Latest Odisha News

BREAKING NEWS

ନୂଆ ଅଲିମ୍ପିକ୍‌ : ନାମ ପାଇବା ପାଇଁ ପ୍ରତିଯୋଗିତା

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’…

ଟୋକିଓ ଅଲିମ୍ପିକ୍ ସହିତ ତାଳ ଦେଇ ଆମ ଦେଶରେ ଗଣମାଧ୍ୟମ ଦ୍ୱାରା ଆଉ ଏକ ଅଲିମ୍ପିକ୍‌ ଚାଲୁଥିଲା । ସେହି ଅଲିମ୍ପିକ୍ ହେଉଛି ଖେଳାଳୀଙ୍କ ସଫଳତାକୁ ରାଜନୈତିକ ନେତାମାନେ ନିଜ ନାମରେ କରିବାର ପ୍ରତିଯୋଗିତା । ଯେତେବେଳେ ମୀରାବାଈ ଚାନୁ ପ୍ରଥମ ରୌପ୍ୟ ପଦକ ଜିତିଲେ, ସେତେବେଳ ଠାରୁ ଏହା ଆରମ୍ଭ ହୋଇ ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ପାଇବା ଓ ନୀରଜ ଚୋପ୍ରାଙ୍କ ସ୍ୱର୍ଣ୍ଣ ପଦକ ପାଇବା ଯାଏ ଏହା ଚାଲିଲା । ଆଗକୁ ସମ୍ବର୍ନ୍ଧନା ସଭାମାନଙ୍କରେ ଏହା ଆହୁରି ଅଧିକ ଚାଲିବ ।

ଆମେ ଦେଖିଲେ ପଦକ ଜିତିଥିବା ଖେଳାଳୀମାନଙ୍କୁ ଶୁଭେଚ୍ଛା ଜଣାଇବା ବେଳେ ଖେଳାଳୀଙ୍କ ଫଟୋ ଅପେକ୍ଷା ନେତାମାନଙ୍କର ଫଟୋ ବଡ଼ ହୋଇ ଦେଖାଗଲା । ବିଶେଷ କରି ପ୍ରଧାନମନ୍ତ୍ରୀ ମୋଦି ଏହି ପ୍ରତିଯୋଗିତାରେ ସମସ୍ତଙ୍କ ଠାରୁ ଆଗରେ ରହିଲେ । ଅବଶ୍ୟ ପ୍ରଧାନମନ୍ତ୍ରୀଙ୍କ ଫଟୋ ଆଗ୍ରହକୁ ଆମେ ପୂର୍ବରୁ ବାରମ୍ବାର ଦେଖିଛେ । କିନ୍ତୁ ଅଲିମ୍ପିକ୍‌ରେ ଖେଳାଳୀଙ୍କ ସଫଳତାକୁ ଗଣମାଧ୍ୟମ ମାଧ୍ୟମରେ ନିଜର ପ୍ରଚାର କରିବାରେ ପ୍ରଧାନମନ୍ତ୍ରୀ ଅତୀତର ସବୁ ରେକର୍ଡ଼କୁ କାଟି ଦେଇଛନ୍ତି । ନାମ ପାଇବା ପାଇଁ ଏତେ ଡହଳ ବିକଳ ହେବା କ’ଣ କୌଣସି ପ୍ରଧାନମନ୍ତ୍ରୀଙ୍କୁ ଶୋଭାପାଏ! ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ଜିତିବା ପରେ ସ୍ୱଭାବିକ ଭାବେ ସାରା ଦେଶର ପ୍ରଶଂସା ଓଡ଼ିଶାର ମୂଖ୍ୟମନ୍ତ୍ରୀଙ୍କ ଆଡ଼କୁ ଆସିଲା । କାରଣ ଭାରତୀୟ ହକି ଦଳ ୨୦୧୮ରେ ପ୍ରାୟୋଜକ ଅଭାବରୁ ସଙ୍କଟରେ ପଡ଼ିଥିବା ବେଳେ ଓଡ଼ିଶା ହିଁ ଜାତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ସାଜିଥିଲା । କିନ୍ତୁ ଜାତୀୟ ହକି ଦଳର ଏହି ସଫଳତାରେ କୌଣସି ରାଜ୍ୟର ଏକ ମୂଖ୍ୟମନ୍ତ୍ରୀଙ୍କ ପ୍ରଶଂସା ନାମପ୍ରିୟ ପ୍ରଧାନମନ୍ତ୍ରୀଙ୍କୁ ବା ହଜମ ହୁଅନ୍ତା କୁଆଡ଼ୁ ! ପ୍ରଧାନମନ୍ତ୍ରୀଙ୍କୁ ନିଶ୍ଚୟ ଲାଗିଥିବ ଯେ, ଜଣେ ମୂଖ୍ୟମନ୍ତ୍ରୀ କିପରି ତାଙ୍କ ଠାରୁ ଅଧିକପ୍ରଚାର ପାଇବେ । କିନ୍ତୁ ଓଡ଼ିଶାର ମୂଖ୍ୟମନ୍ତ୍ରୀଙ୍କୁ ଯାହା ବି ପ୍ରଶଂସା ମିଳିଲା ତାହା ତାଙ୍କ ଭାଷଣ ପାଇଁ ନୁହେଁ, ତାଙ୍କ କାମ ପାଇଁ ମିଳିଲା । ତାଙ୍କ କାମ ହିଁ କଥା କହିଲା । କିନ୍ତୁ ଏହି ପ୍ରଚାରକୁ ଯେନତେନ ପ୍ରକାରେ ନିଜ ନାମରେ କରିବା ପାଇଁ ପ୍ରଧାନମନ୍ତ୍ରୀ ଏକ ନୂଆ ଚାଲ୍ ଖେଳିଲେ । ରାତାରାତି ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାରର ନାମ ପରିବର୍ତ୍ତନ କରି ବିଶିଷ୍ଟ ହକି ଖେଳାଳୀ ମେଜର ଧ୍ୟାନଚାନ୍ଦଙ୍କ ନାମରେ କରିଦେଲେ । ତାଙ୍କର ଏକ ମାତ୍ର ଉଦ୍ଦେଶ୍ୟ ଥିଲା ହକି ଦଳର ଏହି ସଫଳତାରେ ତାଙ୍କ ନାମ ବି ପ୍ରଚାରକୁ ଆସୁ । ଅବଶ୍ୟ କ୍ରୀଡ଼ା ପାଇଁ ଗୋଟିଏ ପୁରସ୍କାରକୁ କୌଣସି ବିଶିଷ୍ଟ ଖେଳାଳୀଙ୍କ ନାମରେ କରାଯିବା ସ୍ୱାଗତଯୋଗ୍ୟ ପଦକ୍ଷେପ । କିନ୍ତୁ ପ୍ରଧାନମନ୍ତ୍ରୀ ଯେ, ଖେଳର ବିକାଶ ପାଇଁ ଏପରି ପଦକ୍ଷେପ ନେଲେ, ତାହା ଆଦୌ ବିଶ୍ୱାସଯୋଗ୍ୟ ନୁହେଁ । କାରଣ ସେମିତି ହୋଇଥିଲେ, ପ୍ରଧାନମନ୍ତ୍ରୀ ନିକଟ ଅତୀତରେ ଅହମଦାବାଦ୍‌ର ମୋଟେରା ଷ୍ଟାଡ଼ିଅମ୍‌କୁ ନିଜ ନାମରେ କରିନଥାନ୍ତେ । ଦିଲ୍ଲୀର ଫିରୋଜଶାହ କୋଟ୍‌ଲା ଷ୍ଟାଡ଼ିଅମ୍‌କୁ ବିଜେପି ନେତା ଅରୁଣ ଜେଟ୍‌ଲୀଙ୍କ ନାମରେ କରିନଥାନ୍ତେ । ସେତେବେଳେ ସରକାରଙ୍କ ଏପରି ନାମ ପରିବର୍ତ୍ତନ କରିବାକୁ ଦେଶର ଅନେକ ବରିଷ୍ଠ କ୍ରୀଡ଼ାବିତ୍ ନାପସନ୍ଦ କରିବା ସତ୍ତ୍ୱେ ବି ପ୍ରଧାନମନ୍ତ୍ରୀ ଚୁପ୍ ରହିଲେ ।

ଏବେ ପୁରସ୍କାରକୁ ଧ୍ୟାନଚାନ୍ଦଙ୍କ ନାମରେ କରିବାର ତାଙ୍କର ଅସଲ ଉଦ୍ଦେଶ୍ୟ ହେଉଛି, ରାଜୀବ ଗାନ୍ଧୀଙ୍କୁ ଛୋଟ କରି ନିଜର ହକିପ୍ରେମର ପରିଚୟ ଦେବା । କୁହାଯାଉଛି ଯେ, କଂଗ୍ରେସ୍ ସବୁ ଯୋଜନା ନିଜ ନେତାଙ୍କ ନାମରେ କରିଛି, କିନ୍ତୁ ଦୀନ୍‌ଦୟାଲ୍ ଉପାଧ୍ୟାୟ ନ୍ୟାସ୍‌ନାଲ୍ ୱେଲ୍‌ଫେୟାର୍ ଫଣ୍ଡ କ’ଣ ? ୧୯୮୨ରୁ ଥିବା ଏହି ଯୋଜନା ୨୦୧୭ରେ ଦୀନ୍‌ଦୟାଲ୍ ଉପାଧ୍ୟାୟଙ୍କ ନାମରେ କରାଗଲା କାହିଁକି ? କୌଣସି ଖେଳାଳୀଙ୍କ ନାମରେ କରାଗଲା ନାହିଁ କାହିିଁକି ? ପ୍ରସିଦ୍ଧ କ୍ରିକେଟର୍ ମହାରାଜା ରଣଜିତ୍ ସିଂହ, ସଇଦ୍ ମୁସ୍ତାକ ଅଲୀ, ସଲିମ୍ ଦୁରାନୀ, ବିନୁ ମାଙ୍କଡ଼, ନରି କଂଟ୍ରାକ୍ଟର, ଇରଫାନ୍ ପଠାନ୍‌, ପାର୍ଥିବ ପଟେଲ୍ ଆଦି ଗୁଜୁରାଟ୍ ଖେଳାଳୀଙ୍କ ନାମରେ ଅହମଦାବାଦ ଷ୍ଟାଡ଼ିଅମ କରାଗଲା ନାହିଁ କାହିଁକି ? ଅଟଳ ପେନ୍‌ସନ୍ ଯୋଜନା, ଶ୍ୟାମାପ୍ରସାଦ ମୂଖାର୍ଜୀ ଅର୍ବାନ ମିଶନ ଆଦି କେଉଁ ଦଳର ନେତାଙ୍କ ନାମରେ କରାଯାଇଛି ?

ଅସଲ କଥା ହେଉଛି, ରାଜନୈତିକ ନେତାମାନେ ନିଜ ଦଳୀୟ ନେତାଙ୍କ ନାମରେ ସବୁକିଛି କରିବାକୁ ଚାହୁଁଛନ୍ତି । ବିଜେପି ବି କଂଗ୍ରେସ୍ ଠାରୁ ଅଲଗା ନୁହେଁ । ଓଲଟି ପ୍ରଧାନମନ୍ତ୍ରୀ ମୋଦି ଏ ଦୌଡ଼ରେ ସବୁଠୁ ଆଗରେ । ଏତଦ୍‌ବ୍ୟତୀତ ନିକଟ ଅତୀତରେ ଦିଲ୍ଲୀର ଫରେନ୍ ସର୍ଭିସ୍ ଟ୍ରେନିଙ୍ଗ୍ ଇନ୍‌ଷ୍ଟିଚ୍ୟୁଟ୍‌ର ନାମ ସୁଶମା ସ୍ୱରାଜଙ୍କ ନାମରେ ରଖାଯାଇଛି । ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡିଫେନ୍‌ସ ଷ୍ଟଡ଼ିଜ୍ ଆଣ୍ଡ ଆନାଲିସିସ୍‌ର ନାମ ପୂର୍ବତନ ବିଜେପି ନେତା ମନୋହର ପାରିକର୍‌ଙ୍କ ନାମରେ ରଖାଯାଇଛି । ଏଥିରୁ ଗୋଟିଏ କଥା ବୁଝାପଡ଼ୁଛି ସରକାର ଭିନ୍ନ ଭିନ୍ନ ଅନୁଷ୍ଠାନ ଓ ପୁରସ୍କାରକୁ କଂଗ୍ରେସ୍ ନେତା ମାନଙ୍କର ନାମ ସ୍ଥାନରେ ବିଜେପି ନେତାମାନଙ୍କର ନାମ ରଖୁଛନ୍ତି । ଏଥିରେ କେନ୍ଦ୍ର ସରକାରଙ୍କର ସାଂସ୍କୃତିକ ସଂକୀର୍ଣ୍ଣତା ସହିତ ରାଜନୈତିକ ପ୍ରତିଶୋଧ ବି ଅଧିକ ଦେଖାଯାଉଛି । ଏହା ପଛରେ ସରକାରଙ୍କର କ୍ରୀଡ଼ା ପ୍ରେମ ନାହିଁ । ଯାହା ଅଛି ତାହା କେବଳ ନାମ ପାଇବା ପାଇଁ ବିକଳାମୀ ।

ପୂର୍ବରୁ ଧ୍ୟାନଚାନ୍ଦଙ୍କ ନାମରେ କ୍ରୀଡ଼ା କ୍ଷେତ୍ରରେ ଲାଇଫ୍ ଟାଇମ୍ ଆଚିଭ୍‌ମେଣ୍ଟ ପୁରସ୍କାର ଅଛି । ସରକାରଙ୍କ ଅସଲ ଲକ୍ଷ ଧ୍ୟାନଚାନ୍ଦଙ୍କୁ ସମ୍ମାନ ନୁହେଁ, ଅସଲ ଲକ୍ଷ ହେଉଛି କଂଗ୍ରେସ ନେତାଙ୍କୁ ଅସମ୍ମାନ କରିବା ଓ ବୁଲେଇ ବଙ୍କେଇ କେବଳ ନିଜ ନାମ ପ୍ରଚାର କରିବା । ଧ୍ୟାନଚାନ୍ଦଙ୍କ ପାଇଁ ଅସଲ ସମ୍ମାନ ହେଉଛି ଭାରତରେ ହକିର ବିକାଶ । ବିଶ୍ୱ ସ୍ତରୀୟ ସୁବିଧା ସୁଯୋଗ ତିଆରି କରିବା, ଷ୍ଟାଡ଼ିଅମ୍ ତିଆରି କରିବା, ଅଭ୍ୟାସ ପଡ଼ିଆ, ପ୍ରାୟୋଜକ ଆଦି ବ୍ୟବସ୍ଥା କରିବା । କିନ୍ତୁ ସରକାର ଏସବୁ ନକରି କେବଳ ନାମର ଖେଳ ଖେଳୁଛନ୍ତି । କିପରି ନିଜର ପ୍ରଚାର ହେବ ପ୍ରଧାନମନ୍ତ୍ରୀ କେବଳ ସେହି କାମରେ ଲାଗିଛନ୍ତି ।

ଏଠାରେ ପ୍ରଶ୍ନ ଉଠୁଛି ଯେ, କେନ୍ଦ୍ର ସରକାର ଭାରତୀୟ ହକି ଦଳର ପ୍ରାୟୋଜକ ନହୋଇ ଓଡ଼ିଶା ପରି ଏକ ରାଜ୍ୟକୁ ପ୍ରାୟୋଜକ ହେବାକୁ ପଡ଼ିଲା କାହିଁକି ? କେନ୍ଦ୍ର ସରକାର କେଉଁଠି ଶୋଇଥିଲେ? ଦେଶର ସବୁଠାରୁ ବଡ଼ ହକି ଷ୍ଟାଡ଼ିଅମ ଓଡ଼ିଶା ସରକାର ରାଉରକେଲା ଠାରେ ତିଆରି କରୁଛି । ଯାହାର ନାମ ଅଛି ବିର୍ସାମୁଣ୍ଡା ଷ୍ଟାଡ଼ିଅମ୍ । ଭାଗ୍ୟ ଭଲ ଏହାକୁ କେନ୍ଦ୍ର ସରକାର କରୁ ନାହିଁ, ନହେଲେ ଷ୍ଟାଡ଼ିଅମ୍‌ର ନାମ ନରେନ୍ଦ୍ର ମୋଦି ହିଁ ରହିଥାନ୍ତା । ଓଡ଼ିଶା ହକିର ପ୍ରାୟୋଜକ ହେବା ପରେ ଯେତେବେଳେ ଦଳୀୟ ଜର୍ସି ଉନ୍ମୋଚନ କରାଗଲା, ସେତେବେଳେ ବ୍ୟାନରରେ କେଉଁଠି ବି ନବୀନ୍ ପଟ୍ଟନାୟକଙ୍କ ଫଟୋ ନଥିଲା । ସେମିତି ଦଳୀୟ ଜର୍ସିରେ ବି କେବଳ କୋଣାର୍କ ଚକ ଓ ଓଡ଼ିଶାର ବିରଳ କଇଁଛର ଏକ ପ୍ରଜାତିର ଫଟୋ ଥିଲା । କେନ୍ଦ୍ର ସରକାର ହକି ଦଳର ପ୍ରାୟୋଜକ ହୋଇଥିଲେ ଖେଳାଳୀ ମାନଙ୍କୁ ତାଙ୍କ ଜର୍ସିରେ ମୋଦିଙ୍କ ଫଟୋକୁ ବୋହିବାକୁ ପଡ଼ିଥାନ୍ତା ଓ ବ୍ୟାନରରେ କେବଳ ମୋଦି ହିଁ ଚମକି ଥାନ୍ତେ । ଯେମିତି ଟୀକାକରଣର ଫଟୋରେ ଆମେ ମୋଦିଙ୍କ ଦାଢ଼ିବାଲା ଫଟୋ ଦେଖୁଛେ ।

ଅଲିମ୍ପିକ୍‌କୁ ଯିବା ପୂର୍ବରୁ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ପାଇଁ ସରକାର ‘ଚିଅର୍‌ ଫର୍ ଇଣ୍ଡିଆ’ ନାମରେ ଏକ ଅଭିଯାନ ଆରମ୍ଭ କରିଥିଲେ । ଏହି ଅଭିଯାନର ୱେବ୍‌ସାଇଟ୍‌ରେ ବି ମୋଦିଙ୍କର ନାମ ଥିଲା । ଚିଅରଫର୍‌ଇଣ୍ଡିଆ ଡଟ୍ ନରେନ୍ଦ୍ର ମୋଦି ଡଟ୍ ଇନ୍ । ଏ ୱେବ୍‌ସାଇଟ୍‌ ସାରା ଯେତିକି ଖେଳାଳୀଙ୍କ ଫଟୋ ନଥିଲା ତା ଠାରୁ ଅଧିକ ନରେନ୍ଦ୍ର ମୋଦିଙ୍କର ଫଟୋ ଥିଲା । ଅଲିମ୍ପିକ୍‌କୁ ଯିବା ପୂର୍ବରୁ ହିଁ ନାମ ପାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କର ବୈକଲ୍ୟ ଆରମ୍ଭ ହୋଇଯାଇଥିଲା । ଗୋଟିଏ ପଟେ ସରକାର କ୍ରୀଡ଼ା ବଜେଟ୍‌କୁ କମେଇ ଚାଲିଛନ୍ତି, କିନ୍ତୁ ଅନ୍ୟ ପଟେ ଖେଳାଳୀଙ୍କ ସଫଳତାରୁ ନିଜ ନାମର ପ୍ରଚାର କରିବା ପାଇଁ ଟାକି ବସିଛନ୍ତି ।

୨୦୨୦-୨୧ରେ କ୍ରୀଡ଼ା ବଜେଟ୍ ୨୮୨୬.୯୨ କୋଟି ଥିଲା ଯାହାକୁ ସଂଶୋଧନ କରି ୧୮୦୦.୧୫ କୋଟି କରିଦିଆଯାଇଛି । ୨୦୧୪ରୁ ଏପର୍ଯ୍ୟନ୍ତ ଆମ ଦେଶରେ ୬ ଜଣ କ୍ରୀଡ଼ାମନ୍ତ୍ରୀ ବଦଳି ସାରିଲେଣି । କିନ୍ତୁ କୌଣସି ଖେଳ ବିଜ୍ଞାପନ ହେଉ ବା ଖେଳ କାର୍ଯ୍ୟକ୍ରମ ହେଉ ଆମେ କ୍ରୀଡ଼ା ମନ୍ତ୍ରୀମାନଙ୍କ ଅପେକ୍ଷା ପ୍ରଧାନମନ୍ତ୍ରୀଙ୍କ ଫଟୋ ଅଧିକ ଦେଖୁଛୁ । ଯେତେବେଳେ ହକିର ପ୍ରାୟୋଜକ ମିଳୁନଥିଲେ, ସେତେବେଳେ କେହି ନଥିଲେ । ଆଜି ଯେତବେଳେ ହକି ଦଳ ଅଲିମ୍ପିକ୍ ପଦକ ଜିତିଲା ସେତେବେଳେ ପ୍ରଧାନମନ୍ତ୍ରୀ ନାଁ ନେବା ପାଇଁ ଫଟୋରେ ଚକା ମାଡ଼ି ବସି ପଡ଼ୁଛନ୍ତି । କିନ୍ତୁ ଅତ୍ୟନ୍ତ କଷ୍ଟ ସ୍ୱୀକାର କରି ପ୍ରଚୁର ନିଷ୍ଠାର ସହିତ ଯେଉଁ ଖେଳାଳୀମାନେ ନିଜ ଅଧ୍ୟବସାୟ ବଳରେ ଆଖି ଦୃଷ୍ଟିଆ ସରକାରୀ ସାହାଯ୍ୟ ସହଯୋଗ ନଥିବା ସତ୍ତ୍ୱେ ବି ଅଲିମ୍ପିକ୍‌ର ପୋଡ଼ିଅମ୍ ଉପରେ ଠିଆ ହୋଇପାରିଛନ୍ତି, ନିଜ ନାମର ବୈକଲ୍ୟତା ପାଇଁ ନେତାମାନେ ତାଙ୍କୁ ଛୋଟ ନକରନ୍ତୁ । ଇତିହାସ କ୍ଷମା ଦେବନି ।

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର-୭୫୪୧୩୮

Leave A Reply

Your email address will not be published.