ନିଶ୍ଚନ୍ତକୋଇଲି: ରାସ୍ତାକଡରେ ଛଟପଟ ହେଉଥିଲେ । ଆକୁଳ ଚିତ୍କାର କରୁଥିଲେ । ହେଲେ କାହା କାନରେ ବାଜୁ ନ ଥିଲା ତାଙ୍କର ସେ ବିକଳ କାନ୍ଦ । ସମସ୍ତେ ଦେଖୁଥାନ୍ତି, ହେଲେ ମୁହଁ ବୁଲାଇ ଚାଲି ଯାଉଥାନ୍ତି । ଶରୀର ଯନ୍ତ୍ରଣାଠାରୁ ଏ ଅମାନବୀୟ ବ୍ୟବହାର ତାଙ୍କୁ ଅଧିକ ଯନ୍ତ୍ରଣା ଦେଉଥିଲା । ଏହି ସମୟରେ ଦେବଦୂତ ପରି ଜଣେ ପୋଲିସ ଆସିଲେ ଆଉ ସହାୟତାର ହାତ ବଢାଇଲେ । ତାଙ୍କୁ ଡାକ୍ତରଖାନା ନେଇଗଲେ । ଯେଉଁଠି ବ୍ୟବହାର ପାଇଁ ପୋଲିସ ପୋଷାକରେ କଳଙ୍କର ଦାଗ ଲାଗିଯାଇଛି ସେଠି ପୋଲିସଙ୍କ ଏପରି ମହନୀୟ କାମକୁ ସବୁଆଡେ ପ୍ରଶଂସା କରାଯାଉଛି ।
ଏମିତି ଏକ ଘଟଣା ଘଟିଛି କଟକ-ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ବସ ଷ୍ଟାଣ୍ଡ ନିକଟରେ । ଅପରାହ୍ନ ୨ଟା ସମୟରେ ନେମାଳ ଥାନା ବ୍ରାହ୍ମଣଖଣ୍ଡ ଗାଁର ୫୭ବର୍ଷୀୟ ପବିତ୍ର ମୋହନ ସ୍ୱାଇଁ ନିଜର ବାଇକ ଧରି ଠିଆ ହୋଇଥିଲେ । ଏହି ସମୟରେ ନିଶ୍ଚିନ୍ତକୋଇଲି ଥାନା ସରପଡା ଗାଁ ର ୨୮ବର୍ଷୀୟ ରଞ୍ଜିତ ଖୁଣ୍ଟିଆ ବାଇକରେ ଦ୍ରୁତ ଗତିରେ ଗାଡ଼ିରେ ଆସି ତାଙ୍କୁ ଧକ୍କା ଦେଇଥିଲେ ।
ଗୁରୁତର ଭାବେ ଉଭୟ ପବିତ୍ର ଏବଂ ରଞ୍ଜିତ ଆହତ ହୋଇ ରାସ୍ତା ଉପରେ ପଡ଼ି ଚିତ୍କାର କରୁଥାନ୍ତି । ହେଲେ ରାସ୍ତା ଉପରେ ଠିଆ ହୋଇ ଅନେକ ଲୋକ ଦେଖୁଥାନ୍ତି କିନ୍ତୁ ମେଡିକାଲ ନେବା ପାଇଁ କେହି ଆଗେଇ ଆସିଲେନି । ସତେ ଯେମିତି କାହା ପାଖରେ ସମୟ ନାହିଁ, ଇଚ୍ଛା ବି ନାହିଁ ।
ଏହି ସମୟରେ ରାସ୍ତାରେ ପେଟ୍ରୋଲିଂ କରୁଥିବା ନିଶ୍ଚିନ୍ତକୋଇଲି ଥାନାର ASI କୁନାଲ ସାମଲ ଏବଂ ଅନ୍ୟ ପୋଲିସ କର୍ମଚାରୀ ପହଞ୍ଚିଥିଲେ । ସେମାନେ ଆସି ନିଜ ଗାଡିରେ ଆହତଙ୍କୁ ଡାକ୍ତରଖାନକୁ ନେଇଯାଇ ଥିଲେ । ନିଶ୍ଚିନ୍ତକୋଇଲି ପୋଲିସର ଏଭଳି ମହତ କାର୍ଯ୍ୟ ପାଇଁ ବିଭିନ୍ନ ମହଲ ରୁ ପ୍ରଶଂସା ସୁଅ ଛୁଟୁଛି । ସମସ୍ତେ କହୁଛନ୍ତି ପୋଲିସ ହେବ ତ ଏମିତି ।
Comments are closed.