Latest Odisha News

ଧର୍ମଶାଳାରେ ବେଆଇନ୍ ପଥର ଖଣି ଖନନ ମାମଲା, ବିଶେଷଜ୍ଞ ପ୍ୟାନେଲ ଦ୍ବାରା ତଦନ୍ତ କରିବାକୁ ଏନଜିଟିର ନିର୍ଦ୍ଦେଶ

କଟକ: ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ରହଦପୁରରେ ବେଆଇନ ପଥର ଖନନ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନ୍ ଜିଟି)ର ପୂର୍ବାଞ୍ଚଳ ଖଣ୍ଡପୀଠ। ଏଥିପାଇଁ ଗଠିତ ଏକ ବିଶେଷଜ୍ଞ ପ୍ୟାନେଲ ଏହି ମାମଲାର ତଦନ୍ତ କରିବ।

ନିଶ୍ଚିନ୍ତ ସଂରକ୍ଷିତ ଜଙ୍ଗଲ ନିକଟରେ ଦୁଇଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିକଟବର୍ତ୍ତୀ ଅଞ୍ଚଳରେ ଅଧିକ ଖଣି ଖନନ ହେଉଥିବା ଅଭିଯୋଗ କରି ସ୍ଥାନୀୟ ବାସିନ୍ଦାଙ୍କ ଆବେଦନର ଶୁଣାଣି କରି ବି ଅମିତ ଷ୍ଟାଲେକର (ନ୍ୟାୟିକ ସଦସ୍ୟ) ଏବଂ ଅରୁଣ କୁମାର ବର୍ମା (ବିଶେଷଜ୍ଞ ସଦସ୍ୟ)ଙ୍କୁ ନେଇ ଗଠିତ ଏନଜିଟି ଖଣ୍ଡପୀଠ ସୋମବାର ଏହି ନିର୍ଦ୍ଦେଶ ଦେଇଛନ୍ତି।

ପଥର ଖନନ ପାଇଁ ବେଆଇନ ଓ ନିରବଚ୍ଛିନ୍ନ ବିସ୍ଫୋରଣ କରିବା ହେତୁ ଘର, ରାସ୍ତା ଓ ଚାଷ ଜମିକୁ କ୍ଷତି ପହଞ୍ଚାଇବା ସହ ଭୂତଳ ଜଳକୁ ପ୍ରଦୂଷିତ କରୁଛି ବୋଲି ଆବେଦନକାରୀଙ୍କ ଓକିଲ ଶଙ୍କର ପ୍ରସାଦ ପାଣି ଅଭିଯୋଗ କରିଛନ୍ତି।

ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ରାଜ୍ୟ ପରିବେଶ ପ୍ରଭାବ ଆକଳନ କର୍ତ୍ତୃପକ୍ଷର ବରିଷ୍ଠ ବୈଜ୍ଞାନିକ, ଖଣି ଉପନିର୍ଦ୍ଦେଶକ (ଯାଜପୁର) ଓ ଜିଲ୍ଲାପାଳଙ୍କୁ ନେଇ ଗଠିତ ଏହି କମିଟି ଘଟଣାସ୍ଥଳ ଯାଞ୍ଚ କରି ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୬ ତାରିଖକୁ ଧାର୍ଯ୍ୟ କରାଯାଇଛି।

Comments are closed.