Latest Odisha News

BREAKING NEWS

ନିଜ ମାତୃଭାଷା ନପଢିଲେ ହେବ ‘ଭାଷା ଅନାଥ‘ : ମିନି କ୍ରିଷ୍ଣନ୍

ଭୁବନେଶ୍ୱର : ଯଦି ନିଜ ମାତୃଭାଷାକୁ ପ୍ରାଥମିକ ସ୍ତରରେ ବିଦ୍ୟାଳୟର ଶିଶୁ ମାନେ ନପଢିବେ ଶେଷରେ ସେମାନେ ‘ଭାଷା ଅନାଥ‘ ହୋଇଯିବେ । ଏହିଭଳି ଏକ ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗକୁ ନିଜ ଚିନ୍ତା ଧାରା ସହ ବ୍ୟକ୍ତ କରିଛନ୍ତି ପ୍ରତିଷ୍ଠିତ ସ୍ତମ୍ଭକାର ତଥା ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରେସ୍‌ର ସମ୍ପାଦିକା(ଅନୁବାଦ) ମିନି କ୍ରିଷ୍ଣନ୍ ।

ଭୁବନେଶ୍ୱର ସ୍ଥିତ ଅଗ୍ରଣୀ ଅନୁଷ୍ଠାନ ସତୀର୍ଥ ଦ୍ୱାରା ଲବ୍ଧ ପ୍ରତିଷ୍ଠିତ ସମ୍ପାଦକ , ଶିକ୍ଷାବିତ୍ , ଲେଖକ ଓ ଅନୁବାଦକ ସ୍ୱର୍ଗତଃ ଗଣେଶ୍ୱର ମିଶ୍ରଙ୍କ ଷଷ୍ଠ ଶ୍ରାଦ୍ଧବାର୍ଷିକୀ ଅବସରରେ ଆୟୋଜିତ ସ୍ମାରକୀ ବକ୍ତୃତା ଦେଇ କ୍ରିଷ୍ଣନ୍ ଏହି ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ସ୍ୱର୍ଗତ ମିଶ୍ରଙ୍କ ଉପନ୍ୟାସ ‘ଚିଠି ଜୋରିନା ପାଇଁ’ର ଇଂରାଜୀ ଅନୁବାଦ ‘ଲେଟର୍ସ ଟୁ ଜୋରିନା’ ରୂପେ ପ୍ରଫେସର ହିମାଂଶୁ ମହାପାତ୍ର ଓ ପ୍ରଫେସର ପଲ୍ ସେଣ୍ଟ ପିୟରଙ୍କ ଦ୍ୱାରା ଅନୁବାଦିତ ହୋଇ ପ୍ରକାଶିତ ହୋଇଥିଲା । ତାମିଲନାଡୁ ପାଠ୍ୟ ପୁସ୍ତକ ସଂସ୍ଥାର ଅନୁବାଦ ସଂଯୋଜନା ସମ୍ପାଦିକା ରୂପେ କାର୍ଯ୍ୟରତ କ୍ରିଷ୍ଣନ୍ ଏହି ଅବସରରେ କହଥିଲେ, ‘ଅନୁବାଦ ଅସ୍ତିତ୍ୱ ଗଢୁଥିବା ବେଳେ ଅସ୍ତିତ୍ୱ ପାଇଁ ବିପଦ ମଧ୍ୟ’ ।

ଭାରତର ୧୪ଟି ଭାଷାରେ ରଚିତ ପ୍ରାୟ ୧୩୦ଟି ପୁସ୍ତକର ଇଂରାଜୀ ଅନୁବାଦର ସମ୍ପାଦନା କରିଥିବା କ୍ରିଷ୍ଣନ ସ୍ୱର୍ଗତ ମିଶ୍ରଙ୍କ ଜୀବନାକୃତି ଓ ସାଧନା ସମ୍ପର୍କୀତ ଚର୍ଚ୍ଚା ଭିତରେ ମୁନସୀ ପ୍ରେମଚାନ୍ଦଙ୍କୁ ମନେପକାଇ କହିଥିଲେ ‘ଭାଷା ଜୀବନକୁ ଆଲୋକ ଦେଖାଏ’ । ସେ ମଧ୍ୟ ନାନୀ ପାଲକୀୱାଲାଙ୍କ ମତକୁ ଦୋହରାଇ କହିଥିଲେ ‘ ରାଜ୍ୟ ଓ କେନ୍ଦ୍ର ସରକାର ଲୋକଙ୍କୁୂ ନିଜର ସଂସ୍କୃତି ଓ ଦୁର୍ମୂଲ୍ୟ ଐତିହ୍ୟ ସମ୍ବନ୍ଧରେ ଅଜ୍ଞ ରଖିବା ଏକ ଗୁରୁତ୍ୱପୁର୍ଣ୍ଣ ତ୍ରୁଟି । ଯାହା ସ୍ୱର୍ଗତ ମିଶ୍ରଙ୍କ ଚିନ୍ତାଧାରାରେ ଓ ଜୀବନ ତମାମ ସାଧନାରେ ଦେଖିବାକୁ ମିଳିଥିିଲା ।

ସତର୍କତାର ସହ ଭାଷାର ବିନ୍ୟାସ ଓ ଐତିହ୍ୟର ମୂଲ୍ୟକୁ ଅନ୍ୟମାନଙ୍କ ପାଇଁ ଉଦ୍ଦିଷ୍ଟ ରଖିବା ହିଁ ସ୍ୱର୍ଗତ ମିଶ୍ରଙ୍କ ସାଧନାର ଏକ ଅପୂର୍ବ ମିଶ୍ରଣ ଓ ମହାମିଳନ । ଏହି ୱେବିନାରରେ ଓଡ଼ିଶାର ଲେଖକ ଓ ପୂର୍ବତନ ମୁଖ୍ୟ ଶାସନ ସଚିବ ଡକ୍ଟର ସୁବାସ ପାଣି ସ୍ୱର୍ଗତ ମିଶ୍ରଙ୍କ କୃତୀକୁ ମନେପକାଇ କହିଥିଲେ ‘ତାଙ୍କ ରଚନାରେ ମାଟିର ବାସ୍ନା ଥିଲା’ । ଅନୁବାଦର ଯାତ୍ରାରେ ସ୍ୱର୍ଗତ ମିଶ୍ରଙ୍କ ସ୍ୱତନ୍ତ୍ର ଭୂମିକା ଥିଲା । ଅନୁବାଦକୁ ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ସ୍ଥାନୀତ କରିବା ଥିଲା ତାଙ୍କର ଅନ୍ୟତମ ଉପଲବ୍ଧି । ଏହାକୁ କେହି ଅସ୍ୱୀକାର କରିପାରିବେ ନାହିଁ ।

ନିଜ ଅଭିଜ୍ଞତାକୁ ବାଣ୍ଟିବାକୁ ଯାଇ ‘ଲେଟର୍ସ ଟୁ ଜୋରିନା’ର ସହ ଅନୁବାଦକ ପ୍ରଫେସର ହିମାଂଶୁ ମହାପାତ୍ର କହିଥିଲେ ସ୍ୱର୍ଗତ ମିଶ୍ର ଅନେକ ପୁସ୍ତକ ରଚନା କରିଥିଲେ କିନ୍ତୁ ଏହି ପୁସ୍ତକ ତାଙ୍କର କାଳ୍ପନିକ ଓ ବାସ୍ତବ ଭିତ୍ତିକ ଲେଖାର ସେତୁ ସ୍ୱର୍ଗତ ମିଶ୍ର ଉଭୟ ଭାଷା ଓ ଇଂରାଜୀରେ ପ୍ରାଞ୍ଜଳ ଭାବେ ଲେଖିପାରୁଥିବା ଜଣେ ଦ୍ୱେତ ଲେଖକ । ଯେମିତିକି ତାଙ୍କ ରଚନାରେ ଉଙ୍କି ମାରୁଥିବା ଉଭୟ ଚରିତ୍ର –ଯିଏ ଜଣେ ସାମାଜିକ ପରିବ୍ରାଜକ ଯିଏ ସର୍ବଦା ନିଜ ଭିତରେ ନିଜର ସତ୍ତା ଖୋଜିଥାଏ , ଅନ୍ୟଟି ଜଣେ ଯାଯାବର । ଯିଏ କେବଳ ଯାତ୍ରା କରେ ଅବିରାମ, ଅବିଶ୍ରାନ୍ତ ।

‘ଲେଟର୍ସ ଟୁ ଜୋରିନା’ ଏକ ଯୋଗସୂତ୍ର । ଯାହା ଆତ୍ମ ମନ୍ଥନର ମୁକ୍ତା ଗୁଡିକୁ ଯୋଡି ପାରିଛି –ଏହା ଏକାଧାରରେ ବ୍ୟକ୍ତିଗତ ସ୍ୱାଧୀନତା ଏବଂ ସାଂସ୍କୃତିକ ମିଳନର ମହାପ୍ରକଳ୍ପର ବାର୍ତ୍ତା ଦେଉଛି । ପ୍ରତିଷ୍ଠିତ ଶିକ୍ଷାବିତ୍ ଓ ଅନୁବାଦକ ପ୍ରଫେସର ଜତୀନ୍ଦ୍ର କୁମାର ନାୟକ ଏହି ଅବସରରେ ପ୍ରାରମ୍ଭିକ ଅଭିଭାଷଣରେ କହିଥିଲେ ‘ଓଡ଼ିଶାର ସାହିତ୍ୟ ଓ ସଂସ୍କୃତିକୁ ସ୍ୱର୍ଗତ ମିଶ୍ରଙ୍କ ଅବଦାନ ମୂଲ୍ୟବାନ୍ ଏବଂ ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ।

ସମାଜରେ ବଦଳୁଥିବ ପ୍ରତ୍ୟେକ ସମୟକୁ ପରଖି ପାରୁଥିବା ସ୍ୱର୍ଗତ ମିଶ୍ର ଜଣେ ଦକ୍ଷ ପର୍ଯ୍ୟବେକ୍ଷକ ଥିଲେ । ଏକଥା ତାଙ୍କ ରଚନାର ଅନେକ ଗୁରୁତ୍ୱପୁର୍ଣ୍ଣ ଅଂଶରୁ ବୁଝାପଡେ । ଶେଷରେ କଥାକାର ବିରାଜ ମୋହନ ଦାସ ଧନ୍ୟବାଦ ଜ୍ଞାପନ କରିଥିଲେ ।.. ..

Leave A Reply

Your email address will not be published.