Latest Odisha News

BREAKING NEWS

ପାଟଣାଗଡ଼ ଓ କୁଚିଣ୍ଡାରେ ଖୋଲାଯିବ ନୂଆ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ

ଭୁବନେଶ୍ୱର: ସମ୍ବଲପୁରର କୁଚିଣ୍ଡା ଓ ବଲାଙ୍ଗିରର ପାଟଣାଗଡ଼ ଠାରେ ଦୁଇଟି ନୂତନ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ (ITI) ଖୋଲାଯିବ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହାଦ୍ୱାରା ଏହି ଜନଜାତି ବହୁଳ ଅଞ୍ଚଳର ଯୁବ ସମାଜ ବିଶେଷ ଭାବରେ ଉପକୃତ ହେବେ । କୁଚିଣ୍ଡାରେ ନୂଆ ସରକାରୀ ITI ପ୍ରତିଷ୍ଠା ଦ୍ୱାରା କୁଚିଣ୍ଡା ବାମରା ଓ ଜମନକିରା ବ୍ଲକର ଯୁବ ସମାଜ ଉପକାର ପାଇବେ । ନିଯୁକ୍ତି ତଥା ଆତ୍ମନିଯୁକ୍ତିର ସୁଯୋଗ ଥିବା ଚାରିଗୋଟି ଟ୍ରେଡରେ ଏଠାରେ ୨୪୦ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ଦିଆଯିବ । ସମ୍ବଲପୁର ଆଖପାଖରେ ଅନେକ ଶିଳ୍ପାନୁଷ୍ଠାନ ଗଢ଼ି ଉଠୁଥିବାରୁ ଏହା ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିପୁଳ ଓ ଆତ୍ମନିଯୁକ୍ତି ପାଇଁ ସୁଯୋଗ ମଧ୍ୟ ସୃଷ୍ଟି କରିବ ।

ସେହିପରି ବଲାଙ୍ଗିରର ପାଟଣାଗଡ଼ ଠାରେ ପ୍ରତିଷ୍ଠିତ ITIରେ ମଧ୍ୟ ୪ ଗୋଟି ଟ୍ରେଡରେ ୨୪୦ ଜଣ ପିଲା ଶିଳ୍ପ ତାଲିମ ପାଇ ପାରିବେ । ବୃତ୍ତିଗତ ତାଲିମ ବ୍ୟବସ୍ଥା ଦ୍ୱାରା ବ୍ଲକର ଯୁବକ ଯୁବତୀ ମାନଙ୍କ ଦକ୍ଷତା ବୃଦ୍ଧି ହେବା ସହିତ ନିଯୁକ୍ତି/ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟିରେ ସହାୟକ ହେବ ।

ସୂଚନାଯୋଗ୍ୟ ଯେ ରାଜ୍ୟର ୩୧୪ଟି ବ୍ଲକ ମଧ୍ୟରୁ ୨୫୧ଟି ବ୍ଲକରେ ସରକାରୀ/ବେସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ (ITI) ରହିଛି । ସେହିପରି ୫୮ଟି ସବଡିଭିଜନ ମଧ୍ୟରୁ ୪୮ଟିରେ ITI ରହିଛି । ପାଟଣାଗଡ଼ ଓ କୁଚିଣ୍ଡାରେ ITI ପ୍ରତିଷ୍ଠା ହେବା ପରେ ଏହି ସଂଖ୍ୟା ୫୦କୁ ବୃଦ୍ଧି ପାଇବ । ସ୍କିଲଡ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଜରିଆରେ ଆମର ଯୁବକ ଯୁବତୀ ମାନେ ବିଭିନ୍ନ ସରକାରୀ ଶିଳ୍ପତାଲିମ ପ୍ରତିଷ୍ଠାନ ମାନଙ୍କରେ ତାଲିମ ନେଇ ନିଜର ଦକ୍ଷତା ଦ୍ୱାରା ଓଡିଶା ପାଇଁ ନୂଆ ପରିଚୟ ସୃଷ୍ଟି କରିପାରିଛନ୍ତି । ଭୁବନେଶ୍ୱରରେ ନିକଟରେ ପ୍ରତିଷ୍ଠିତ ୱାର୍ଲ୍ଡ ସ୍କିଲ୍ ସେଣ୍ଟର ଆମର ଯୁବସମାଜ ପାଇଁ ଅନେକ ସମ୍ଭାବନା ସୃଷ୍ଟି କରିଛି ।

Leave A Reply

Your email address will not be published.