Latest Odisha News

BREAKING NEWS

ନୀଳଗିରି ବିଧାନସଭା: ଆନୁଗତ୍ୟ ନା ଆମଦାନୀ ନେତା କାହାକୁ ଭରସା କରିବ ବିଜେଡି?

ଭୁବନେଶ୍ୱର: ଏହି ଗୁରୁତ୍ୱପୂର୍ଣ୍ଣ ଆସନ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନଥିବାରୁ ଏବେ ସମସ୍ତଙ୍କ ନଜର ନୀଳଗିରି ବିଧାନସଭା ନିର୍ବାଚନମଣ୍ଡଳୀ ଉପରେ ରହିଛି। ପ୍ରାର୍ଥୀଙ୍କ ନାମ ଘୋଷଣା ବିଳମ୍ବ ହୋଇଥିବା ଯୋଗୁଁ ତିନି ଦଳର ଆଶାୟୀ ରାଜନେତାମାନେ ଅନିଶ୍ଚିତତା ଭିତରେ ପଡିଛନ୍ତି।

ନୀଳଗିରି ଟିକେଟ ପାଇଁ ଦୁଇ ନେତା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଶାସକ ଦଳ ବିଜୁ ଜନତା ଦଳରୁ। ଗତ ନିର୍ବାଚନରେ ପ୍ରାର୍ଥୀ ସନ୍ତୋଷ ଖଟୁଆ ଓ ବର୍ତ୍ତମାନର ବିଧାୟକ ସୁକାନ୍ତ ନାୟକଙ୍କ ମଧ୍ୟରୁ ଦଳ କାହାକୁ ହେଉ ଜଣଙ୍କୁ ଟିକେଟ୍ ଦେବ। ସୁକାନ୍ତ ନାୟକଙ୍କ ରାଜନୈତିକ ଯାତ୍ରା ବେଶ୍ ଚମତ୍କାର । କାରଣ ସେ ୨୦୧୪ରେ ବିଜେଡି ଟିକେଟରେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ, ପରେ ୨୦୧୯ ନିର୍ବାଚନ ପାଇଁ ବିଜେପିରେ ଯୋଗ ଦେଇ ବିଧାୟକ ହେଲେ। ଏବେ ୨୦୨୪ ନିର୍ବାଚନ ପୂର୍ବରୁ ସେ ପୁଣି ଥରେ ବିଜେଡିରେ ଯୋଗ ଦେଇଛନ୍ତି।

ବିଜେଡି ସୁକାନ୍ତ ନାୟକଙ୍କୁ ପ୍ରାର୍ଥୀ କଲେ ସନ୍ତୋଷ ଖଟୁଆ ଗୋଷ୍ଠୀ ଚିନ୍ତା ବଢ଼ାଇପାରେ। ଦଳ ଏବେ ଉତ୍ତମ ବିକଳ୍ପ ନିର୍ଦ୍ଧାରଣ ପାଇଁ ବିରୋଧୀ ଶିବିର ବିଜେପି ସହିତ ଯୋଗାଯୋଗରେ ରହିଛି। ଯାହା ବର୍ତ୍ତମାନର ସସ୍ପେନ୍ସକୁ ଆହୁରି ବଢାଇ ଦେଇଛି। କିନ୍ତୁ ସୁକାନ୍ତଙ୍କୁ ଯଦି ନଦେବେ ସେ ମଧ୍ୟ ବିଦ୍ରୋହ କରିବାର ସମ୍ଭାବନା ରହିଛି। କାରଣ ସେ ଟିକେଟ୍ ପାଇବେ ବୋଲି ପ୍ରତିଶ୍ରୁତି ପାଇବା ପରେ ଦଳ ପରିବର୍ତ୍ତନ କରିଥିବା କୁହାଯାଉଛି।

ଏହି ଅନିଶ୍ଚିତତା କାରଣରୁ ସୁକାନ୍ତ ନାୟକ କିମ୍ବା ସନ୍ତୋଷ ଖଟୁଆ କେହି ବି ପୂର୍ଣ୍ଣାଙ୍ଗ ପ୍ରଚାର ଆରମ୍ଭ କରିନାହାନ୍ତି।

ସେପଟେ ବିଜେପି ଟିକେଟ ପାଇଁ ଆଶାବାଦୀ ତାପସ ନାୟକ ମଧ୍ୟ ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି । ଦଳର ଆନୁଷ୍ଠାନିକ ପ୍ରାର୍ଥୀ ଘୋଷଣା ବିନା ସେ ପ୍ରଚାର ଆରମ୍ଭ କରିପାରିବେ ନାହିଁ। ସେହିପରି କଂଗ୍ରେସ ଆଶାୟୀ ଅକ୍ଷୟ ଆଚାର୍ଯ୍ୟ ଦଳୀୟ ନେତାମାନେ ପ୍ରାର୍ଥୀ ଚୟନ ଚୂଡ଼ାନ୍ତ କରିବାକୁ ଅପେକ୍ଷା କରିଛନ୍ତି।

ବିଜେପି, ବିଜେଡି ଓ କଂଗ୍ରେସ ଯଥାକ୍ରମେ  ୧୪୪, ୧୪୦ ଓ ୧୪୫ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ରାଜନୈତିକ ବୟାନବାଜି ସରଗରମ ରହିଥିବା ବେଳେ ନୀଳଗିରି ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଘୋଷଣାକୁ ଅପେକ୍ଷା କରିଛି।

Leave A Reply

Your email address will not be published.