Latest Odisha News

ଦନ୍ତେଓ୍ୱାଡାରେ ଆକ୍ରମଣ ପାଇଁ ନିଜକୁ ଦାୟୀ କଲେ ନକ୍ସଲ, ସହିଦଙ୍କୁ କାନ୍ଧ ଦେଲେ ମୁଖ୍ୟମନ୍ତ୍ରୀ ବାଘେଲ

ଦନ୍ତେଓ୍ୱାଡା: ଦନ୍ତେଓ୍ୱାଡା ଜିଲ୍ଲାର ଅରଣପୁରରେ ନକ୍ସଲ ଆକ୍ରମଣ ଘଟଣା, ଛତିଶଗଡ ସରକାରକୁ କଡା ଜବାବ ବୋଲି ମାଓବାଦୀ କହିଛନ୍ତି। ପିଏଲଜିଏ ସଂଗଠନ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛନ୍ତି। ଦରଭା ଡିଭିଜନ ସଚିବ ସାଇନାଥ ଏ ସମ୍ପର୍କରେ ଏକ ପ୍ରେସ ନୋଟ୍ ଜାରି କରିଛନ୍ତି। ସରକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ବେଳେ ଅରଣପୁର ଆକ୍ରମଣ ହେଉଛି ଏକ ପ୍ରତିକ୍ରିୟା। ଅନ୍ୟପକ୍ଷରେ ଡିଜିପି ଅଶୋକ ଜୁନଜାଙ୍କ ସମେତ ବରିଷ୍ଠ ସିଆରପିଏଫ ଅଧିକାରୀମାନେ ଅରଣପୁରରେ ପହଞ୍ଚି ଘଟଣାସ୍ଥଳ ପରିଦର୍ଶନ କରିଥିଲେ।

ନକ୍ସଲମାନଙ୍କ ଦ୍ୱାରା ଜାରି ହୋଇଥିବା ପ୍ରେସ ନୋଟରେ କୁହାଯାଇଛି ଯେ ଜନସାଧାରଣଙ୍କ ଉପରେ ହୋଇଥିବା ଆକ୍ରମଣକୁ ବିରୋଧ କରି ଏହି ପ୍ରତିଶୋଧ ପରାୟଣ ପଦକ୍ଷେପ ନିଆଯାଇଛି। ଏହା ମଧ୍ୟ କୁହାଯାଇଛି ଯେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆମର ମୂଳପୋଛ ବିଷୟରେ କହିଥିଲେ। ଏହି ରଣନୀତି ଅଧୀନରେ ସେମାନେ ଆମ ବିରୁଦ୍ଧରେ ଯୁଦ୍ଧ କରୁଛନ୍ତି। ବସ୍ତରକୁ ବିଭିନ୍ନ ପ୍ରକାରର ଯବାନ, ପାରାମିଲିଟାରୀ, କମାଣ୍ଡୋ ପଠାଯାଇ ଏକ ସାମରିକ କ୍ୟାଣ୍ଟନମେଣ୍ଟରେ ପରିଣତ କରାଯାଇଛି। ଯାହାକୁ ମାଓବାଦୀମାନେ ନାପସନ୍ଦ କରୁଛନ୍ତି ବୋଲି କହିଛନ୍ତି।

ଗୁରୁବାର ସକାଳେ ଦାନ୍ତେଓ୍ୱାଡାରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ଡିଜିପି ଅଶୋକ ଜୁନଜା ଏବଂ ଅନ୍ୟ ଅଧିକାରୀମାନେ ସିଧାସଳଖ ଅରଣପୁରରେ ପହଞ୍ଚିଥିଲେ। ପ୍ରାୟ ୨୪ ଘଣ୍ଟା ପରେ, ଘଟଣାସ୍ଥଳରେ ପହଞ୍ଚିଥିବା ଅଧିକାରୀମାନେ ବିସ୍ଫୋରଣ ସ୍ଥାନକୁ ଅତି ନିକଟରୁ ଯାଞ୍ଚ କରିଥିଲେ।

ମାଓବାଦୀ କ୍ୟାଡରଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ଦେଇ ଦାନ୍ତେଓ୍ୱାଡ଼ା ଠାରୁ ଡିଆରଜି ଯବାନ ପଠାଯାଇଥିଲା। ଏହା ପରେ ବୁଧବାର ଅପରାହ୍ନରେ ସମସ୍ତ ଯବାନ ସେଠାରୁ ଫେରୁଥିଲେ। ଏହି ସମୟରେ, ନକ୍ସଲମାନେ ଅରଣପୁର ରାସ୍ତାରେ ପାଲନାରରେ ଆକ୍ରମଣ କରି ବିସ୍ଫୋରଣ କରିଥିଲେ। କୁହାଯାଉଛି ଯେ ଯବାନମାନେ ଏକ ଘରୋଇ ଗାଡିରେ ଯାଇଥିଲେ। ଯବାନଙ୍କ ଗାଡି ମଧ୍ୟ ଆଇଇଡି ବିସ୍ଫୋରଣରେ ଉଡି ଯାଇଛି। ଯେଉଁଥିରେ ୧୦ ଜଣ ଯବାନ ସହିଦ ହୋଇଥିବା ବେଳେ ଜଣେ ସାଧାରଣ ନାଗରିକଙ୍କର ମଧ୍ୟ ମୃତ୍ୟୁ ଘଟିଛି।

ଅନ୍ୟପଟେ ସହିଦ ହୋଇଥିବା ଯବାନଙ୍କୁ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏବଂ ସହିଦ ଯବାନଙ୍କ ମୃତଦେହକୁ କାନ୍ଧ ଦେଇଥିଲେ। ଏହା ପରେ ବସ୍ତରର ପୋଲିସ ଏବଂ ସୁରକ୍ଷା ବାହିନୀ ଅଧିକାରୀଙ୍କ ଏକ ବୈଠକ କରିଥିଲେ। ଯେଉଁଥିରେ ଘଟଣା ସହ ଜଡିତ ସମ୍ପୂର୍ଣ୍ଣ ତଥ୍ୟ ବାବଦରେ ସେ ଅବଗତ ହୋଇଥିଲେ।

ବୈଠକରେ ଅଧିକାରୀଙ୍କ ସହ କ’ଣ ଆଲୋଚନା ହେଲା ଜଣାପଡି ନାହିଁ। ଭୁପେଶ ବାଘେଲ କହିଛନ୍ତି, ନକ୍ସଲମାନେ ଆଗକୁ ଅଧିକ ଯନ୍ତ୍ରଣା ଭୋଗିବେ। ସେମାନଙ୍କୁ ଏକ ଉପଯୁକ୍ତ ଜବାବ ଦିଆଯିବ। ଗତକାଲି ମଧ୍ୟ ଜଣେ ନକ୍ସଲଙ୍କୁ ଗିରଫ କରାଯାଇଥିଲା। ନକ୍ସଲମାନଙ୍କ ସଂଖ୍ଯା କ୍ରମାଗତ ଭାବେ କମିବାରେ ଲାଗିଛି।

ସେହିପରି ସହିଦ ପରିବାରକୁ ଭେଟିବା ପରେ ବାଘେଲ ସମବେଦନା ଜଣାଇଛନ୍ତି। ପରିବାର ସଦସ୍ୟଙ୍କୁ ସମସ୍ତ ସମ୍ଭାବ୍ୟ ସାହାଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ସୁନିଶ୍ଚିତ କରିଛନ୍ତି।

Leave A Reply

Your email address will not be published.