ଭୁବନେଶ୍ୱର: ନୀତି ଆୟୋଗଙ୍କ ଦ୍ୱାରା ପ୍ରକାଶ ପାଇଥିବା ‘ନ୍ୟାସନାଲ ମଲ୍ଟି ଡାଇମେନ୍ସନାଲ ପଭର୍ଟି ଇଣ୍ଡେକ୍ସ ପ୍ରୋଗ୍ରେସ ରିପୋର୍ଟ-୨୦୨୩’କୁ ନେଇ ଓଡିଶାରେ ବିଜେପି, ବିଜେଡି ଓ କଂଗ୍ରେସ ଦଳ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି।
ଦାରିଦ୍ର୍ୟ ହ୍ରାସରେ କେନ୍ଦ୍ର ବଡ଼ ସଫଳତା ହାସଲ କରିଥିବା ବିଜେପି ଦାବି କରୁଥିବା ବେଳେ ବିଜେଡି କହୁଛି ସାମାଜିକ-ଅର୍ଥନୈତିକ କ୍ଷେତ୍ରରେ ଓଡ଼ିଶା ଦ୍ରୁତ ଗତିରେ ଆଗକୁ ବଢ଼ିଛି। ଅପରପକ୍ଷରେ ଉଭୟ ଦଳ ମିଥ୍ୟା ପ୍ରଚାର କରୁଥିବା କଂଗ୍ରେସ ଅଭିଯୋଗ କରିଛି।
ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି ଯେ, ଗତ ୫ ବର୍ଷ ମଧ୍ୟରେ ଭାରତ ପ୍ରାୟ ୧୩.୫ କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ଉଦ୍ଧାର କରିଛି। ଏହି ସମୟରେ ଦେଶର ଜନସଂଖ୍ୟାର ୨୪.୮୫ ପ୍ରତିଶତରୁ ଦାରିଦ୍ର୍ୟ ହାର ୧୪.୯୬ ପ୍ରତିଶତକୁ ହ୍ରାସ ପାଇଛି । ଏଥିସକାଶେ ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ ଭାରତ ମିଶନ, ଜଳ ଜୀବନ ମିଶନ, ପୋଷଣ ଅଭିଯାନ, ସମଗ୍ର ଶିକ୍ଷା, ସୌଭାଗ୍ୟ, ଉଜ୍ଜ୍ୱଳା, ଜନଧନ ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ଯୁଗାନ୍ତକାରୀ ଯୋଜନାର ଭୁମିକା ଅତ୍ୟନ୍ତ ପ୍ରଶଂସନୀୟ। ସେହିପରି ଓଡ଼ିଶାର ପ୍ରଦର୍ଶନ ନୈରାଶ୍ୟଜନକ ହୋଇଥିବା ବେଳେ ଦାରିଦ୍ର୍ୟ ହ୍ରାସରେ ରାଜ୍ୟ ତଳ ସ୍ତରରୁ ସପ୍ତମ ସ୍ଥାନରେ ରହିଛି ବୋଲି ସେ ଦାବି କରିଛନ୍ତି।
ଦାରିଦ୍ର୍ଯର ତୀବ୍ରତା ଭାରତରେ ୪୪.୩୯ ପ୍ରତିଶତ ଥିଲା ବେଳେ ଓଡିଶାରେ ତାହା ୪୪.୫୦ ପ୍ରତିଶତ । ସେହିପରି ମଲ୍ଟିଡାଇମେନ୍ସନାଲ ଦାରିଦ୍ର୍ଯ ସୂଚ୍ୟାଙ୍କ ସର୍ବଭାରତୀୟ ସ୍ତରରେ ୦.୦୫୧ ଥିଲା ବେଳେ ଓଡିଶାରେ ତାହା ୦.୦୭୦ । ଏଥିରୁ ଓଡିଶାରେ ଦାରିଦ୍ର୍ଯ ଦୂରୀକରଣର ସଫଳତା ସର୍ବଭାରତୀୟ ସଫଳତା ସହିତ ସମକକ୍ଷ ହୋଇନଥିବା ସ୍ପଷ୍ଟ ବାରି ହେଉଛି ବୋଲି ବିଜେପି କହିଛି।
ବିଶେଷ କରି ରାଜ୍ୟର ଆଦିବାସୀ ବହୁଳ ଜିଲ୍ଲା ଗୁଡିକରେ ଦାରିଦ୍ର୍ଯର ଚିତ୍ର ରାଜ୍ୟ ସରକାରଙ୍କ ଆଦିବାସୀ ବିରୋଧୀ ପ୍ରଶାସନକୁ ଉଲଗ୍ନ କରିଦେଇଛି । ଆଦିବାସୀ ବହୁଳ ଅଂଚଳରେ ସ୍ଥିତି ଅତି ସଙ୍ଗୀନ । ଓଡିଶା ଜନସଂଖ୍ୟାର ୧୫.୬୮ ପ୍ରତିଶତ ଦାରିଦ୍ର୍ଯ ଭୋଗୁଥିଲା ବେଳେ ଆଦିବାସୀ ବହୁଳ ମାଲକାନଗିରିରେ ଏହି ହାର ୪୫.୦୧ ପ୍ରତିଶତ, ରାୟଗଡାରେ ୩୪.୦୩ ପ୍ରତିଶତ, କୋରାପୁଟରେ ୩୩.୫୪ ପ୍ରତିଶତ, ନବରଙ୍ଗପୁରରେ ୩୩.୪୫ ପ୍ରତିଶତ, ମୟୂରଭଞ୍ଜରେ ୩୦.୫୭ ପ୍ରତିଶତ, ଗଜପତିରେ ୨୮.୧୪ ପ୍ରତିଶତ ଓ ଖଣି ବହୁଳ କେନ୍ଦୁଝର ଜିଲ୍ଲାରେ ୨୫.୩୦ ପ୍ରତିଶତ ରହିବା ଅତ୍ୟନ୍ତ ନିନ୍ଦନୀୟ । ଏହା ଦ୍ୱାରା ରାଜ୍ୟର ପ୍ରାକୃତିକ ସମ୍ପଦ ଥିବା ଜିଲ୍ଲା ଗୁଡିକ ଅଧିକ ଅବହେଳିତ ବୋଲି ସତ୍ୟବ୍ରତ ପଣ୍ଡା କହିଛନ୍ତି।
ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର ଏହି ଦାବିକୁ ଖଣ୍ଡନ କରି କହିଛନ୍ତି ଯେ ଓଡ଼ିଶା ସେହି ପାଞ୍ଚଟି ରାଜ୍ୟ ମଧ୍ୟରେ ରହିଛି ଯେଉଁଠାରେ ବହୁମାତ୍ରାରେ ଗରିବଙ୍କ ସଂଖ୍ୟା ସର୍ବାଧିକ ହ୍ରାସ ପାଇଛି। ସେ କହିଥିଲେ ଯେ ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ହାର ୩୨.୫୯%ରୁ ୧୯.୨୮%କୁ ହ୍ରାସ ପାଇବାରେ ରାଜ୍ୟରେ ଦ୍ରୁତ ଅବଦାନ ରହିଛି।
କଂଗ୍ରେସ ନେତା ନରସିଂହ ମିଶ୍ର ଉଭୟ ବିଜେପି ଓ ବିଜେଡି ଉପରେ ମିଥ୍ୟା ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ଓଡ଼ିଶାରେ ଜଣେ ଚାଷୀର ହାରାହାରି ମାସିକ ଆୟ ମାତ୍ର ୫୧୧୨ ଟଙ୍କା, ଯାହା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀଠାରୁ ବହୁତ କମ୍। ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ବେକାରୀ ସମସ୍ୟା ଯୁବପିଢ଼ିଙ୍କୁ ଚିନ୍ତାରେ ପକାଇଛି। ଆୟ କମିବା କାରଣରୁ ବହୁ ସଂଖ୍ୟାରେ ଚାଷୀ ଦାରିଦ୍ର୍ୟତାର ଶିକାର ହେଉଛନ୍ତି। ଦେଶରେ ନିଯୁକ୍ତି ସୁଯୋଗ ନଥିବାରୁ ବେକାର ଯୁବକ ଯୁବତୀମାନେ ବେକାର ହୋଇପଡ଼ୁଛନ୍ତି, ବିଶେଷ କରି ଓଡ଼ିଶା।
Comments are closed.