ଭୁବନେଶ୍ୱର: ପ୍ରେମ ହେଇଯାଏ କେଉଁଠି, କେମିତି, କେତେବେଳେ.. । ପରିବାରର ଆଭିଜାତ୍ୟ ଆକାଶ- ପାତାଳର ପାର୍ଥକ୍ୟ । ବେଫିକର ଗରୀବ ପୁଅକୁ ମନରେ ଜାଗା ଦେଇଛି ଜମିଦାରର ଝିଅ । ଏମିତି କାହିଁକି ହେଲା, କେମିତି ହେଲା । କାହିଁକି ଆଭିଜାତ୍ୟରେ ପରିପୂର୍ଣ୍ଣ ଝିଅ ରାସ୍ତା କଡର ପୁଅକୁ ପ୍ରେମିକ ରୂପେ ସ୍ୱୀକାର କଲା ? ନିଆରା ପ୍ରେମ କାହାଣୀର, ନିଛକ ଛବି । ଏମିତି ଏକ ହୃଦୟକୁ ଛୁଇଁଲା ଭଳି କାହାଣୀ ନେଇ ଆସୁଛି ଝିଲିକ ମୋସନ ପିକଚର । ଯାହାର ଶୀର୍ଷକ ରହିଛି ‘ପ୍ରିୟେ ତୁ ମୋ ସିଏ’ । ଆସନ୍ତା ଜୁନ୍ ୨୯ରେ ପରଦା ଉପରକୁ ଆସିବ ଏହି ଓଡିଆ ଫିଲ୍ମ ‘ପ୍ରିୟେ ତୁ ମୋ ସିଏ’ । ଏହି ଫିଲ୍ମ ପ୍ରଥମଥର ପାଇଁ ଏକାଠି ନଜର ଆସିବେ ସୁପରଷ୍ଟାର ଅମ୍ଳାନ ଓ ଚୁଲବୁଲି ନାୟିକା ଏଲିନା । ଏଥିରେ ବବି ମିଶ୍ରଙ୍କୁ ମଧ୍ୟ ଏକ ଗୁରୁତ୍ୱ୍ୱପୂର୍ଣ୍ଣ ଚରିତ୍ରରେ ଦେଖିବେ ଦର୍ଶକ ।
ଏହି ଫିଲ୍ମର ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ପ୍ରଯୋଜନା ଦାୟିତ୍ୱ ନେଇଥିବାବେଳେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ସୁଧାଂଶୁ ମୋହନ ସାହୁ । କାହାଣୀର ରଚନା କରିଛନ୍ତି ଜଣାଶୁଣା ଯୁବ ଲେଖକ ଶରଣାବିନ୍ଦ ଓଝା । ସଙ୍ଗୀତରେ ସଜାଇଛନ୍ତି ଯୁବ ସଙ୍ଗୀତ ନିର୍ଦ୍ଦେଶକ ବୈଦନାଥ ଦାସ । ଫିଲ୍ମରେ ମୁଖ୍ୟ ଚରିତ୍ର ମାନଙ୍କ ବ୍ୟତୀତ ଅଭିଷେକ ଗିରି, ଭୂପତି ତ୍ରିପାଠୀ, ଗୁଡୁ, ରମେଶ ରାଉତ, ଚୌଧୁରୀ ଜୟପ୍ରକାଶ ଦାସ, ନିଜେ ନିର୍ଦ୍ଦେଶକ ସୁଧାଶୁଂ ସାହୁ, ଅଭିନେତ୍ରୀ ସୋମା ଭୌମିକ, ଛନ୍ଦିତା ପାଢୀ ଓ ଇଷା ବେବର୍ତ୍ତା ଙ୍କୁ ଦେଖିବାକୁ ପାଇବେ ଦର୍ଶକ । ଫିଲ୍ମର ସୁଟିଂ ସମ୍ପୂର୍ଣ୍ଣ ଭାବେ ବାରିପଦାରେ ହୋଇଥିବାବେଳେ ଗୀତ ଗୁଡିକ ମନାଲୀ ଓ ଚଣ୍ଡିଗଡ଼ରେ ହୋଇଛି ।
ନିକଟରେ ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ ପ୍ରଯୋଜନା ସଂସ୍ଥା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ଫିଲ୍ମ ରିଲିଜ୍ର ତାରିଖ ଘୋଷଣା କରାଯାଇଛି । ଏହି ଅବସରରେ ପ୍ରଯୋଜିକା ଝିଲିକ୍ ଭଟାଚ୍ଚାର୍ଯ୍ୟ କହିଛନ୍ତି ଯେ, ଆସନ୍ତା ଜୁନ୍ ୨୯ରେ ଓଡ଼ିଶାର ୩୦ରୁ ଉର୍ଦ୍ଧ୍ୱ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ଏହି ଫିଲ୍ମ ।
Comments are closed.