Latest Odisha News

BREAKING NEWS

ଓଡିଶାରେ ରାଜସ୍ଥାନ ଫର୍ମୂଲା !

ଭୁବନେଶ୍ବର: ଓଡିଶାରେ ମୁଖ୍ୟମନ୍ତ୍ରୀଙ୍କ ସହ ରହିବେ କି ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ? ଓଡିଶାରେ ବି ଲାଗୁ ହେବ କି ରାଜସ୍ଥାନ ଓ ଛତିଶଗଡ ଫର୍ମୂଲା? ଯଦି ଲାଗୁ ହୁଏ, କିଏ ହେବେ ଦୁଇ ଉପମୁଖ୍ୟମନ୍ତ୍ରୀ? ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରୁଛି। ମୁଖ୍ୟମନ୍ତ୍ରୀ ଚୟନ ପରେ ରାଜ୍ୟର ସବୁ ଅଞ୍ଚଳର ପ୍ରତିନିଧିତ୍ବ ଓ ଜାତି ସମୀକରଣକୁ ଦୃଷ୍ଟିରେ ରଖି ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ଚୟନ କରିପାରେ ବିଜେପି। ପ୍ରଥମ ଥର ପାଇଁ ରାଜ୍ୟରେ କ୍ଷମତାକୁ ଆସିଥିବା ବିଜେପି ପାଇଁ ଶାସନ ଭାର ସମ୍ଭାଳିବା ବଡ ଚ୍ୟାଲେଞ୍ଜ ହେବ। ତେଣୁ ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ରଖିବାକୁ ବିଜେପି ଚିନ୍ତା କରୁଥିବା ଜଣାପଡିଛି।

ରେସରେ କେଭି ସିଂହଦେଓ

ପଶ୍ଚିମ ଓଡିଶାର ଟାଣୁଆ ଚେହେରା ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ଉପମୁଖ୍ୟମନ୍ତ୍ରୀ ରେସରେ ଆଗରେ ରହିଛନ୍ତି। କେଭି ସିଂହଦେଓ ବିଜେଡି ବିଜେପି ମେଣ୍ଟ ସରକାରରେ ମନ୍ତ୍ରୀ ରହିଥିଲେ । ରାଜ୍ୟ ବିଜେପି ସଭାପତି ରହି ମଧ୍ୟ ସାଂଗଠନିକ ଦାୟିତ୍ବ ସମ୍ଭାଳିଥିଲେ। ପୂର୍ବରୁ ମନ୍ତ୍ରୀ ଥିବାରୁ ଶାସନ ବ୍ୟବସ୍ଥା ସଂପର୍କରେ କେଭିଙ୍କର ଅଭିଜ୍ଞତା ରହିଛି । ତେଣୁ ରାଜ୍ୟରେ ପ୍ରଥମ ବିଜେପି ସରକାରରେ ସେ ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି।

ଜୟନାରାୟଣଙ୍କୁ ଭରସା !

ପଶ୍ଚିମ ଓଡିଶାର ଟାଣୁଆ ନେତା ଜୟନାରାୟଣ ମିଶ୍ରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିପାରେ । ପୂର୍ବରୁ ବିଧାନସଭାରେ ବିରୋଧୀ ଦଳ ନେତା ଓ ମେଣ୍ଟ ସରକାରରେ ମନ୍ତ୍ରୀ ଥିଲେ। ସମ୍ବଲପୁରରୁ ଜିତିଥିବା ଜୟନାରାୟଣ ନିଜ ନିଡର ବ୍ୟକ୍ତିତ୍ବ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି । ପୂର୍ବ ବିଜେଡି ସରକାରକୁ ବିଭିନ୍ନ ପ୍ରସଙ୍ଗରେ ଜବାବ ଦେଉଥିଲେ ଜୟନାରାୟଣ । ତେଣୁ ବିରୋଧୀଙ୍କୁ ସାମନା କରିବା ସହ ଶାସନ ଚଳାଇବାରେ ଜୟନାରାୟଣଙ୍କ ଅଭିଜ୍ଞତା ବିଜେପି ସରକାର ସପକ୍ଷରେ ଯାଇପାରେ ।

ଉପମୁଖ୍ୟମନ୍ତ୍ରୀ ପଦରେ ମହିଳା କାର୍ଡ !

ରାଜସ୍ଥାନ ଭଳି ଓଡିଶାରେ ମଧ୍ୟ ଜଣେ ମହିଳାଙ୍କୁ ଉପମୁଖ୍ୟମନ୍ତ୍ରୀ କରିପାରେ ବିଜେପି। ରାଜସ୍ଥାନରେ ଦିୟା କୁମାରୀ ଡେପୁଟି ସିଏମ୍ ହୋଇଛନ୍ତି। ଓଡିଶାରେ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ସୁରମା ପାଢୀଙ୍କ ନାଁ ଚର୍ଚ୍ଚାରେ ରହିଛି । ରାଜ୍ୟ ବିଜେପିର ଅନ୍ୟତମ ମହିଳା ଚେହେରା ସୁରମା ପାଢୀ ରଣପୁରରୁ ନିର୍ବାଚିତ ହୋଇଛନ୍ତି । ୨୦୦୪ ମସିହାରେ ରଣପୁରରୁ ଜିତିଥିଲେ ସୁରମା। ଦଳର ବିଭିନ୍ନ ସାଂଗଠନିକ କାମରେ ମଧ୍ୟ ଆଗରେ ରହିଛନ୍ତି ସୁରମା । ତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦେଇ ମହିଳା ପ୍ରତିନିଧିତ୍ବ ଦେଖାଇପାରେ ବିଜେପି ।

ଆଦିବାସୀ ଚେହେରାକୁ ସୁଯୋଗ !

କେନ୍ଦୁଝର ସଦର ବିଧାୟକ ମୋହନ ମାଝୀ ରାଜ୍ୟ ବିଜେପିର ଟାଣୁଆ ଆଦିବାସୀ ନେତା। ପୂର୍ବରୁ ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ରହିଥିଲେ ମୋହନ ମାଝୀ। ବିଭିନ୍ନ ପ୍ରସଙ୍ଗରେ ମୁଖର ରହୁଥିବା ମୋହନ ମାଝୀଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦେଇ ଆଦିବାସୀ ପ୍ରତିନିଧିତ୍ବ ଦେଖାଇପାରେ ବିଜେପି । କୁଚିଣ୍ଡାରୁ ନିର୍ବାଚିତ ରବିନାରାୟଣ ନାଏକଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି। ସାଧାରଣ ବର୍ଗର ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେଲେ ଆଦିବାସୀ ବା ଅନୁସୂଚିତ ଜାତି ବର୍ଗର ଜଣେ ନେତାଙ୍କୁ ଉପମୁଖ୍ୟମନ୍ତ୍ରୀ କରିପାରେ ବିଜେପି ।

ଉପମୁଖ୍ୟମନ୍ତ୍ରୀ ପଦରେ ବିଭିନ୍ନ ରାଜ୍ୟରେ ସରପ୍ରାଇଜ୍ ବି ଦେଇଛି ବିଜେପି । ତେଣୁ ନୂଆ ଚେହେରାଙ୍କୁ ବି ସୁଯୋଗ ଦେଇପାରେ ବିଜେପି । ମୁଖ୍ୟମନ୍ତ୍ରୀଙ୍କ ଆଞ୍ଚଳିକ ଭିତ୍ତି, ଜାତି ସମୀକରଣକୁ ଦେଖି ଉପମୁଖ୍ୟମନ୍ତ୍ରୀ ପଦ ନେଇ ନିଷ୍ପତ୍ତି ନେଇପାରେ ବିଜେପି ।

Leave A Reply

Your email address will not be published.