Latest Odisha News

BREAKING NEWS

ଓଡ଼ିଶାରେ ନର୍ସିଂ ପାଠ ପଢ଼ିବାକୁ ହେଲେ ଏଣିକି ଦେବାକୁ ହେବ ନିଟ୍ ପ୍ରବେଶିକା ପରୀକ୍ଷା

ଭୁବନେଶ୍ବର : ଡାକ୍ତରୀ ଶିକ୍ଷା ଭଳି ଏବେ ନର୍ସିଂ ପାଠ ପଢିବା ପାଇଁ ଦେବାକୁ ପଡ଼ିବ ଜାତୀୟ ସ୍ତରରେ ହେଉଥିବା ନ୍ୟାସନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ୍ (ନିଟ୍) । ଓଡ଼ିଶାରେ ମଧ୍ୟ ନର୍ସିଂ ପାଠ ପଢ଼ିବାକୁ ଇଚ୍ଛା କରୁଥିବା ଛାତ୍ରଛାତ୍ରୀଙ୍କୁ ଏଣିକି ଦେବାକୁ ହେବ ନିଟ୍ ପରୀକ୍ଷା। ୨୦୨୩-୨୪ ଶିକ୍ଷା ବର୍ଷରୁ ଏହି ନୂଆ ନିୟମ ଲାଗୁ ହୋଇଛି। ସୂଚନାଯୋଗ୍ୟ, ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇସାରିଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ନହେଲେ କୌଣସି ଛାତ୍ରଛାତ୍ରୀଙ୍କୁ ନର୍ସିଂରେ ଗ୍ରାଜୁଏସନ କରିବାକୁ ସୁଯୋଗ ମିଳିବ ନାହିଁ। ତେଣୁ ନିଟ୍ ପରୀକ୍ଷା ସମ୍ବନ୍ଧୀୟ ସୂଚନା ହାସଲ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ କୁହାଯାଇଛି।

ଓଡ଼ିଶାରେ ବର୍ତ୍ତମାନ ମୋଟ ୮ଟି ନର୍ସିଂ କଲେଜ ଥିବା ବେଳେ ଏସବୁରେ ସିଟ୍‌ ସଂଖ୍ୟା ୭୫୦ ରହିଛି। ଏହା ବ୍ୟତୀତ ୨୧ଟି ସରକାରୀ ଅକ୍ସୁଲାରି ନର୍ସି ଏଣ୍ଡ ମିଡ୍ ୱାଇଫେରି ଟ୍ରେନିଂ ସେଣ୍ଟର (ଏଏନଟିସି) ରହିଛି। ରାଜ୍ୟର ପ୍ରତିବର୍ଷ ଏଏନ୍‌ଟିସିରେ ହାରାହାରି ୮୪୦ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥାନ୍ତି। ଆସନ୍ତା ମେ’ ମାସ ୬ ତାରିଖରେ ନିଟ୍ ପରୀକ୍ଷା ଅନୁଷ୍ଠିତ ହେବ। ସେପଟେ ଚଳିତବର୍ଷ ରାଜ୍ୟ ସରକାର ୭ ହଜାର ୩୮୪ ନର୍ସ ପଦବୀ ପୂରଣ ପାଇଁ ପଦକ୍ଷେପ ନେଇଛନ୍ତି। ତେଣୁ ନିଯୁକ୍ତି ଦୃଷ୍ଚିରୁ ଓଡ଼ିଶାରେ ନର୍ସିଂ ପାଠ ପଢ଼ିବାକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଇଛି ।

Comments are closed.