Latest Odisha News

BREAKING NEWS

ଚନ୍ଦ୍ରବାବୁ ନାଇଡୁ ‘ଏନଡିଏ’ ବିଧାୟକ ଦଳ ନେତା ନିର୍ବାଚିତ, ଆସନ୍ତାକାଲି ଶପଥ

ହାଇଦ୍ରାବାଦ: ତେଲଗୁ ଦେଶମ ପାର୍ଟି (ଟିଡିପି) ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ‘ଏନଡିଏ’ ନବନିର୍ବାଚିତ ବିଧାୟକ ଦଳ ନେତା ନିର୍ବାଚିତ କରିଛନ୍ତି। ଆସନ୍ତାକାଲି ଅର୍ଥାତ ଜୁନ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ନେବେ ଚନ୍ଦ୍ରବାବୁ ନାଇଡୁ। ଆଜି ବିଜୟୱାଡାରେ ‘ଏନଡିଏ’ ବିଧାୟକ ଦଳ ବୈଠକ ବସିଥିଲା । ଏଥିରେ ନେତା ଭାବେ ଚନ୍ଦ୍ରବାବୁଙ୍କ ନାମ ପ୍ରସ୍ତାବ ରଖାଯାଇଥିଲା। ଏହାକୁ ମେଣ୍ଟର ସମସ୍ତ ଦଳ ଓ ନିର୍ବାଚିତ ବିଧାୟକମାନେ ସମର୍ଥନ କରିଥିଲେ।

ଚଳିତଥର ଦୀର୍ଘ ବ୍ୟବଧାନ ପରେ ଚନ୍ଦ୍ରବାବୁଙ୍କ ପାର୍ଟି ବିଜେପି ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟକୁ ଫେରିଥିଲେ। ଅଭିନେତା ପବନ କଲ୍ୟାଣଙ୍କ ଜନସେନା ପାର୍ଟି, ବିଜେପି ଓ ଟିଡିପି ଏକତ୍ର ନିର୍ବାଚନ ଲଢିଥିଲେ। ପ୍ରତିପକ୍ଷରେ ମୁଖ୍ୟମନ୍ତ୍ରୀ ଜଗନଙ୍କ ୱାଇଏସଆର କଂଗ୍ରେସ ଏକାକୀ ନିର୍ବାଚନ ଲଢିଥିଲା। ନିର୍ବାଚନରେ ଏନଡିଏ ମେଣ୍ଟ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ବେଳେ ଟିଡିପି ଏକାକୀ ମଧ୍ୟ ସଂଖ୍ୟା ବହୁମତ ଅତିକ୍ରମ କରିଥିଲା। ୧୭୫ ଆସନ ମଧ୍ୟରୁ ଟିଡିପି ଏକାକୀ ୧୩୫ ଆସନ ଜିତିଛି। ଏହାପରେ ଚନ୍ଦ୍ରବାବୁ ନାଇଡୁଙ୍କୁ ‘ଏନଡିଏ’ ନବନିର୍ବାଚିତ ବିଧାୟକ ଦଳ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରିଛନ୍ତି।

ସୂଚନା ଥାଉକି ଆସନ୍ତାକାଲି ଦୁଇ ରାଜ୍ୟ ଆନ୍ଧ୍ର ଓ ଓଡିଶାରେ ନୂଆ ସରକାର ଗଠନ ହେବାକୁ ଯାଉଛି । ଉଭୟ ରାଜ୍ୟରେ ଏଥର କ୍ଷମତା ପରିବର୍ତ୍ତନ ମଧ୍ୟ ହୋଇଛି । ଓଡିଶାରେ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦ ନେଇ ନିଷ୍ପତ୍ତି ହୋଇନଥିବା ବେଳେ ଆନ୍ଧ୍ର ପ୍ରଦେଶରେ ଚନ୍ଦ୍ରବାବୁ ନାଇଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

 

Leave A Reply

Your email address will not be published.