Latest Odisha News

BREAKING NEWS

ନେତପିଲା ପରମ୍ପରା, ମହାଦେବଙ୍କୁ ସ୍ୱାମୀ ଭାବେ ପାଇବାକୁ ବ୍ରତ ରଖନ୍ତି ସେବାୟତ ପରିବାରର କୁନି କୁନି ଝିଅ

ପୁରୀ: ବହୁ ପୁରାତନ କାଳରୁ ପ୍ରଚଳିତ ନେତ ପିଲା । ମାତା ପାର୍ବତୀ ମହାଦେବଙ୍କୁ ସ୍ୱାମୀ ଭାବେ ପାଇବାକୁ କଠୋର ତପସ୍ୟା କରିଥିଲେ । ସେହିଭଳି ଶ୍ରୀକ୍ଷେତ୍ରର ସେବାୟତ ପରିବାରର କୁନି କୁନି କୁଆଁରୀ କନ୍ୟାମାନେ ସଦାଶିବଙ୍କ ପରି ଭଲ ବର ପାଇବାକୁ ପ୍ରଭୁ ମାର୍କଣ୍ଡେୟକୁ ପୂଜାର୍ଚ୍ଚନା ସହ କଠୋର ବ୍ରତ ପାଳନ କରିଥାନ୍ତି । ଦେବୀଙ୍କ ଭଳି ସଜ୍ଜିତ ହୋଇଥାନ୍ତି ।

ପାଟ ସହ ନାନା ପ୍ରକାରରେ ଆଭୂଷଣ ଓ ବେଶରେ ସଜ୍ଜିତ ହୋଇ ଗୁରୁଜନଙ୍କ ସହ ଯାଇ ମାର୍କଣ୍ଡେୟଙ୍କୁ ପୂଜା କରୁଛନ୍ତି । ଶାରଦୀୟ ଦୁର୍ଗାପୂଜା ସମୟରେ ଶହଶହ ବର୍ଷ ପୂର୍ବରୁ ପ୍ରଚଳିତ ନେତପିଲା ପରମ୍ପରା ଆଜି ବି ଚାଲି ଆସୁଛି । ପ୍ରାୟ ୨୧ ଦିନ ପୂର୍ବରୁ ବଳି ପୂଜନ କରିବା ପରେ ତିନିଦିନ ଧରି ବିଭିନ୍ନ ବେଶଭୂଷାରେ ସଜ୍ଜିତ ହୋଇ ମାର୍କଣ୍ଡ ପୋଖରୀଠାରେ ନେତପିଲାମାନେ ମାଆ ବୃନ୍ଦାବତୀଙ୍କ ପୂଜା କରି ବଳି ଗୀତ ଗାଇଥାନ୍ତି ।

ସେବାୟତ ପରିବାରରେ ଥିବା କୁନି କୁନି ଝିଅମାନେ ବାପାମାଆଙ୍କ ଆୟୁଷ ବୃଦ୍ଧି ତଥା ଭଲ ବର ବା ସ୍ୱାମୀ ପାଇବା ଉଦ୍ୟେଶ୍ୟରେ ଏହି ପର୍ବକୁ ପାଳନ କରିଥାନ୍ତି । ଆଈ ଘରୁ ଆସିଥିବା ନୂଆ ପାଟ, ରୂପା ଫରୁଆ ସହ ମୁଣ୍ଡରେ ସିନ୍ଥି, ଅଳକା, ପାନପତର,ବେଣୀରେ ଝୁମ୍ପା, ହାତରେ ବଟଫଳ,ମୁଦି ଆଦି ବହୁମୂଲ୍ୟ ଅଳଙ୍କାର ପିନ୍ଧିଥାନ୍ତି । ବାଉଁଶିଆରେ ପାଣି କଖାରୁ,ମକା, ଗୁଆ, ଜହ୍ନି ଆଦି ସାତପ୍ରକାର ଫଳ ନେଇ ମାର୍କଣ୍ଡେୟ ତୀର୍ଥ ପୁଷ୍କରିଣୀ କୂଳରେ ବଳି ବା ହରପାର୍ବତୀ ପୂଜା କରିଥାନ୍ତି ।

ମାର୍କଣ୍ଡ ପୁଷ୍କରିଣୀରେ ନେତପିଲାମାନେ ମାଆ ବୃନ୍ଦାବତୀଙ୍କ ପାଖରେ ପୂଜା କରିବା ସହ ସେଠାରେ ବଳି ଗୀତ ଗାଇଥାନ୍ତି । ହରପାର୍ବତୀଙ୍କ ବ୍ରତ ପାଳନ ସହିତ ନିଜ ସମ୍ପର୍କୀୟ ଓ ବନ୍ଧୁବାନ୍ଧବଙ୍କ ଘରକୁ ବୁଲିଯିବାର ବିଧି ରହିଛି । ଏହି ୨୧ଦିନର ଶେଷ ୪ ଦିନ ପାରମ୍ପରିକ ବେଶ ସହ ବିଭିନ୍ନ ଅଳଙ୍କାରରେ ନିଜକୁ ସଜାଇଥାନ୍ତି ନେତପିଲା ମାନେ । ଆଶ୍ୱୀନ ମାସର ପଞ୍ଚମୀ, ଷଷ୍ଠୀ ଓ ସପ୍ତମୀ ତିଥିରେ ଏହି ପର୍ବ ପାଳନ ହେଉଥିବା ବେଳେ ସେବାୟତ ମାନଙ୍କ ଘର ଉତ୍ସବ ମୁଖର ହୋଇ ଉଠିଥାଏ ।

Leave A Reply

Your email address will not be published.