଖିବାକୁ ମିଳିବ ନାହିଁ । କାରଣ ଉଭୟ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ନିଜର ଶେଷ ଟି-୨୦ ବିଶ୍ୱକପ୍ ଖେଳିବେ । ଆଉ ଏହା ପରେ ଦୁହିଁଙ୍କୁ ଆଉ ଛୋଟିଆ ଫର୍ମାଟରେ ଦେଖିବାକୁ ମିଳିନପାରେ ।

ବିରାଟ କୋହଲି
ଭାରତର ଅନ୍ୟତମ ମହାନ ବ୍ୟାଟର ତଥା ପୂର୍ବତନ ଅଧିନାୟକ କୋହଲି ୨୦୨୪ ଟି-୨୦ ବିଶ୍ୱକପ୍ ପାଇଁ ଜାତୀୟ ଦଳରେ ସ୍ଥାନ ପାଇଛନ୍ତି । ୨୦୧୨ରେ ପ୍ରଥମଥର ଟି-୨୦ ବିଶ୍ୱକପ୍‌ରେ ଭାରତୀୟ ଦଳର ସଦସ୍ୟ ଥିଲେ ବିରାଟ । ସେବେଠାରୁ ଲଗାତର ବିଶ୍ୱକପ୍ ଖେଳି ଆସୁଛନ୍ତି । ନିଜ ଟି-୨୦ ବିଶ୍ୱକପ୍ କ୍ୟାରିୟରରେ ଏପର୍ଯ୍ୟନ୍ତ ୨୭ଟି ମ୍ୟାଚ୍ ଖେଳି ୧୧୪୧ ରନ୍ କରିଛନ୍ତି ବିରାଟ । କିନ୍ତୁ ଗତ କିଛି ଦିନ ହେବ ତାଙ୍କ ଷ୍ଟ୍ରାଇକ ରେଟ୍‌କୁ ନେଇ ଲଗାତର ପ୍ରଶ୍ନ ଉଠୁଛି । ଏବଂ ଭାରତୀୟ ଟିମରେ କିଛି ଯୁବ ଖେଳାଳି ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି । ଏପରି ସ୍ଥିତିରେ କୋହଲି ହୁଏତ ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ ସଂସ୍କରଣ ଖେଳିନପାରନ୍ତି ।

ରୋହିତ ଶର୍ମା
ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମା ଏକମାତ୍ର ଖେଳାଳି, ଯିଏ ୨୦୦୭ରୁ ୨୦୨୨ ପର୍ଯ୍ୟନ୍ତ ଲଗାତର ୮ଟି ସଂସ୍କରଣ ଖେଳିସାରିଛନ୍ତି। ଏହାବ୍ୟତୀତ ୨୦୨୪ରେ ଭାରତର ପ୍ରତିନିଧିତ୍ୱ ସହ ନେତୃତ୍ୱ ମଧ୍ୟ ନେଉଛନ୍ତି ରୋହିତ । ଟି-୨୦ ବିଶ୍ୱକପ୍ ଇତିହାସରେ ସର୍ବାଧିକ ମ୍ୟାଚ୍ ଖେଳିବାର ରେକର୍ଡ ମଧ୍ୟ ରୋହିତଙ୍କ ନାଁରେ ରହିଛି । ୩୭ ବର୍ଷୀୟ ରୋହିତ ଏପର୍ଯ୍ୟନ୍ତ ୩୯ ଟି-୨୦ ବିଶ୍ୱକପ୍ ମ୍ୟାଚ୍ ଖେଳି ୯୬୩ ରନ୍ କରିଛନ୍ତି । ବଢ଼ୁଥିବା ବୟସ ଓ ଗତ କିଛି ମ୍ୟାଚରେ ସାଧାରଣ ପ୍ରଦର୍ଶନକୁ ଦେଖି କୁହାଯାଉଛି ଯେ ଏହା ତାଙ୍କର ଶେଷ ଟି-୨୦ ବିଶ୍ୱକପ୍ ହୋଇପାରେ ।

ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଭଳି ରବୀନ୍ଦ୍ର ଜାଡେଜାଙ୍କର ମଧ୍ୟ ଏହା ଶେଷ ଟି-୨୦ ବିଶ୍ୱକପ୍ ହୋଇପାରେ । ଫିଟନେସ ଓ ସ୍ପୂର୍ତ୍ତି ଦୃଷ୍ଟିରୁ ଜାଜେଡା ହୁଏତ ଆଉ କିଛି ବର୍ଷ ଏହି ଫର୍ମାଟ ଖେଳିପାରନ୍ତି ।

Leave A Reply

Your email address will not be published.