ବଲାଙ୍ଗୀର: ବହୁଚର୍ଚ୍ଚିତ ବ୍ୟବସାୟୀ ନରେନ୍ଦ୍ର ସାହୁଙ୍କ ଅପହରଣ ମାମଲାରେ ଦିନକୁ ଦିନ ନୂଆ ରହସ୍ୟ ସାମ୍ନାକୁ ଆସୁଛି। ଏହି ଅପହରଣ ଘଟଣା ପଛରେ ଏବେ ଏକ ବଡ଼ ଧରଣର ଆର୍ଥିକ କାରବାର ତଥା ‘ହନୁମାନ ପଇସା’ ରହସ୍ୟ ଲୁଚି ରହିଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି। ରବିବାର ଦିନ ଉଭୟ ଅପହୃତ ବ୍ୟବସାୟୀ ଏବଂ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ସାମ୍ନାସାମ୍ନି ଜେରା କରିବା ପରେ ପୋଲିସ ହାତରେ ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି, ଯାହା ସମଗ୍ର ଘଟଣାକୁ ଏକ ନୂଆ ମୋଡ଼ ଦେଇଛି।
ଗତ କିଛି ଦିନ ତଳେ ଅପହରଣର ଶିକାର ହୋଇଥିବା ନରେନ୍ଦ୍ର ସାହୁଙ୍କୁ ପୋଲିସ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଥିଲା। ତେବେ ଉଭୟଙ୍କ ବୟାନରେ ତାଳମେଳ ନ ରହିବାରୁ ପୋଲିସର ସନ୍ଦେହ ବଢ଼ିଥିଲା। ଅଧିକ ଖୋଳତାଡ଼ କରିବା ପରେ ଜଣାପଡ଼ିଛି ଯେ, ଏହି ଅପହରଣ କୌଣସି ସାଧାରଣ ଘଟଣା ନୁହେଁ, ବରଂ ଏହା ପଛରେ ପ୍ରାୟ ୨.୭୦ କୋଟି ଟଙ୍କାର ଏକ ବିବାଦୀୟ କାରବାର ରହିଛି। ଗୋଟିଏ ପୁରାତନ ‘ହନୁମାନ କଏନ୍’ କିଣାବିକାକୁ କେନ୍ଦ୍ର କରି ଏହି ବିପୁଳ ପରିମାଣର ଟଙ୍କା ଦେଣନେଣ ହେବାର ଏକ ବଡ଼ ଡିଲ୍ ହୋଇଥିଲା। ମାତ୍ର କୌଣସି କାରଣରୁ ଏହି ଡିଲ୍ ଫେଲ୍ ମାରିବା କିମ୍ବା ଟଙ୍କା ନେଣଦେଣରେ ଆପୋଷ ବିବାଦ ଉପୁଜିବାରୁ ଶ୍ରୀ ସାହୁଙ୍କୁ ଅପହରଣ କରାଯାଇଥିବା ନେଇ ପୋଲିସ ଏବେ ପ୍ରାଥମିକ ସୁରାଗ ପାଇଛି।
ଏବେ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଏହି ୨.୭୦ କୋଟି ଟଙ୍କା ଏବଂ ହନୁମାନ ପଇସାର ପ୍ରକୃତ ସତ୍ୟତା ଜାଣିବା ପାଇଁ ତଦନ୍ତକୁ ଜୋରଦାର କରିଛି। ପ୍ରକୃତରେ ଏହି ହନୁମାନ କଏନ୍ କାହା ପାଖରେ ଥିଲା ଏବଂ କିଏ ଏହାକୁ କିଣିବାକୁ ଚାହୁଁଥିଲା, ସେ ନେଇ ଅଭିଯୁକ୍ତମାନଙ୍କୁ ପୁଙ୍ଖାନୁପୁଙ୍ଖ ପଚରାଉଚରା ଜାରି ରହିଛି । ବହୁମୂଲ୍ୟ ପୁରୁଣା ମୁଦ୍ରା ନାମରେ କୌଣସି ଆନ୍ତଃରାଜ୍ୟ ଠକେଇ ଗ୍ୟାଙ୍ଗ ଏଥିରେ ସମ୍ପୃକ୍ତ ଅଛନ୍ତି କି ନାହିଁ, ତାହାର ମଧ୍ୟ ଖୋଳତାଡ଼ ହେଉଛି। ଖୁବ୍ଶୀଘ୍ର ଏହି ଅପହରଣ ମାମଲାର ସବିଶେଷ ତଥ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି।
