ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ”
ବୈଷ୍ଣବୀୟ ଭାବଧାରାର ମନ୍ଦିର ଶିଖରରେ ରହିଥାଏ ଚକ୍ର । ଏହା ଶ୍ରୀବିଷ୍ଣୁଙ୍କ ଆୟୂଧ ସୁଦର୍ଶନ ଚକ୍ରର ପ୍ରତିରୂପ ବୋଲି ବିଶ୍ୱାସ କରାଯାଏ । ସେହିଭଳି ଶୈବ ମନ୍ଦିରରେ ଶିବଙ୍କ ଆୟୁଧ ତ୍ରିଶୂଳ ରହିଥାଏ । ଶ୍ରୀମନ୍ଦିର ଶିଖରରେ ଥିବା ଚକ୍ରକୁ ନୀଳଚକ୍ର କୁହାଯାଏ । ନୀଳଚକ୍ରର ଅନନ୍ୟ ନକ୍ସା କଳିଙ୍ଗ ପାରମ୍ପରିକ ଶିଳ୍ପ ଚାତୁରୀର ଏକ ଉତ୍କୃଷ୍ଟ ନିଦର୍ଶନ । ମୁଖ୍ୟତଃ ତମ୍ବା ସହିତ ଅନ୍ୟ ଧାତୁର ମିଶ୍ରଣରେ ଢଳେଇ ପ୍ରକ୍ରିୟାରେ ଏହି ଚକ୍ରର ଅଂଶଗୁଡ଼ିକ ନିର୍ମିତ ହେବାପରେ ୨୧୩ ଫୁଟ ଉଚ୍ଚ ମନ୍ଦିରର କଳସ ଉପରେ ଦୃଢ଼ ତଥା ସଳଖ ଭାବରେ ସ୍ଥାପନ କରିବାରେ ଶିଳ୍ପୀମାନଙ୍କ ଶୈଳ୍ପିକ ଦକ୍ଷତା ପ୍ରତିପାଦିତ ହୋଇଛି । ତମ୍ବା ଧାତୁ ସହିତ ସାମୁଦ୍ରିକ ପବନର ରସାୟନିକ ପ୍ରକ୍ରିୟାର ଫଳ ସ୍ୱରୂପ ଏହି ଚକ୍ରର ରଙ୍ଗ ନୀଳ ଦେଖାଯାଏ । କେତେ ଯୋଜନା, ପ୍ରାକ୍ ଅଙ୍କନ, ପ୍ରାକ୍ ପ୍ରସ୍ତୁତି, ପଣ୍ଡିତମାନଙ୍କ ଦ୍ୱାରା ଶାସ୍ତ୍ରୀୟତା ଆଧାରରେ ଅନୁମୋଦନ ଏବଂ ସର୍ବୋପରି ଗଜପତିଙ୍କ ସନ୍ତୁଷ୍ଟି ସହକାରେ ସଫଳ ହେଇନଥିବ ଏହି ନୀଳଚକ୍ରର ସ୍ଥାପନ !
ନୀଳଚକ୍ର ଓ ତତୋଃପର ପତିତପାବନ ବାନା ଶ୍ରୀମନ୍ଦିରର ସର୍ବଗ୍ରାହ୍ୟ ପରିଚିତି । ଦକ୍ଷିଣ ଦିଗରୁ ସମୁଦ୍ର ପ୍ରେରିତ ପବନରେ ସର୍ପିଳ ଗତିରେ ଫରଫର ଉଡ଼ି ମହାପ୍ରଭୁଙ୍କ ସ୍ତୃତିଗାନ କରେ, ଚଳମାନ ସଂସାରର ସ୍ଥିତି ଜାହିର କରେ ଆଉ ଭକ୍ତମାନଙ୍କ ମନରେ ବିଷ୍ଣୁପ୍ରେମର ଅଫୁରନ୍ତ ପୁଲକ ଭରିଦିଏ ଏହି ପତିତପାବନ ବାନା । ନୀଳଚକ୍ର ସ୍ଥିରତାର ପ୍ରତୀକ ଏବଂ ବାନା ସକ୍ରିୟତାର ନିଦର୍ଶନ, ଆଧ୍ୟାତ୍ମିକତାର ସମୁଚିତ ଉଦାହରଣ ।
ନୀଳଚକ୍ରର ଉଚ୍ଚତା ୧୧ ଫୁଟ ଆଠ ଇଞ୍ଚ । ପହି ବା ବଳୟର ବାହ୍ୟ ଗୋଲେଇ ଭିତର ବ୍ୟାସ ୭ ଫୁଟ ୬ ଇଞ୍ଚ । ବାହ୍ୟ ପରିଧି ୩୬ ଫୁଟ, ପହିର ଓସାର ପ୍ରାୟ ଦେଢ଼ ଫୁଟ । କେନ୍ଦ୍ର ବଳୟ ଓ ପହି ମଧ୍ୟରେ ଲାଗିଥିବା ଆଠଗୋଟି ଅରଗୁଡ଼ିକର ଲମ୍ବ ପ୍ରାୟ ଦୁଇ ଫୁଟ । ସମୁଦାୟ ଓଜନ ହାରାହାରି ୨୨୦୦ କେଜି । ଏହି ବିଶାଳକାୟ ସ୍ଥାପତ୍ୟର ନମୁନାକୁ ଦୃଢ଼ଭାବରେ ଦଧିନଉତିର ଉପରିଭାଗରେ ଥିବା ପିଷ୍ଟ ଉପରେ ଧରି ରଖିବା ପାଇଁ ଚକ୍ର ମଝିରେ ମେରୁ ରୂପକ ଧାତବ ଦଣ୍ଡ ପୋତି ହେଇ ରହିଛି । ଏହି ଦଣ୍ଡରେ ଚକ୍ରର ନକ୍ସା ଭଳି ଉପଦଣ୍ଡ ଲଗାଯାଇ ତହିଁରେ ଦୃଶମାନ ଆକାରରେ ଅଂଶସବୁ ପାରମ୍ପରିକ କାରିଗରୀ କୌଶଳରେ ଦୃଢ଼ ଭାବରେ ଖଞ୍ଚାଯାଇଛି । ବଳୟ ସଦୃଶ୍ୟ ପହିଟି ଦୁଇଫାଳରେ ଢଳେଇ ହେଇ ସେଥିରେ ମଧ୍ୟଭାଗରେ ଅରଗୁଡ଼ିକ ଭୁଞ୍ଚା ଯାଇ ପହିର ପୃଷ୍ଠଭାଗରେ କ୍ଳାମ୍ପ ସାହାଯ୍ୟରେ ଦୃଢ଼ୀଭୂତ କରାଯାଇଛି । ସେହିପରି ପହିର ଦୁଇପାଶ୍ୱର୍ର ବାହାରେ ମଗର ମୁଣ୍ଡ ସଦୃଶ୍ୟ ଆଠଗୋଟି କଳାତ୍ମକ ଶିଖା ନୀଳଚକ୍ରର ଶୋଭାବର୍ଦ୍ଧନ କରିଥାଏ । ଭାବର ଦୃଷ୍ଟିରେ ଦେଖିରେ ଲାଗେ ସତେ ଯେମିତି ଗର୍ଭଗୃହରୁ ଉଦ୍ବୃତ୍ତ କିଛି ଦିବ୍ୟଶକ୍ତି ପାଷାଣର ସ୍ତର ଅତିକ୍ରମ କରି ଉର୍ଦ୍ଧ୍ୱକୁ ଉଠି ଏହି ଶିଖାଗୁଡ଼ିକର ଜ୍ୱଳନ୍ତ ରୂପ ମାଧ୍ୟମରେ ପୁଣି ଶିଖରରେ ଥିବା ପତ୍ରି ସାହାଯ୍ୟରେ ଉର୍ଦ୍ଧ୍ୱଗାମୀ ହୋଇ ଅନ୍ତରୀକ୍ଷରେ ମିିଶିଯାଉଛି ।
ନୀଳଚକ୍ରର ଆକୃତି ଏବଂ ତତ୍ସହିତ ପବନରେ ଦୋଳାୟମାନ ପତିତପାବନ ବାନା ଉଭୟ ଏକତ୍ର ଶ୍ରୀମନ୍ଦିରର ଆଧ୍ୟାତ୍ମିକ ଆକର୍ଷଣକୁ ବହୁଗୁଣି କରିଥାନ୍ତି । ରତ୍ନସିଂହାସନରେ ଚତୁର୍ଦ୍ଧାମୂତ୍ତିଙ୍କୁ ଦର୍ଶନ କରିବା ପାଇଁ ସବୁବେଳେ ସମସ୍ତଙ୍କୁ ସୁଯୋଗ ମିଳେ ନାହିଁ । ଯେଉଁମାନେ ଦର୍ଶନରୁ ବଞ୍ôଚତ ହୁଅନ୍ତି ସେମାନେ ସିଂହଦ୍ୱାର ଗୁମୁଟରେ ପୂଜିତ ପତିତପାବନଙ୍କ ଚିତ୍ର ବିଗ୍ରହ ଓ ଶ୍ରୀମନ୍ଦିର ଶିଖରର ନୀଳଚକ୍ର ସହିତ ଦିବ୍ୟ ଧ୍ୱଜାର ଦର୍ଶନରେ ସନ୍ତୁଷ୍ଟ ହୁଅନ୍ତି । ପୁରୀକୁ ଆସୁଥିବା ଯାତ୍ରୀମାନେ ବହୁଦୂରରୁ ଶ୍ରୀମନ୍ଦିରର ଚୂଡ଼ା ଦର୍ଶନ କରି ଦଣ୍ଡବତ ହୁଅନ୍ତି, କୃତାର୍ଥ ଲଭନ୍ତି । ସେହିଠାରୁ ତାଙ୍କର କ୍ଷେତ୍ର ପ୍ରବେଶ ଆରମ୍ଭ ହୁଏ ।
ଶ୍ରୀଜଗନ୍ନାଥଙ୍କ ବିକଳ୍ପ ଭାବେ ଉଭା ହୋଇଛନ୍ତି ଏହି ଦିବ୍ୟଚକ୍ର ଆଉ ଧ୍ୱଜା । ବାସଗୃହର ଛାତ ଉପରୁ ଅବା ଘର ଭିତରୁ ଗବାକ୍ଷ ବାଟେ ଦର୍ଶନ କରିବା ପୁରୀଆଙ୍କ ଏକ ଅଭିଳଷିତ ଆଶା । ବିିଭିନ୍ନ ହୋଟେଲ ବା ଧର୍ମଶାଳାର ପ୍ରକୋଷ୍ଠରୁ ନୀଳଚକ୍ରର ଦର୍ଶନ ମିଳିଲେ ତାହା ଯାତ୍ରୀମାନଙ୍କ ପାଇଁ ଅତିରିକ୍ତ ସୁବିଧା ବୋଲି ବୁଝାଯାଏ । ଶ୍ରୀମନ୍ଦିରର ଚତୁଃପାଶ୍ୱର୍ରେ ଥିବା ଅନେକ ମଠର ମହନ୍ତମାନଙ୍କର ଆସ୍ଥନମାନ ଯୋଜନାବଦ୍ଧ ଭାବରେ ନୀଳଚକ୍ର ଦର୍ଶନକୁ ଲକ୍ଷ୍ୟରଖି ନିର୍ମାଣ କରାଯାଇଥିବାର ଜଣାଯାଏ ଯାହା ଏବେ ବିପନ୍ନପ୍ରାୟ । ଦୂରରେ ଥାଇ ବ୍ରାହ୍ମଣ ଜଣେ ହାତରେ ନୈବେଦ୍ୟ ଧରି ନୀଳଚକ୍ରକୁ ଚାହିଁ ଉତ୍ସର୍ଗ କରିଦେଲେ ତାହା ଭୋଗ ହେଇଯାଏ । ଏହି ଭୋଗକୁ ଚକ୍ର ମଣୋହି କୁହାଯାଏ ।
ମାଦଳା ପାଞ୍ଜି ଅନୁସାରେ ଭୋଇ ବଂଶର ରାମଚନ୍ଦ୍ର ଦେବ୧ମ ଙ୍କ ସମୟରେ ଦାମୋଦର ଚମ୍ପତ୍ତିରାୟ ଓ ପୁଣି ଦିବ୍ୟସିଂହ ଦେବ (୧୬୮୮ – ୧୭୧୬)ଙ୍କ ନବମ ଅଙ୍କରେ ବାତ୍ୟାରେ ଖସି ପଡ଼ିଥିଲା । ଭଣ୍ଡ ଗଣପତିଙ୍କ ଆଗରେ ପଡ଼ିଥିବା ନୂଆ ଚକ୍ର ଧରମୁ ହରିଚନ୍ଦନ ମହାପାତ୍ରଙ୍କ ଦ୍ୱାରା ସ୍ଥାପନ ହୋଇଥିଲା (ସ୍ରୋତ – ପୁରୀବୋଲି), ସେତେବେଳେ ଅବଶ୍ୟ ଏହି ନୀଳଚକ୍ରର କିଛି ମରାମତି କାର୍ଯ୍ୟ କରାଯାଇଥିବ ଏବଂ ଭବିଷ୍ୟତରେ ଏପରି ଦଶା ନ ଆସିବା ପାଇଁ ଦୃଢ଼ତା ଉପରେ ଗୁରୁତ୍ୱ ଦିଆଯାଇଥିବ । ଧାତବ ଚକ୍ରର ବିଭିନ୍ନ ଅଂଶରେ କିଛି ଖୋଦେଇ କାରୁକାର୍ଯ୍ୟ ରହିଅଛି । ତତ୍ସହିତ ବାଉରୀ ମହାରଣା, ପଥୁରିଆ ସାହି ଏହାର ନିର୍ମାତା ବୋଲି ଉଲ୍ଲେଖ ଅଛି, ଅବଶ୍ୟ ଲେଖାଟି ଅସ୍ପଷ୍ଟ । ଏ ବିଷୟ ସ୍ୱର୍ଗତ ଗବେଷକ ଶରତ ଚନ୍ଦ୍ର ମହାପାତ୍ରଙ୍କ ଲିଖିତ ଏକ ଆଲେଖ୍ୟରେ ରହିଛି । ମହାରାଜା ଇନ୍ଦ୍ରଦ୍ୟୁମ୍ନ ସିନା ମନ୍ଦିର ତୋଳେଇ କେଉଁଠାରେ ନିଜ ନାମ ଉଲ୍ଲେଖ କରିନାହାଁନ୍ତି ମାତ୍ର ଆମ ଶିଳ୍ପୀମାନେ ସେ କଥା ଗ୍ରହଣ କରିନାହାନ୍ତି । ବିଡ଼ମ୍ବନା ନୀଳଚକ୍ର ପୃଷ୍ଠରେ ଥିବା ଏହି ଲେଖା ସାଧାରଣ ଲୋକଙ୍କ ଦୃଷ୍ଟିକୁ ଆସେ ନାହିଁ ।
ପଥୁରିଆ ସାହିର ଜଣେ ଶିଳ୍ପୀ ତାଙ୍କ ଜେଜେବାପାଙ୍କଠାରୁ ଶୁଣିଥିବା କଥା ଏହିପରି – ଝଡ଼ ତୋଫାନ ବେଳେ ପବନ ମାଡ଼ରେ ନୀଳଚକ୍ର ଖସିପଡ଼ିଥିଲା । ଚକ୍ରକୁ ପୁନଃସ୍ଥାପନ କରିବା ପାଇଁ ପଥୁରିଆ ସାହିର କିଛି ଶିଳ୍ପୀ ସମ୍ପୃକ୍ତ ଥିଲେ । ସେଥିପାଇଁ ମନ୍ଦିରର ଅଁଳା ବେଢ଼ା ଉପର ଚକଡ଼ାର କମାରମାନେ ଶାଳ ଲଗାଇ ସେହି ମରାମତି କାମ କରିଥିଲେ । କାରଣ ଧାତୁ ନିଆଁରେ ପଡ଼ି ପାଚିଥିବା ବେଳେ ତାହାକୁ ପିଟି କାମ କରାଯାଇଥାଏ ।
ଶ୍ରୀମନ୍ଦିର ନୀତିକାନ୍ତି ସହିତ ନୀଳଚକ୍ର ତଥା ପତିତପାବନ ବାନାର ସମ୍ପର୍କ ଅଭେଦ୍ୟ । ବାନା ପବନରେ ଚିରି ଉଡ଼ିଗଲେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଭୋଗ ପୂଜା ହେଇପାରେ ନାହିଁ । ବାନା ବିନା ନୀଳଚକ୍ର ଓ ଶ୍ରୀମନ୍ଦିର ସାମୟିକ ଭାବରେ ଶ୍ରୀହୀନ ଦେଖାଯାଏ । ସବୁ ନୀତିକାନ୍ତି ଅଟକି ରହେ ପୁଣି ନୂଆ ବାନା ଲାଗିବା ପର୍ଯ୍ୟନ୍ତ । ସବୁଦିନ ଅପରାହ୍ନରେ ଏହି ବାନା ଚୂନରା ସେବକଙ୍କ ଦ୍ୱାରା ବଦଳାଯାଏ । ନୀଳଚକ୍ର ମଝିରେ ଉର୍ଦ୍ଧ୍ୱମୁଖା ବାଉଁଶରେ ଏକ ମୁଖ୍ୟବାନା ସହିତ ମାଳ ଆକାରରେ ଯଜମାନଙ୍କର ଅନେକ ବାନା ଲାଗିପାରେ । ଶ୍ରୀମନ୍ଦିର ଚୂଡ଼ାରେ ଲାଗୁଥିବା ବାନା ସାଧାରଣତଃ ନାଲି, ହଳଦିଆ ବା ଧଳା ରଙ୍ଗର ହୋଇଥାଏ । ମଝିରେ ଚନ୍ଦ୍ରବିନ୍ଦୁ ଚିହ୍ନ ରହି ଆଗରେ ଏକ ଫୁଲି ଲାଗିଥାଏ । ୧୧୨ ହାତ ଲମ୍ବ ‘ପାଦୁକଶୋଷା’ ବାନା ସବୁଠାରୁ ଦୀର୍ଘ । ଏହା ନୀଳଚକ୍ର ଉପରୁ ପାଟ ଅଗଣାରେ ଥିବା ପାଦୁକ କୁଣ୍ଡଯାଏଁ ଲମ୍ବିଥାଏ । ଶେଷରେ ଥିବା ଫୁଲିଟିକୁ ପାଦୁକ କୁଣ୍ଡରେ ବୁଡ଼ାଇ ଯଜମାନ ସଂକଳ୍ପ କରିଥାନ୍ତି ।
ଏହି ବାନା ବାନ୍ଧିବାର କାଇଦା ସ୍ୱତନ୍ତ୍ର । ଏବେ ଏହି ବାନା ବିଶେଷ ବନ୍ଧା ଯାଉନାହିଁ । ବାନାର ଲମ୍ବ, ପର୍ଯ୍ୟାୟକ୍ରମେ କମିଯାଇ ଏବେ ସର୍ବାଧିକ ୧୪ ହାତ ଲମ୍ବ ବାନା ବନ୍ଧାଯାଉଛି । ଏହି ବାନା ବନ୍ଧା ସେବା ଏକ ସାହସିକ ଓ ସମର୍ପିତ ସେବା । ଅଣ୍ଟାରେ ବାନାର ବୁଜୁଳା ବାନ୍ଧି ମନ୍ଦିର ବାଡ଼ରେ ପିଠି ଲଗାଇ ନୀଳଚକ୍ର ଉପରେ ଥିବା ଚଉଦ ହାତ ଲମ୍ବର ବାଉଁଶରେ ଅତ୍ୟନ୍ତ ସତର୍କତାର ସହିତ ମହାପ୍ରଭୁଙ୍କୁ ସ୍ମରଣ କରି ଏହି ସେବା କରାଯାଏ । ଏଣୁ ଏହି ସେବାର ବିକଳ୍ପ ନାହିଁ । ମହାପ୍ରଭୁଙ୍କ ଅପାର କରୁଣାରୁ କେବେ କୌଣସି ତ୍ରୁଟି ବିଚ୍ୟୁତି ବା ଅଘଟଣ ଘଟିବା ନଜିର ନାହିଁ ।
ନୀଳଚକ୍ର ବା ପତିତପାବନ ବାନାକୁ କେନ୍ଦ୍ରକରି ଭାବବିହ୍ୱିଳିତ କାବ୍ୟିକ କୃତି ଉପରେ ଦୃଷ୍ଟି ଦେଲେ ଜଣାଯାଏ ଆମ ସାହିତ୍ୟରେ ଅନେକ ଗୀତ/ଭଜନ ଲେଖାଯାଇଛି । ଭକ୍ତି ରସର ଉଚ୍ଛ୍ୱାସରେ ଆଉଟି ହେଇ ଭକ୍ତକବିମାନେ ନିଜ ଅନ୍ତରର ଭାବକୁ ଭାଷାରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିବେଦିତ କରିଛନ୍ତି । କବି ଗୌର ଚରଣ ଅଧିକାରୀଙ୍କ ଭାଷାରେ ତଥା ଗୁରୁ ପ୍ରଫୁଲ୍ଲ କରଙ୍କ କଣ୍ଠରେ :
ନୀଳଚକ୍ର ହୋ ଦେଖ ଉଡ଼ୁଛି ବାନା, ପତିତପାବନ ନାମଟି ଯାର ନାଁ…
ଆସ ଆସ ବୋଲି ପାତକମାନଙ୍କୁ
ଡାକୁଅଛି ପରା ସଙ୍ଗାତ ଅନା,
ନେତ ଧ୍ୱଜବର ଉଡ଼ି ଫରଫର ଉଡ଼ାଇ ଦେଉଛି ଭବ ଯାତନା ।”
କବି ନିତ୍ୟାନନ୍ଦ ଅଭିଯୋଗ କରିଛନ୍ତି –
ପତିତଜନଙ୍କୁ ଉଦ୍ଧାରିବା ପାଇଁ ଉଡ଼ାଉଅଛ ପତାକା
ବାହୁ ଟେକି ତୁମେ ବସି ଚାହୁଁ ଚାହୁଁ
ବିପତ୍ତି ପାରୁଛି ଡକା, ମହାପ୍ରଭୁ ହେ…
କବିସୂର୍ଯ୍ୟ ବଳଦେବ ରଥ ଅଭମାନରେ ପ୍ରକାଶ କରିଛନ୍ତି –
ସମଦୃଷ୍ଟି ପତାକା ଉଡ଼ାଇ ଏ ପାତର ଅନ୍ତର ନୀତି କିଆଁ?
କ୍ଷୀରମୟ ସିନ୍ଧୁ ଜେମା ପ୍ରାଣବନ୍ଧୁ ତୁମ୍ଭେ ତ ଜଗତପତି
ଟେକି ସମଦୃଷ୍ଟି ପତାକାକୁ ପୁଣି ଏକ ପକ୍ଷପାତ ରୀତି
ହେ ମହାପ୍ରଭୁ !
କେ କି କଲା ମୁଁ ନ କଲି
କେ କି ଦେଲା ଅବା, ମୁଁ ଅବା ନ ଦେବା
ଘେନି ଏତେ ସରି ହେଲି
କବିସୂର୍ଯ୍ୟଙ୍କ ଏହି ଜଗନ୍ନାଥ ଜଣାଣ – ବ୍ୟାଜସ୍ତୃତି, କପଟ ଭର୍ତ୍ସନା । ଶେଷରେ
ସେ ଜଣାନ୍ତି –
“ସବୁ ତୁମ୍ଭ ଇଛା ସିନା /ରଖ ବା ନରଖ ମୋହର ଗତି ତ ପତିତପାବନ ବାନା”
ରାଜା ବୀର କେଶରୀ ଦେବ ଘୋର ନୈରାଶ୍ୟରେ ହାତ ଟେକି ଜଣାଇଛନ୍ତି –
“ପତିିିତପାବନ ବାନା ଆଉ କେତେବେଳକୁ
ଭାସିଗଲି ଭବଜଳେ ନାବ ଦିଅ କୂଳକୁ ।”
ଆହୁରି ଅନେକ ବିଦଗ୍ଧ କବି ନୀଳଚକ୍ର ଓ ପତିତପାବନ ବାନାକୁ ନିଜର
ସାରସ୍ୱତ କୃତି ମାଧ୍ୟମରେ ପ୍ରଣତି ଜଣାଇଛନ୍ତି ।
ବିଂଶ ଶତାବ୍ଦୀର କବି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଲେଖିଛନ୍ତି –
“ସବୁଥିରୁ ବଞ୍ଚିତ କରି କେଉଁ ଯଶବାନା ଉଡ଼ାଇବ ହେ…”
ଆହୁରି ଅନେକ ବିଦଗ୍ଧ କବିଙ୍କ ଲେଖନୀରେ ନୀଳଚକ୍ର ଓ ପତିତପାବନ ବାନାର
ମହିମା ମଧ୍ୟ ଭାବର ଭାଷାରେ ପ୍ରକାଶ ପାଇଛି ।
କୁଣ୍ଢେଇବେଣ୍ଟ ସାହି, ପୁରୀ
ମୋ- ୯୪୩୭୧୬୬୩୬୯
Comments are closed.