Latest Odisha News

ନିଟ୍ ୟୁଜି ଶୁଣାଣି: ପୁଣି ପରୀକ୍ଷା ଆୟୋଜନ ପାଇଁ ନିର୍ଦ୍ଦେଶ ଦେବେ କି ସୁପ୍ରିମକୋର୍ଟ ?

ନୂଆଦିଲ୍ଲୀ: ଆଜି ନିଟ୍ ୟୁଜି ମାମଲାର ଶୁଣାଣି । ନିଟ୍ ପରୀକ୍ଷାରେ ହୋଇଥିବା ଅନିୟମିତତା ଓ ବିଭ୍ରାଟକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି କରାଯିବ । କେନ୍ଦ୍ର ସରକାର ଓ ଏନଟିଏ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ସତ୍ୟପାଠ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ। ଯେଉଁଥିରେ ପୁଣି ଥରେ ନିଟ୍ ୟୁଜି ପରୀକ୍ଷା ଆୟୋଜନ କରିବା ଉପରେ ଶୁଣାଣି କରିପାରନ୍ତି ସୁପ୍ରିମକୋର୍ଟ।

ତେବେ ଉକ୍ତ ସତ୍ୟପାଠରେ ୪୦ରୁ ଅଧିକ ପିଟିସନ ଦାଏର କରାଯାଇଛି। ଯେଉଁଥିରେ ନିଟ୍ ପରୀକ୍ଷାରେ ହୋଇଥିବା ବ୍ୟାପକ ଅନିୟମିତତା ଉପରେ ଉଲ୍ଲେଖ କରାଯାଇଛି। ଯାହାକୁ ଭିତ୍ତି କରି ପୁଣି ଥରେ ଏହି ପରୀକ୍ଷା କରାଯିବା କି ନାହିଁ, ଏହା ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ।

ତେବେ ଆଜି ଅର୍ଥାତ୍ ୧୧ ଜୁଲାଇରେ ପୁଣି ଥରେ ନିଟ୍ ପରୀକ୍ଷା ଅନିୟମିତତାକୁ ନେଇ ଶୁଣାଣି କରାଯିବ । ଏହାର ଦିନକ ପୂର୍ବରୁ କେନ୍ଦ୍ରସରକାର ଓ ଏନଟିଏ ପକ୍ଷରୁ ପୁନଃ-ପରୀକ୍ଷା ନକରିବାକୁ ଓ ପରୀକ୍ଷା ନେଇ ଏଯାବତ ସମସ୍ତ ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି ।

ପିଟିସନ ଦାଖଲ ପରେ ଏନେଇ ଏନଟିଏ କହିଛି, ସବୁ ରାଜ୍ୟରେ ନିଟ୍ ପରୀକ୍ଷାରେ ପେପର ଲିକ୍ ହୋଇନାହିଁ । ଏଥିପାଇଁ ପୁଣି ଥରେ ପରୀକ୍ଷା ଆୟୋଜନ କରିବା ଉଚିତ୍ ହେବ ନାହିଁ । ନିଟ୍ ଆହୁରି ମଧ୍ୟ କହିଛି, ଯାଞ୍ଚରେ ଗୋଧରା ଓ ପାଟନାର କିଛି ସେଣ୍ଟରରେ ଅନିୟମିତତା ହେଇଥିବା ଜଣାପଡିଛି । ସେଠାରେ ପରୀକ୍ଷାରେ ହୋଇଥିବା ବିଭ୍ରାଟ, ଛାତ୍ରଛାତ୍ରୀଙ୍କ ରେଜଲ୍ଟ ଉପରେ କେତେ ପ୍ରଭାବ ପକାଇଛି ତାହା ଦେଖିବା ପାଇଁ ଉକ୍ତ ସ୍ଥାନର ପରିକ୍ଷାର୍ଥୀଙ୍କ ରେଜଲ୍ଟ ମଧ୍ୟ ଯାଞ୍ଚ କରାଯାଇଛି । କେବଳ କିଛି ପିଲାଙ୍କ ପାଇଁ ପୂରା ପରୀକ୍ଷା ରଦ୍ଦ କରାଯାଇପାରିବ ନାହିଁ ।

ତେବେ କହିରଖୁଛୁ, ପୂର୍ବରୁ ଜୁଲାଇ ୮ରେ ନିଟ୍ ବିଭ୍ରାଟକୁ ନେଇ ଶୁଣାଣି କରିଥିଲେ ସୁପ୍ରିମକୋର୍ଟ । ଯେଉଁଥିରେ ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ କହିଥିଲେ, ଗୋଟେ ଦୁଇଟା ସ୍ଥାନରେ ହୋଇଥିଲେ ମଧ୍ୟ ପେପର ଲିକ୍ ହୋଇଛି ଏହା ସ୍ପଷ୍ଟ । କିଛି ଛାତ୍ରଛାତ୍ରୀଙ୍କ ପାଇଁ ପୁରା ପରୀକ୍ଷା ରଦ୍ଦ କରାଯିବା ଉଚିତ୍ ନୁହେଁ । କିନ୍ତୁ ଯଦି ଦୋଷୀ ଧରା ନପଡନ୍ତି ତାହାଲେ ପୁଣି ଥରେ ଏହି ପରୀକ୍ଷା ଆୟୋଜନ କରାଯିବ ବୋଲି ସ୍ପଷ୍ଟ କରିଥିଲେ ସିଆଇଜେ । ଏହା ସହିତ ସିବିଆଇ, ପରୀକ୍ଷା ଆୟୋଜନ କରିଥିବା ଏନଟିଏ ଓ କେନ୍ଦ୍ର ସରକାରଙ୍କୁ ପୂରା ଘଟଣାର ଷ୍ଟାଟସ ରିପୋର୍ଟ ମାଗିଥିଲେ । ଯେଉଁଥିରେ କେଉଁ ଅଞ୍ଚଳରେ ଲିକ୍ ହୋଇଛି, ଯେଉଁମାନେ ଲିକ୍ କରିଛନ୍ତି, ସେମାନଙ୍କୁ ଚିହ୍ନଟ କରାଯାଇଛି କି ନାହିଁ, ଯଦି କରାଯାଇଛି ସେମାନଙ୍କ ବିରୋଧରେ କ’ଣ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି, ପ୍ରଶ୍ନ ପତ୍ର ଲିକରେ କେତେ ପିଲାଙ୍କ ରେଜଲ୍ଟ ଜଡିତ, ଯେଉଁ ପିଲା ଲିକ୍ ପ୍ରଶ୍ନପତ୍ର ପାଇଛନ୍ତି, ତାଙ୍କ ରେଜଲ୍ଟ ସ୍ଥଗିତ ରଖାଯାଇଛି କି ?, ଏନେଇ ସମସ୍ତ ଯାଞ୍ଚ ରିପୋର୍ଟ ଜୁଲାଇ ୧୦ ସୁଦ୍ଦା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଯାହା ଗତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ  ଦାଖଲ କରାଯାଇଛି । ଆଉ ଆଜି ଏହାକୁ ନେଇ ବଡ ରାୟ ଦେଇପାରନ୍ତି ସୁପ୍ରିମକୋର୍ଟ ।

Comments are closed.