Latest Odisha News

BREAKING NEWS

କଟକରେ ଏନଆଇଏ ଟିମ୍; ପହଲଗାମ ଆକ୍ରମଣରୁ ବର୍ତ୍ତିଥିବା ଲୋକଙ୍କୁ ପଚରାଉଚରା

କଟକ: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ତଦନ୍ତ ଚଳାଇଥିବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)ର ତିନି ଜଣିଆ ଟିମ୍ ମଙ୍ଗଳବାର କଟକରେ ପହଞ୍ଚିଛନ୍ତି। ଏହି ମରଣାତ୍ମକ ଆକ୍ରମଣରୁ ବର୍ତ୍ତି ଯାଇଥିବା ଏକ ପରିବାରକୁ ପଚରାଉଚରା କରିଛନ୍ତି।

ବୈସାରଣ ଘାଟିରେ ଘଟିଥିବା ଏହି ଆକ୍ରମଣରେ ରଞ୍ଜିତ କୁମାର ଭୋଳ (୬୯), ତାଙ୍କ ପତ୍ନୀ ଶଶୀ କୁମାରୀ ନାୟକ (୬୫), ସାନ ପୁଅ ସନ୍ଦୀପ (୩୫) ଏବଂ ବୋହୂ ଲେଲିନା ଶୁଭଦର୍ଶିନୀ (୩୩) ଅଳ୍ପକେ ବର୍ତ୍ତି ଯାଇଥିଲେ।

ତେବେ ଏହି ପରିବାର ପୂର୍ବରୁ କହିଥିଲେ ଯେ ପ୍ରାୟ ୫ ଫୁଟ ଦୂରରେ ଥିବା ଏକ ଡ୍ରେସ ରାକ୍ ପଛରେ ଲୁଚି ରହିଥିଲା ବେଳେ ଦେଖିବାକୁ ପାଇଥିଲେ ଯେ ଆତଙ୍କବାଦୀ ମାନେ ତିନି ଜଣ ପର୍ଯ୍ୟଟକଙ୍କୁ ହିନ୍ଦୁ ବୋଲି ଜାଣିବା ପରେ ହତ୍ୟା କରିଥିଲେ।

ଏହି ପରିବାର ବୈସାରଣର ସୋନ୍ଦର୍ଯ୍ୟକୁ ଉପଭୋଗ କରୁଥିବାର ମାତ୍ର ୧୫ ମିନିଟ୍ ମଧ୍ୟରେ ଏହି ଘଟଣା ଘଟିଥିଲା। ତେବେ ସେମାନେ ଯେଉଁ ସମୟରେ ଫଟୋ କ୍ଲିକ୍ କରୁଥିଲେ ସେହି ସମୟରେ ପ୍ରଥମ ଗୁଳିର ଶବ୍ଦ ଶୁଣିଥିଲେ।

ଭୋଳ ପରିବାରକୁ ଏକ ଗୁରୁତ୍ୱପୂର୍ଣ୍ଣ ସାକ୍ଷୀ ଭାବେ ବିବେଚନା କରାଯାଇଥିବା ବେଳେ ସେହି ଆକ୍ରମଣ ସମୟରେ ଘାଟିରେ ସେମାନେ ନେଇଥିବା କୌଣସି ଭିଡିଓ ଫୁଟେଜ କିମ୍ବା ଫଟୋ ପାଇଁ ଏନଆଇଏ ଅନୁରୋଧ କରିଛି। ଯାହାଦ୍ଵାରା ସନ୍ଦିଗ୍ଧ  ଆକ୍ରମଣକାରୀଙ୍କୁ ଚିହ୍ନଟ କରିବାରେ ଓ ସେମାନଙ୍କ ଗତିବିଧିର ଆକଳନ କରିବାରେ ସହାୟକ ହୋଇପାରିବ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି।

ତେବେ ପୁଅ ସନ୍ଦୀପ ଏବଂ ଲେଲିନା ତାଙ୍କ ବିବାହ ବାର୍ଷିକୀ ପାଳନ କରିବାକୁ କାଶ୍ମୀର ଯାଇଥିଲେ। ସେମାନେ ଏହି ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇ ରକ୍ଷା ପାଇଯାଇଥିଲେ ଓ ମାଟି କାଦୁଆ ଜାଗା ଦେଇ ଖସି ପଳାଇ ଆସିବାକୁ ଚେଷ୍ଟା କରୁଥିବା  ସମୟରେ ଶଶି ଖସି ପଡ଼ିବାରୁ ତାଙ୍କ ଡାହାଣ ହାତ ଏବଂ ଗୋଡରେ ଫ୍ରାକ୍ଚର ହୋଇଯାଇଥିଲା। ଏସବୁ ମଧ୍ୟରେ ସେମାନେ ଶନିବାର ରାତିରେ କଟକରେ ପହଞ୍ଚିଥିଲେ।

ସେହିପରି ଗତ ଏପ୍ରିଲ ୨୬ ତାରିଖରେ ଏନଆଇଏ ଅଧିକାରୀମାନେ ତଦନ୍ତ ପାଇଁ ବାଲେଶ୍ୱରରେ ପ୍ରଶାନ୍ତ ସତପଥୀଙ୍କ ପତ୍ନୀଙ୍କୁ ପଚରାଉଚରା କରିଥିଲେ। ଯିଏକି ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁବରଣ କରିଥିଲେ।

 

Comments are closed.