ନୟାଗଡ଼ (ଓଡ଼ଗାଁ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଞ୍ଚଳରେ ଘଟିଥିବା ଅଜିତ ସାହୁଙ୍କ ବିଭତ୍ସ ହତ୍ୟାକାଣ୍ଡରେ ପୋଲିସକୁ ବଡ଼ ସଫଳତା ମିଳିଛି। ଘଟଣାର ମାତ୍ର ୧୨ ଘଣ୍ଟା ଭିତରେ ୪ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ନୟାଗଡ଼ ପୋଲିସ। କେନ୍ଦ୍ରାଞ୍ଚଳ ଆଇଜି ଡକ୍ଟର ସତ୍ୟଜିତ ନାୟକ ଏହି ସୂଚନା ଦେଇଛନ୍ତି।
ପୋଲିସ ହାତରେ ଆଉ ଦୁଇ ଜଣ ମୁଖ୍ୟ ଅଭିଯୁକ୍ତ ଧରାପଡ଼ିଛନ୍ତି। ଏହି ଦୁଇ ଜଣ ଖଣ୍ଡାରେ ଅଜିତଙ୍କ ଉପରେ ସିଧାସଳଖ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏମାନଙ୍କୁ ମିଶାଇ ଏହି ହତ୍ୟା ମାମଲାରେ ଏବେ ସୁଦ୍ଧା ମୋଟ ୪ ଜଣ ପୋଲିସ ହେପାଜତରେ ଅଛନ୍ତି। ସମସ୍ତଙ୍କୁ ଏବେ କଡ଼ା ଜେରା କରାଯାଉଛି। ଏହି ବର୍ବରକାଣ୍ଡରେ କାହାର କଣ ଭୂମିକା ଥିଲା ଏବଂ ହତ୍ୟା ପଛରେ ଆଉ କାହାର ହାତ ଅଛି, ତାହାର ଖୋଳତାଡ଼ କରୁଛି ପୋଲିସ।
ଏହି ହତ୍ୟାକାଣ୍ଡର ଚେର ବେଆଇନ ପଥର ଖାଦାନ ଏବଂ ମାଫିଆଙ୍କ ସହ ଯୋଡ଼ି ହୋଇଥିବା ସ୍ପଷ୍ଟ ହୋଇଛି। ତେଣୁ ପୋଲିସ ଏବେ କେବଳ ହତ୍ୟାକାରୀଙ୍କୁ ଧରି ଚୁପ୍ ବସିନାହିଁ। ବେଆଇନ ପଥର ଖାଦାନ ଏବଂ ଏହା ସହ ଜଡ଼ିତ ଥିବା ଅପରାଧିକ ସିଣ୍ଡିକେଟ୍ ଉପରେ ଏବେ ଆଖି ପକାଇଛି। ଏଥିପାଇଁ ରାଜସ୍ୱ ଏବଂ ଖଣି ବିଭାଗ ସହ ମିଶି ନୟାଗଡ଼ ପୋଲିସ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି।
ଏବେ ବି ଘଟଣାରେ ସମ୍ପୃକ୍ତ ଥିବା କିଛି ଅଭିଯୁକ୍ତ ଫେରାର୍ ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ରେଡ୍ ବା ଚଢ଼ାଉ ଜାରି ରହିଛି। ମାମଲାକୁ କୋର୍ଟରେ ଅଧିକ ବଳିଷ୍ଠ କରିବା ପାଇଁ ସାଇଣ୍ଟିଫିକ୍ ଏବଂ ଡିଜିଟାଲ୍ ପ୍ରମାଣ ସଂଗ୍ରହ ଉପରେ ଗୁରୁତ୍ୱ ଦିଆଯାଉଛି।
Comments are closed.