Latest Odisha News

BREAKING NEWS

ନେତାଜୀ ୧୯୪୩ରେ ପୋର୍ଟବ୍ଲେୟାରରୁ ଉଡ଼ାଇଥିଲେ ସ୍ବାଧୀନତାର ପତାକା

ଭୁବନେଶ୍ୱର: ଭାରତର ସ୍ବାଧୀନତା ପାଇଁ ଅନେକ ଦେଶପ୍ରେମୀ ବଳୀଦାନ ଦେଇଥିଲେ । ଦେଶ ଯେତେବେଳେ ସ୍ବାଧୀନତାର ୭୫ ବର୍ଷ ପାଳନ କରୁଛି ସେତେବେଳେ ସେହି ଦେଶପ୍ରେମୀଙ୍କୁ ଆଜି ସାରା ଦେଶ ସ୍ମରଣ କରୁଛି । ସ୍ବାଧୀନତା ସଂଗ୍ରାମ ସମୟର ଅନେକ କଥା ଅଛି ଯାହା ଆଜିବି ଜାଣିଲେ ମନରେ ନୂତନ ଆଶା ସୃଷ୍ଟି କରୁଛି । ସେଭଳି ଭାରତର ସ୍ବାଧୀନତା ପାଇଁ ସୁଭାଷ ବୋଷଙ୍କ ଅବଦାନ ସମସ୍ତଙ୍କ ପାଇଁ ସ୍ମରଣୀୟ ହୋଇ ରହିଛି ।

ଯେତେବେଳେ ଦେଶରେ ଇଂରେଜ ଶାସନ ଚାଲିଥିଲା । ଭାରତ ସ୍ବାଧୀନତା ପାଇନଥିଲା, ସେତେବେଳେ ପ୍ରଥମେ ପରାଧୀନ ଭାରତରେ ପ୍ରଥମେ ସ୍ବାଧୀନତାର ପତାକା ସୁଭାଷ ବୋଷ ଉଡାଇଥିଲେ ।

ସୁଭାଷ ବୋଷ  ନିଜକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ଆଉ ଏହି ଘଟଣାକୁ ସେତେବେଳେ କୋଟିକୋଟି ଲୋକ ମଧ୍ୟ ଅନୁଭବ କରିଥିଲେ । ଅନେକ ଦେଶ ମଧ୍ୟ ସୁଭାଷ ବୋଷଙ୍କ ସରକାରକୁ ମାନ୍ୟତା ବି ଦେଇଥିଲେ । ତାହା ଥିଲା ୧୯୪୩ ମସିହାର କଥା । ନେତାଜୀ ସୁଭାଷ ବୋଷ ଡିସେମ୍ବର ୧୯୪୩ ରେ ଆଜାଦ ହିନ୍ଦ ସରକାରର ପ୍ରଧାନମନ୍ତ୍ରୀ ଭାବରେ ପୋର୍ଟ ବ୍ଲେୟାରରେ ପହଞ୍ଚିଥିଲେ ବିମାନରେ । ଆଉ ସେଠାରେ ହଜାର ହଜାର ଦେଶପ୍ରେମୀଙ୍କ ଗହଣରେ ସେ ସେ ସମୟର ଆଜାଦ ହିନ୍ଦ ଫୈାଜର ଭାରତର ଜାତୀୟ ପତାକା ଉତ୍ତୋଳନ କରିବା ସହ ସେଠାରେ ଉପସ୍ଥିତ ଜନସାଧାରଣଙ୍କୁ ଭାଷଣ ଦେଇଥିଲେ । କହିବାକୁ ଗଲେ ଆଜିଠୁ ୭୯ ବର୍ଷ ପୂର୍ବେ ଆଜାଦ ହିନ୍ଦ ସରକାର ଗଠନ କରିଥିଲେ ନେତାଜୀ ସୁଭାଷ ବୋଷ ।

ଆହୁରି ମଧ୍ୟ ସୁଭାଷ ବୋଷଙ୍କ ଦେଶରୁ ପଳାୟନକୁ ନେଇ ଅନେକ ଚର୍ଚ୍ଚା ହୁଏ । ସେ ସମୟରେ ଦେଶର ସ୍ବାଧୀନତା ପାଇଁ ଲଢ଼ୁଥିବାରୁ ଇଂରେଜ ସରକାର  ସୁଭାଷ ଚନ୍ଦ୍ର ବୋଷଙ୍କୁ ଦେଶଦ୍ରୋହୀ କହି ବନ୍ଦି କରିଥିଲେ ।  କଲିକତାର ପ୍ରେସିଡେନ୍ସି ଜେଲରେ ବନ୍ଦୀ ହୋଇ ରହିଥିଲେ ସୁଭାଷ ବୋଷ। ବନ୍ଦୀ ହେବାପରେ ଜେଲରେ ଅନଶନ କରିଥିଲେ ନେତାଜୀ । ଯେତେବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେଲା, ସେତେବେଳେ ଇଂରେଜ ସରକାର ଚିନ୍ତାରେ ପଡିଗଲେ । ଯଦି ତାଙ୍କର କିଛି ହୁଏ ତେବେ ଭାରତୀୟମାନେ ଇଂରେଜ ସରକାରଙ୍କୁ ଦୋଷ ଦେବେ ଏବଂ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ ବୋଲି ଆଲୋଚନା କରିଥିଲେ ଇଂରେଜ ସରକାର । ତେଣୁ ବିପଦ ଆଗରୁ ଇଂରେଜ ସରକାର କଡା ସୁରକ୍ଷା ଭିତରେ ତାଙ୍କ ଘରେ ନଜର ବନ୍ଦୀ କରି ରଖିବାକୁ ଘୋଷଣା କରିଥିଲେ ।

ସୁଭାଷ ବୋଷଙ୍କୁ ୧୪ ଜଣ ଗୁପ୍ତଚରଙ୍କ ତତ୍ତ୍ୱାବଧାନରେ ତାଙ୍କ ଘରକୁ ପଠାଯାଇଥିଲା  । ୨୪ ଘଣ୍ଟିଆ ସୁରକ୍ଷା ଭିତରେ ସୁଭାଷ ରହିଥିଲେ । ତେବେ ନଜରବନ୍ଦୀରୁ ମୁକ୍ତି ପାଇଁ ସୁଭାଷ ଯୋଜନା କରିଥିଲେ । ୧୯୪୧ ମସିହାର ୧୬-୧୭ ଜାନୁଆରୀ ରାତି ପ୍ରାୟ ୧:୩୦ରେ ନେତାଜୀ ନିଜକୁ ମୁସଲମାନ ଭାବରେ ଛଦ୍ମନାମ କରି କାରରେ ତାଙ୍କ ପୁତୁରାଙ୍କ ସହ ଘରୁ ପଳାୟନ କରିଥିଲେ । ଜଣେ ବୀମା ଏଜେଣ୍ଟ ଭିଜିଟିଂ କାର୍ଡରେ ତାଙ୍କ ନାମ ଭୁଲ ଲେଖି ସେ ଏହାକୁ ବ୍ୟବହାର କରିଥିଲେ । ଦେଶରୁ ପଳାୟନ ପରେ ଜାପାନ, ଜର୍ମାନୀ, ଋଷରେ ସେ ଭାରତର ସ୍ବାଧୀନତା ପାଇଁ ରଣନୀତି କରିଥିଲେ । ତାଙ୍କର ଯୋଜନା ଥିଲା ଦିଲ୍ଲୀ ଚଲୋ । ଇଂରେଜ ସରକାରଙ୍କୁ ପରାସ୍ତ କରି ଦେଶ ସ୍ବାଧୀନତା କରିବା ସୁଭାଷ ବୋଷଙ୍କ ଲକ୍ଷ୍ୟ ଥିଲା ।

୨୯ ଡିସେମ୍ବର ୧୯୪୩ ରେ, ଜାପାନର ଏକ ସେନା ବିମାନ ପୋର୍ଟ ବ୍ଲେୟାର ଏୟାରଷ୍ଟ୍ରିପରେ ଅବତରଣ କଲା । ସେଥିରେ ଥିଲେ  ଆଜାଦ ହିନ୍ଦ ସରକାରର ପ୍ରଧାନମନ୍ତ୍ରୀ ସୁଭାଷ ଚନ୍ଦ୍ର ବୋଷ, ମନ୍ତ୍ରୀ ରାଙ୍କ ଆନନ୍ଦ ମୋହନ ସାହି, ଏଡିସି କ୍ୟାପଟେନ ରାୱତ ଏବଂ ବୋଷଙ୍କ ଡାକ୍ତର କୋଲ ଡିଏସ ରାଜୁ  ।  ନିଜର ଶକ୍ତି ସାମର୍ଥ୍ୟ ସହ ସୁଭାଷ ସେହି ଦିନ  ଭାରତ ଫେରିଥିଲେ। ଆଉ ସେହି  ସ୍ଥାନଟି ଥିଲା ପୋର୍ଟ ବ୍ଲେୟାର । ସେ ସମୟରେ  ସୁଭାଷ ବୋଷ ନିଜକୁ  ଆଜାଦ ହିନ୍ଦ ସରକାରଙ୍କ ପ୍ରଧାନମନ୍ତ୍ରୀ ଘୋଷଣା କରି ସାରିଥିଲେ।

ପରଦିନ, ଅର୍ଥାତ୍ ୩୦ ଡିସେମ୍ବର ଦିନ ଥିଲା ସାରା ଭାରତ ପାଇଁ ଉତ୍ସବର ଦିନ। କାରଣ ସେ ପୋର୍ଟ ବ୍ଲେୟାରରେ ଭାରତକୁ ସ୍ବାଧୀନ ରାଷ୍ଟ୍ର ଘୋଷଣା କରିଥିଲେ । ସେଠାରେ ସେ ସ୍ବାଧୀନ ଭାରତର ପତାକା ଉତ୍ତୋଳନ କରିଥିଲେ ।  ପ୍ରଥମ ଥର ପାଇଁ ବ୍ରିଟିଶ ଶାସନ ସମୟରେ ଭାରତର କୈାଣସି ସ୍ଥାନରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଭାବରେ ପତାକା ଉତ୍ତୋଳନ କରିଥିଲେ। ଯାହାକୁ ସାରା ଦେଶବାସୀ ଗ୍ରହଣ କରିଥିଲେ  । ଏହା ସହ ସୁଭାଷ ବୋଷଙ୍କୁ ଭାରତର ପ୍ରଧାନମନ୍ତ୍ରୀ ଭାବେ ମଧ୍ୟ ଗ୍ରହଣ କରିଥିଲେ ।

ଏହା ପୂର୍ବରୁ ସୁଭାଷ ଚନ୍ଦ୍ର ବୋଷ ଆଜାଦ ହିନ୍ଦ ଫୈାଜର ସୈନିକମାନଙ୍କୁ ସିଙ୍ଗାପୁରର  କନକ୍ ଡ୍ରାଇଭ୍ ନିକଟରେ ପାଦଙ୍ଗରେ ସମ୍ବୋଧିତ କରି କହଥିଲେ ଯେ  ୧୯୪୩ ଶେଷ ସୁଦ୍ଧା ଭାରତୀୟ ମାଟିରେ ଆଜାଦ ହିନ୍ଦ ସୈନ୍ୟ, ଇଂରେଜ ସରକାର ସହ ଲଢ଼େଇ କରିବ ।  ଠିକ୍ ଏହାର ଏକ ମାସ ପୂର୍ବରୁ, ଜୁଲାଇ 5 ରେ, ସୁଭାଷ ବୋଷ ଆଜାଦ ହିନ୍ଦ ସରକାରର  ଉପସ୍ଥିତି ବିଷୟରେ ବିଶ୍ବବାସୀଙ୍କୁ ସୂଚନା ଦେଇଥିଲେ । ଯାହାକୁ ବିଶ୍ବର ଅନେକ ସରକାର ଗ୍ରହଣ କରି ତାଙ୍କ ସରକାରଙ୍କୁ ମାନ୍ୟତା ଦେଇଥିଲେ । ତାଙ୍କର ଏବଂ  INA ର ଉଦ୍ଦେଶ୍ୟ ଥିଲା – ଚାଲ ଦିଲ୍ଲୀ ଯିବା ।

ସିଙ୍ଗାପୁରରେ ସୁଭାଷ ଚନ୍ଦ୍ର ବୋଷ ମୁକ୍ତ ଭାରତର  ଅସ୍ଥାୟୀ ସରକାର ଅର୍ଥାତ୍ ଆଜାଦ ହିନ୍ଦ ସରକାର ଗଠନ ଘୋଷଣା କରିଥିଲେ। ସୁଭାଷ ବୋଷ ଥିଲେ ପ୍ରଧାନମନ୍ତ୍ରୀ ତାଙ୍କ  ସରକାରରେ ୧୧ ଜଣ ମନ୍ତ୍ରୀ ଏବଂ INA ର ୮ ଜଣ ପ୍ରତିନିଧି ଥିଲେ। ସୁଭାଷ ନିଜେ ଦେଶ ମୁଖ୍ୟ, ପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଥିଲେ। ଏହି ସରକାର ଜାପାନ, ଜର୍ମାନୀ, ଇଟାଲୀ, କ୍ରୋଏସିଆ, ବର୍ମା, ଥାଇଲ୍ୟାଣ୍ଡ, ଫିଲିପାଇନ୍ସ, ମଞ୍ଚୁରିଆ ଏବଂ ଚୀନ୍  ଦ୍ୱାରା ସ୍ୱୀକୃତିପ୍ରାପ୍ତ ଥିଲା । ଏ ସମସ୍ତ ଦେଶ ସୁଭାଷ ବୋଷଙ୍କୁ ମାନ୍ୟତା ଦେଇଥିଲେ ।

ଜାପାନର ପ୍ରଧାନମନ୍ତ୍ରୀ ହିଡେକି ଟୋଜୋ ଟୋକିଓରେ ଗ୍ରେଟର ପୂର୍ବ ଏସିଆର ଅର୍ଥାତ୍ ଜାପାନ ପ୍ରଭାବିତ ଦେଶଗୁଡ଼ିକର ସମ୍ମିଳନୀର ଶେଷ ଦିନରେ ଆଜାଦ ହିନ୍ଦ ସରକାରଙ୍କୁ ଆଣ୍ଡାମାନ-ନିକୋବର ହସ୍ତାନ୍ତର କରିବାକୁ ଘୋଷଣା କରିଥିଲେ। ୧୯୪୨ ମସିହାରେ ଜାପାନ ବ୍ରିଟେନରୁ ଏହି ଦ୍ୱୀପପୁଞ୍ଜ ଜିତିଥିଲା  । ସୁଭାଷ ବୋଷ ସେ ସମୟରେ ଘୋଷଣା କରିଥିଲେ । ଫ୍ରାନ୍ସ ବିପ୍ଳବରେ ଯେପରି ରାଜନୈତିକ ବନ୍ଦୀମାନେ ପ୍ରଥମେ ପ୍ୟାରିସରେ ବସ୍ତିଲକୁ ମୁକ୍ତ କରି ମୁକ୍ତ ହୋଇଥିଲେ, ସେହିପରି ଭାରତର ସ୍ୱାଧୀନତା ସଂଗ୍ରାମରେ ଆଣ୍ଡାମାନ ପ୍ରଥମ ହେବ, ସେଠାରେ ଥିବା ରାଜନୈତିକ ବନ୍ଦୀମାନେ ଭାରତକୁ ମୁକ୍ତ କରିବାରେ ସହାୟତା କରିବେ ।

 

ପୋର୍ଟ ବ୍ଲେୟାରର ଜାପାନିଜ ଆଡମିରାଲ ସେଦିନ ଆଜାଦ ହିନ୍ଦ ସରକାରଙ୍କ ପ୍ରଧାନମନ୍ତ୍ରୀ ସୁଭାଷ ବୋଷଙ୍କୁ ଭବ୍ୟ ସ୍ବାଗତ କରିଥିଲେ । ଆଜି ବି ପୋର୍ଟ ବ୍ଲେୟାରର ଜିମ୍ଖାନା ଗ୍ରାଉଣ୍ଡରେ ସୁଭାଷ ବୋଷଙ୍କ ସମ୍ମାନରେ  ଜାତୀୟ ପତାକା ଫରଫର ହୋଇ ଉଡୁଛି । ଯେଉଁଠାରେ ନେତାଜୀ ସୁଭାଷ ବୋଷ ପତାକା ଉତ୍ତୋଳନ କରିଥିଲେ, ଆଜି ୧୫୦ ଫୁଟ ଉଚ୍ଚର ଭାରତର ତ୍ରିରଙ୍ଗା ସେଠାରେ ଉଡୁଛି ।

୩୦ ଡିସେମ୍ବର ୨୦୧୮  ପର ଠାରୁ ସୁଭାଷ ବୋଷଙ୍କ ସମସ୍ତ ସ୍ମୃତିକୁ ଏଠାରେ ସୁରକ୍ଷା କରାଯାଇଛି । ସମୁଦ୍ର ନିକଟରେ ଥିବା ରସ୍ ଦ୍ୱୀପକୁ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ଏହି ସ୍ଥାନ ସୁଭାଷ ବୋଷଙ୍କ ପାଇଁ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହୋଇଛି ।  ଚଳିତ ବର୍ଷ ଅଗଷ୍ଟ ୧୫ରେ ଏଠାରେ ମଧ୍ୟ ଆଜାଦୀ କି ଅମୃତ ମହୋତ୍ସବ ପାଳନ କରାଯାଉଛି । ସେଦିନର ପୋର୍ଟ ବ୍ଲେୟାର ଏୟାରଷ୍ଟ୍ରିପ୍ ଆଜି ପରିବର୍ତ୍ତନ ଢ଼େଉ ଅତିକ୍ରମ କରି  ଅନ୍ତର୍ଜାତୀୟ ବିମାନବନ୍ଦର ଭାବେ ପ୍ରସ୍ତୁତ ହୋଇଛି । ଆଉ ଆଜାଦ ହିନ୍ଦ ସରକାରଙ୍କ ପ୍ରଧାନମନ୍ତ୍ରୀ ନେତାଜୀ ସୁଭାଷ ବୋଷଙ୍କୁ ସାରା ଦେଶବାସୀ ସ୍ମରଣ କରୁଛନ୍ତି ।

Leave A Reply

Your email address will not be published.