Latest Odisha News

BREAKING NEWS

ବିଜେଡି ଛାଡିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ

ବାଲେଶ୍ୱର : ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ଚୟନକୁ ନେଇ ଶାସକ ଦଳ ବିଜେଡି ଉପରେ ଅସନ୍ତୋଷ ପ୍ରକାଶ କରି ନୀଳଗିରି ବିଧାୟକ ସୁକାନ୍ତ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି ।

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଶୁକ୍ରବାର ଦିନ ସେ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ।

ସେ ଇସ୍ତଫା ଦେବା ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଦଳ ମୋତେ ଅଣଦେଖା କରିଛି ଏବଂ ବାଲେଶ୍ୱର ଜିଲ୍ଲା ଅଧ୍ୟକ୍ଷଙ୍କ ଦ୍ୱାରା ମୋ ବିରୋଧରେ ଷଡଯନ୍ତ୍ର କରାଯାଇଛି । ଆହୁରି ମଧ୍ୟ ସେ କହିଛନ୍ତି ଯେ ଜିଲ୍ଲା ଅଧ୍ୟକ୍ଷଙ୍କ ଦ୍ୱାରା ଅନୁଷ୍ଠିତ କରାଯାଇଥିବା ବୈଠକରେ ମୋତେ ଆମନ୍ତ୍ରିତ କରାଯାଇନଥିଲା ।

ବିଜେପି ଛାଡି ଶାସକ ଦଳ ବିଜେଡିରେ ସାମିଲ ହୋଇଥିବା ସୁଷମା ବିଶ୍ୱାଳଙ୍କୁ ଦଳ ଆଗାମୀ ନିର୍ବାଚନରେ ନୀଳଗିରିରୁ ଟିକେଟ୍ ଦେଇ ମଇଦାନକୁ ଓହ୍ଲାଇବା ସମ୍ଭାବନା ରହିଥିବାରୁ ସୁକାନ୍ତ ଇସ୍ତଫା ପ୍ରଦାନ କରିଥିବା ନେଇ ରାଜନୈତିକ ସୁତ୍ରରୁ ପ୍ରକାଶ ।

ଉଲ୍ଲେଖଯୋଗ୍ୟ ଗୁରୁବାର ଦିନ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ଦଳ ତାଙ୍କ ପ୍ରତି ଘୋର ଉଦାସୀନ ମନୋଭାବ ରଖିଥିବା ଦର୍ଶାଇ ବିଜେଡିରୁ ଇସ୍ତଫା ଦେଇଥିଲେ । ଆହୁରି ମଧ୍ୟ ଏଥର ନବରଙ୍ଗପୁର ଲୋକସଭା ଆସନରୁ ଅନୁସୂଚିତ ଜାତି ତଥା ଜନଜାତି ବିକାଶ ମନ୍ତ୍ରୀ ରମେଶ ମାଝିଙ୍କୁ ଟିକଟ ଦେବା ପାଇଁ ଦଳ ମନସ୍ଥ କରିଥିବାରୁ ସେ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ନେଇ ମଧ୍ୟ ରାଜନୈତିକ ମହଲରେ ଆଲୋଚନା ହେଉଛି ।

Leave A Reply

Your email address will not be published.