Latest Odisha News

BREAKING NEWS

ନୀତିଶ କୁମାରଙ୍କ ସ୍ବପ୍ନ ବାସ୍ତବ ହେବ କି?

୨୨ ବର୍ଷ ମଧ୍ୟରେ ଅଷ୍ଟମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନୀତିଶ କୁମାର ।  ତେବେ ଏତେ ଥର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଧାନମନ୍ତ୍ରୀ ହେବାକୁ କାହାର ବା ଇଚ୍ଛା ହେବ ନାହିଁ । ନୀତିଶଙ୍କର ମଧ୍ୟ ପୂର୍ବରୁ ଏହା ସ୍ପଷ୍ଟ କରିସାରିଛନ୍ତି । ୨୦୦୦ ମସିହାରୁ ମୁଖ୍ୟମନ୍ତ୍ରୀ ଭାବେ ପଂଚମ ପାଳିରେ ଅଷ୍ଟମ ଥର ଶପଥ ନେଇଥିବା ନୀତିଶ ଏବେ ଆଉ ଏହି ପଦବୀରେ ସନ୍ତୁଷ୍ଟ ହୋଇପାରୁନାହାଁନ୍ତି । ସେ ପୁଣି ବଡ଼ ପଦବୀ ପାଇବା ପାଇଁ ବ୍ୟାକୁଳ ହୋଇପଡିଛନ୍ତି ବୋଲି ଚର୍ଚା ଚାଲିଛି ।

ପ୍ରଥମତଃ ନୀତିଶଙ୍କ ଦଳ ଦିନକୁ ଦିନ ବିହାରରେ ତଳକୁ ତଳକୁ ଯାଉଛି । ଏଭଳି ସ୍ଥିତିରେ ତାଙ୍କ ଦଳ ଆଗାମୀ ଦିନରେ କେତେ ଆସନ ପାଇବ ତାହା କହିବା ମୁସ୍କିଲ । ତେଣୁ କଂଗ୍ରେସ ଜାଲରେ ଏବେ ପୁଣି ଫସିଛନ୍ତି ନୀତିଶ । ମହାରାଷ୍ଟ୍ରରେ କଂଗ୍ରେସକୁ ବିଜେପି ଶାସନରୁ ବାହାର କରିବା ପରେ କଂଗ୍ରେସ ମଧ୍ୟ ବିଜେପିକୁ ସମାନ ଢ଼ଙ୍ଗରେ କ୍ଷତି ପହଁଚାଇବାକୁ ଚାହୁଁଥିଲା । ଆଉ ଏଥିପାଇଁ ଗୋଟି ଚାଳନା ଆରମ୍ଭ କରିଥିଲା ବିହାରକୁ ନେଇ ।  ଆଗାମୀ ୨୦୨୪ ନିର୍ବାଚନରେ ନୀତିଶଙ୍କୁ ମିଳିତ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯିବ କହିବା ସହ ନୀତିଶଙ୍କୁ ବିଜେପିଠାରୁ ଦୂରେଇ ଯିବାପାଇଁ  କହିଥିଲା କଂଗ୍ରେସ ।ଏହି ସୁଯୋଗକୁ ଅପେକ୍ଷା କରିଥିଲେ ନୀତିଶ, ଆଉ ତୁରନ୍ତ ହଁ କରିଥିଲେ । ସଙ୍ଗେ ସଙ୍ଗେ ବିଜେପି ହାତ ଛାଡି ଆରଜେଡି ଏବଂ କଂଗ୍ରେସକୁ ନେଇ ସରକାର ଗଠନ କରିଥିଲେ  ନୀତିଶ ।

ଜାତୀୟ ଗଣମାଧ୍ୟମରେ ଯାହା ଚର୍ଚା, ପ୍ରଧାନମନ୍ତ୍ରୀ ହେବାକୁ ନୀତିଶ ଅନେକ ଦିନ ହେଲା ସ୍ବପ୍ନ ଦେଖୁଛନ୍ତି ।  ଏହି ସ୍ବପ୍ନ ପୂରଣ ହେବ କି ନାହିଁ ତାହା କହିବା ଅସମ୍ଭବ । କିନ୍ତୁ  ବିରୋଧୀମାନେ ନୀତିଶଙ୍କୁ ଏହି ସ୍ବପ୍ନ ଦେଖିବା ପାଇଁ ଏବେ ସୁଯୋଗ ଦେଇଛନ୍ତି । ବର୍ତ୍ତମାନ ରାଜନୀତିକୁ ଦେଖିଲେ କିଛି ସେଭଳି ଲାଗୁନଥିଲେ ମଧ୍ୟ ରାଜନୖତିକ ପାଣିପାଗ କେତେବେଳେ କଣ ହେବ କହିହେଉନାହିଁ । ତେଣୁ ନୀତିଶ ସେହି ସୁଯୋଗ ଅପେକ୍ଷାରେ ଅଛନ୍ତି , ଏବେ ସ୍ବପ୍ନକୁ ପୂରଣ କରିବା ପାଇଁ ପ୍ରଥମ ବାଜି ଜିତିଛନ୍ତି ।

ନୀତିଶ ଯେଉଁ ସ୍ବପ୍ନ ଦେଖୁଛନ୍ତି ତାହା ଦେଖିବାରେ ଅସୁବିଧା ନାହିଁ । କିନ୍ତୁ ସେ ଯେଉଁ ସ୍ଥାନରେ ରହି ଯେଉଁ ପଦବୀ ପାଇଁ ସ୍ବପ୍ନ ଦେଖୁଛନ୍ତି ତାକୁ ନେଇ ଏବେ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯାଉଛି । ଅବଶ୍ୟ ଟ୍ରୋଲ ହେବା ପରେ ନିଜେ   ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ହେବାର ତାଙ୍କର ସ୍ୱପ୍ନ ନାହିଁ।ଗଣମାଧ୍ୟମ ଆଗରେ ସେ ଏହି ସ୍ପଷ୍ଟିକରଣ ଦେଇଥିଲେ ମଧ୍ୟ ଏହାକୁ ସାଧାରଣ ଲୋକ ଗ୍ରହଣ କରିପାରୁନାହାଁନ୍ତି ।  ବାସ୍ତବରେ, ପ୍ରଧାନମନ୍ତ୍ରୀ ହେବା ପାଇଁ ତାଙ୍କର ଇଚ୍ଛା ଅଛି ଏବଂ ଏହି ଆକାଂକ୍ଷା ଯୋଗୁଁ ସେ ଏହି ପଦକ୍ଷେପ ନେଇଛନ୍ତି ବୋଲି ସାଧାରଣତ ସୋସିଆଲ ମିଡିଆରେ ସମସ୍ତେ ମତ ରଖୁଛନ୍ତି ।  ସେପଟେ ନୀତିଶଙ୍କ କଥାରେ କେବେ ତାଳ ମେଳ ରହୁନିଥିବାରୁ ଲୋକେ ଆଉ ତାଙ୍କ କଥାରେ ବିଶ୍ବାସ କରିପାରୁନାହାଁନ୍ତି ।  ଏହା ସତ୍ୟ ଯେ ୨୦୨୪ ସାଧାରଣ ନିର୍ବାଚନରେ ମୋଦିଙ୍କୁ ଚେକ୍‌ ଦେବାକୁ ଏକାଠି ହେଉଛନ୍ତି  କଂଗ୍ରେସ, ଏବଂ ବିଜେପିର ପ୍ରମୁଖ ବିରୋଧୀ ଦଳମାନେ । ପୂର୍ବରୁ ବିରୋଧୀଙ୍କୁ ଏକାଠି କରିବା ପାଇଁ କଂଗ୍ରେସ ଓ ମମତା ବାନର୍ଜୀ ପ୍ରୟାସ କରି ବିଫଳ ହୋଇଥିବା ବେଳେ ଏବେ ନୀତିଶଙ୍କୁ ପ୍ରୟୋଗ କରିବାକୁ ଚାହୁଁଛନ୍ତି । ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀମାନେ ଏକାଠି ହୋଇ ବିଫଳ ହେବା ପରେ ଉପରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଦେଖାଯାଇଥିଲା ବିରୋଧୀ ମେଳି ଛତ୍ରଭଂଗ ହୋଇଛନ୍ତି ।  ତେବେ ଏସବୁ ଭିତରେ କଂଗ୍ରେସ ବିରୋଧୀଙ୍କୁ ସୁଯୋଗ ଦେବା ପାଇଁ ପୁଣି ଏକ ପ୍ରୟାସ ଆରମ୍ଭ କରିଛି । ଯାହା ଜଣା ପଡୁଛି ୨୦୨୪ ନିର୍ବାଚନ ପାଇଁ କଂଗ୍ରେସ ଏବେ ସବୁ ସ୍ବାର୍ଥ ପରିତ୍ୟାଗ କରି ବିରୋଧୀଙ୍କୁ ଏକଜୁଟ କରିବାକୁ  ନୂଆ ରଣନୀତି ଆପଣେଇବାକୁ ଯାଉଛି ।

ଏଠାରେ କୁହାଯାଇପାରେ ଜାତୀୟ ଦଳ କଂଗ୍ରେସକୁ ଲୋକେ ପସନ୍ଦ କରୁନଥିବାରୁ ଆଞ୍ଚଳିକ ଦଳଙ୍କ କାନ୍ଧରେ ବନ୍ଧୁକ ରଖି ବିଜେପିକୁ ପରାଜିତ କରିବାକୁ ଚାହୁଁଛି କଂଗ୍ରେସ । ପ୍ରଥମତଃ ସମ୍ମୁଖ ଲଢ଼େଇରେ ମୋଦିଙ୍କୁ କଂଗ୍ରେସ ପରାସ୍ତ କରିପାରିବ ନାହିଁ ବୋଲି ଜାଣିସାରିଲାଣି । ତେଣୁ ଆଞ୍ଚଳିକ ଦଳମାନଙ୍କୁ ଗୋଟିଏ ସୂତାରେ ବାନ୍ଧି ମୋଦିଙ୍କୁ ହଟାଇବା ପାଇଁ ପ୍ରୟାସ କରିବାକୁ ଚେଷ୍ଟା ଆରମ୍ଭ କରିଛି କଂଗ୍ରେସ ।

ତେବେ ନୀତୀଶ କୁମାର ଏହା ମଧ୍ୟ କହିଛନ୍ତି ଯେ ତାଙ୍କୁ 2024 ବିଷୟରେ ଚିନ୍ତା କରିବା ସମୟ ଆସିଛି।  ତେବେ କଣ ସେ କହିବାକୁ ଚାହୁଁଛନ୍ତି ତାହା ସ୍ପଷ୍ଟ କରିନାହାନ୍ତି  । ଏହା ସହ ନୀତିଶ କହିଛନ୍ତି ଯେଉଁମାନେ 2014 ରେ କ୍ଷମତାକୁ ଆସି ଏବେ ଶାସନ କରୁଛନ୍ତି, ସେମାନେ 2024 ରେ ବିଜୟୀ ହେବେ କି?ଏ ପ୍ରଶ୍ନର ମାନେ କଣ ନୀତିଶ ହିଁ ଜାଣନ୍ତି ।  ନୀତିଶ ଚାହୁଁଛନ୍ତି  2024 ପାଇଁ ସମସ୍ତେ ବିରୋଧୀ ଏକଜୁଟ ହୁଅନ୍ତୁ।ଏହାର ମାନେ ହେଉଛି ବିଜେପିକୁ ହରାଇବା ଏବଂ ମୋଦିଙ୍କୁ ହରାଇବାକୁ ଚାହୁଁଛନ୍ତି ବିରୋଧୀ । ସେଥିପାଇଁ ନୀତିଶଙ୍କୁ ମୋଦିଙ୍କ ସାମନା କରିବା ପାଇଁ ଏବେ ବିରୋଧୀ ନୂଆ ରଣନୀତି କରିଛନ୍ତି ।

 

ତେବେ ଏଠି ପ୍ରଶ୍ନ ହେଉଛି ନୀତିଶଙ୍କ ଅଚାନକ ଏଭଳି ନିଷ୍ପତ୍ତି ପରେ କଣ ହେବ ୨୦୨୪ ସାଧାରଣ ନିର୍ବାଚନରେ ଏନ୍‌ଡିଏର ସ୍ଥିତି। ଦିନେ ଏନ୍‌ଡିଏର ସହଯୋଗୀ ଥିଲେ ନୀତିଶ । ଆଉ ଏବେ ବିରୋଧୀଙ୍କୁ ଏକାଠି କରି କରିବେ ମହାମେଳି । ଗଲା କିଛି ଦିନ ଭିତରେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧୀଙ୍କୁ ଇଡି ଜେରା କରୁଛି । ମହାରାଷ୍ଟ୍ରରେ  ଶରଦ ପାୱାରଙ୍କ  ଶକ୍ତି କ୍ଷୀଣ ହୋଇଛି । ତାଙ୍କ ଦଳର ବରିଷ୍ଠ ନେତାମାନେ ଜେଲରେ ଅଛନ୍ତି ।  ଫାରୁକ ଅବ୍‌ଦୁଲ୍ଲାଙ୍କ କ୍ଷମତା ଅପସରି ଯାଇଛି, ମାୟାବତୀଙ୍କ ଦଳ ମାଟିରେ ମିଶିଛି, ମମତା ବାନର୍ଜୀଙ୍କ ଦଳ ବିଭିନ୍ନ ଦୁର୍ନୀତିରେ ଲିପ୍ତ ପ୍ରମୁଖ ସହଯୋଗୀ ପାର୍ଥ ଚାଟାର୍ଜୀ ଜେଲରେ ଏବଂ ହିଂସାକାଣ୍ଡ ଅଭିଯୋଗରେ ମମତା ବି ନିଜର ଭାବମୂର୍ତ୍ତି ହରାଇବାରେ ଲାଗିଛନ୍ତି ।  ଅରବିନ୍ଦ କେଜ୍ରିୱାଲଙ୍କ ମନ୍ତ୍ରୀମାନେ ମଧ୍ୟ ଜେଲରେ ରହିଛନ୍ତି, ଅଖିଲେଶ ଯାଦବ ଦଳ ଦ୍ବିତୀୟ ଥର ପାଇଁ ୟୁପିରେ ପରାଜିତ ହୋଇଛି । ଏପରି ଭାବେ ବିରୋଧୀମାନେ ବିଜେପି ବିରୋଧରେ ଲଢ଼େଇ କରି ଶକ୍ତିହୀନ ହୋଇପଡିଛନ୍ତି  କହିଲେ ଅତ୍ୟୁକ୍ତି ହେବ ନାହିଁ ।

ଏସବୁ ଭିତରେ ପୁଣି କେନ୍ଦ୍ର ଶାସନରୁ ବିଜେପିକୁ ହଟାଇବା ଲକ୍ଷ୍ୟରେ ସମଭାବାପର୍ଣ୍ଣ ଓ ଧର୍ମ ନିରପେକ୍ଷ ଦଳ ଗୁଡ଼ିକୁ ଏକାଠି ହେବାକୁ ଆହ୍ବାନ ଦେଇଛି କଂଗ୍ରେସ । ବିଜେପିକୁ ଗାଦିଚ୍ୟୁତ୍‌ କରିବା ଲକ୍ଷ୍ୟରେ ବିରୋଧୀଙ୍କୁ ଏକଜୁଟ କରିବାକୁ କଂଗ୍ରେସ ଭିତରେ ଭିତରେ ଯୋଜନା କରୁଛି ।

ଚଳିତ ବର୍ଷ ଇଡି, ସିବିଆଇ, ସୁପ୍ରିମକୋର୍ଟଙ୍କ କିଛି ନିଷ୍ପତ୍ତିକୁ ନେଇ ବିରୋଧୀ କେନ୍ଦ୍ର ସରକାରଙ୍କୁ ଆକ୍ରମଣ ପରେ ଆକ୍ରମଣ କରି ଚାଲିଛନ୍ତି। ଏହାରି ମଧ୍ୟରେ ଦରବୃଦ୍ଧି ଏବଂ ନିଯୁକ୍ତିକୁ ପ୍ରସଙ୍ଗ କରିବା ପାଇଁ କଂଗ୍ରେସ ନିଷ୍ପତ୍ତି ନେଇଛି । ପ୍ରତି ପ୍ରସଙ୍ଗରେ ଦଳ ଦରବୃଦ୍ଧି ଏବଂ ନିଯୁକ୍ତିକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିବାକୁ ଚାହୁଁଛି ।

ସେପଟେ ପୁଣି ଲାଲୁ-ନୀତିଶ ମେଣ୍ଟ ସହ କଂଗ୍ରେସ ଏବଂ ବାମଦଳ ସହ ମିଳିତ ବିରୋଧୀ ମିଶି ୨୦୨୪ ପୂର୍ବରୁ ପୁଣି ମହାମେଂଣ କରିବା ପାଇଁ ବିହାରରେ ମୂଳଦୁଆ ପକାଇଛନ୍ତି । ନୀତିଶଙ୍କ  ସହାୟତାରେ ବିହାରରେ ଶାସନ ଚଲାଇବା ସହ ବିଜେପିକୁ ଚକମା ଦେବାପାଇଁ ଏହା ହେଉଛି ମିଳିତ ବିରୋଧୀଙ୍କ ଏକ ଅଘୋଷିତ ରଣନୀତି । ଯାହା କି ୨୦୨୪ ଲଢ଼େଇ ପୂର୍ବରୁ ମଂଚ ପ୍ରସ୍ତୁତ କରୁଛି ।

ସେପଟେ ବିରୋଧୀ ମେଣ୍ଟ କରିଛନ୍ତି ସତ, କିନ୍ତୁ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ପ୍ରାର୍ଥୀ ନୀତିଶ ହେବେ ଏହି କଥା ଘୋଷଣା କେହି କରିନାହାଁନ୍ତି ।  ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ପାଇଁ ପୂର୍ବରୁ ଗୋଡ଼ଟେକି ବସିଛନ୍ତି। କିନ୍ତୁ ତାଙ୍କ ସ୍ବପ୍ନ ପୂରଣ ହେବନାହିଁ ଜାଣିବା ପରେ ସେ ଦ୍ବିତୀୟ ବିକଳ୍ପ ନୀତିଶକୁ ବାଛିଛନ୍ତି । କାରଣ ମୋଦିଙ୍କ ବିପକ୍ଷରେ ନୀତିଶ ହିଁ କିଛିଟା ଲଢ଼େଇ କରିପାରିବେ । ନୀତିଶଙ୍କର ଏବେ ବି ଚେହେରା କିଛି ମାତ୍ରାରେ ସ୍ବଚ୍ଛ ରହିଛି । ସେପଟେ ବରିଷ୍ଟ କଂଗ୍ରେସ ନେତାମାନେ ଜାତୀୟ ଗଣମାଧ୍ୟମକୁ ମଧ୍ୟ କହିଛନ୍ତି ଯେ ୨୦୨୪ ନିର୍ବାଚନ ପାଇଁ ମହାମେଣ୍ଟରେ ରାହୁଲ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାର ନାହିଁ । ପୂର୍ବରୁ ବିରୋଧୀଦଳର ଜଣେ ପରେ ଜଣେ ତୁଙ୍ଗ ନେତା ମହାମେଣ୍ଟ ସ୍ବପ୍ନ ଦେଖୁଥିବା ବେଳେ ଏବେ ଅନେକ ସ୍ବପ୍ନ ଦେଖିବା ବନ୍ଦ କରିଦେଇଛନ୍ତି । ଏହି ସମୟରେ ନୀତିଶଙ୍କୁ ସ୍ବପ୍ନ ଦେଖିବା ପାଇଁ ସେମାନେ ବାଟ ଛାଡିଦେଇଛନ୍ତି ବୋଲି କୁହାଯାଇପାରେ ।

୨୦୧୪ ପରେ ଅନେକ ଥର ବିରୋଧୀ ଦଳ ଏକାଠି ହୋଇ ସାରିଛନ୍ତି  । ତେବେ ସବୁଥର ମେଂଟ ଫାଇନାଲ ମ୍ୟାଚରେ ବିଜେପି ଠାରୁ ପରାସ୍ତ ହୋଇଛି  । ବିଶେଷ କରି ଉତ୍ତରପ୍ରଦେଶ ନିର୍ବାଚନରେ ୨୦୧୭ , ୨୦୧୯, ୨୦୨୨ରେ ବି, ଏନଡିଏ ଠାରୁ ବିରୋଧୀମାନେ  ହାରିବା ପରେ ଏବେ ବିଚଳିତ ହୋଇପଡିଛନ୍ତି । ୨୦୨୪  ନିର୍ବାଚନକୁ ହାତ ଗଣତି ଆଉ ମଝିରେ ଗୋଟିଏ ବର୍ଷରୁ କିଛି ମାସ ଅଧିକ ଅଛି । ତେଣୁ ବିରୋଧୀମାନେ ଆଗାମୀ ନିର୍ବାଚନରେ ବିଜେପିକୁ ହରାଇବା ପାଇଁ ନୀତିଶଙ୍କୁ ନେଇ ଚକ୍ରବ୍ୟୁହ ରଚନା କରୁଛନ୍ତି ।

ବିଜେପିର ବିକାଶ ରାଜନୀତିକୁ ଟକ୍ମର ଦେବାପାଇଁ ବିରୋଧୀ  ତୈଳ ଦର ବୃଦ୍ଧି, ଦରଦାମ ବୃଦ୍ଧି, ବେକାରୀ ସମସ୍ୟା କୁ ପ୍ରସଙ୍ଗ କରିବେ ।  କିନ୍ତୁ କିଏ ପିନ୍ଧିବେ ୨୦୨୪ରେ ପ୍ରଧାନମନ୍ତ୍ରୀଙ୍କ ପଗଡ଼ି ତାହା ସ୍ପଷ୍ଟ କରିବେ ଜନତା । ବିଜେପି ଇତିହାସ ରଚିବ ନା ବିରୋଧୀ ପୁଣି ଇତିହାସର ପୁନରାବୃତ୍ତି  କରି ସରକାର ଗଠନ କରିବେ  ତାହା ୨୦୨୪ରେ ସ୍ପଷ୍ଟ ହୋଇଯିବ । ବିହାରରେ ବର୍ତ୍ତମାନ ଯେଉଁ ପ୍ରକାର ରାଜନୈତିକ ଘଟଣାକ୍ରମ ଘଟୁଛି ତହିଁରୁ ୨୦୨୪ କଥା କହିବା ପିଲା ଖେଳ ହେବ । କାରଣ ବିହାରରେ ବିଜେପି ଏବେ ଭଲ ସ୍ଥିତିରେ ଅଛି । ନୀତିଶ କୁମାରଙ୍କ ଦଳ ଅପେକ୍ଷା ଗତ ନିର୍ବାଚନରେ ବିଜେପି ଅଧିକ ଆସନ ଜିତିଛି । ତେଣୁ ଏହାକୁ ହାଲୁକା ଭାବରେ ଗ୍ରହଣ କରାଯାଇପାରିବ ନାହିଁ । ଆଉ ଗୋଟିଏ କଥା ହେଉଛି ବିହାରରେ ମୋଦିଙ୍କ ଲୋକପ୍ରିୟତା ମଧ୍ୟ ଅଧିକ ରହିଛି, ନୀତିଶଙ୍କ ଅପେକ୍ଷା ।

ଆଗାମୀ ନିର୍ବାଚନରେ ବିହାରର ଜନତା ହିଁ କହିପାରିବେ ନୀତିଶ କୁମାର ଏବଂ ଲାଲୁଙ୍କ ପୁଅଙ୍କ ଶାସନ କାଳରେ ଭ୍ରଷ୍ଟାଚାର କେତେ ମାତ୍ରାରେ କମିଛି,କି ବଢ଼ିଛି। ସେଠାକାର ଜନସାଧାରଣ  କହିପାରିବେ କାହିଁକି ଓ କେମିତି ଲାଲୁ ଏବଂ ନୀତିଶ ବନ୍ଧୁ ହୋଇଯାଆନ୍ତି ଏବଂ ଶତ୍ରୁ ହୋଇଯାଆନ୍ତି । ଦୁର୍ନୀତି, ଭ୍ରଷ୍ଟାଚାରକୁ ବାହାନା କରି ଦୁଇ ଦଳର ନେତା ଗଣମତକୁ ଉପେକ୍ଷା କରି ଅଲଗା ଅଲଗା ହୋଇ ଯାଆନ୍ତି ଆଉ ସରକାର ଭାଙ୍ଗି ଯାଏ, ପୁଣି ଲାଲୁ-ନୀତିଶ ଏକାଠି ହୋଇଯାଆନ୍ତି।

ନୀତିଶ କୁମାରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଭାରି ସହଜ ବୋଲି ଦେଖାଯାଏ ।  ଗତ କିଛି ବର୍ଷରେ ନୀତିଶ ସେଭଳି କାର୍ଯ୍ୟ କରି ପ୍ରମାଣ କରିସାରିଛନ୍ତି । ତେଣୁ ଏଥର ମଧ୍ୟ ନୀତିଶଙ୍କ ପଲଟୁ ରାଜନୀତିରେ କେହି ଆଶ୍ଚର୍ଯ୍ୟାନ୍ୱିତ ହୋଇ ନାହାନ୍ତି। ସମସ୍ତ ଜାଣିଥିଲେ ଯେ ନୀତିଶ କୁମାର କୌଣସି ବାହାନାରେ କେବେ ବି କିଛି ନିଷ୍ପତ୍ତି ନେଇପାରନ୍ତି ।  ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତାଦଳ ସହିତ ଗଠବନ୍ଧନ ସରକାର ଭାଙ୍ଗିବେ ପୁଣି ଗଢ଼ିବେ ଏବଂ ପୁନଃ କ୍ଷମତା ହାତେଇବେ ଏହା ମଧ୍ୟ ସବୁ ଘଟିଛି । ଏହାରି ଭିତରେ ଯେ ନୀତିଶଙ୍କ ଏକ ବଡ଼ ସ୍ବାର୍ଥ ରହିଛି ତାହା ଅନୁଭବ କରୁଛନ୍ତି ରାଜନୖତିକ ସମୀକ୍ଷକମାନେ ।

ଗତଥର ବିହାର ନିର୍ବାଚନ ପୂର୍ବରୁ ଯେତେବେଳେ ନୀତିଶ କୁମାରଙ୍କ ଜେଡ଼ିୟୁ, ଲାଲୁ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ ଓ କଂଗ୍ରେସ ମଧ୍ୟରେ ରାଜନୈତିକ ମହାଗଠବନ୍ଧନ ତିଆରି ହୋଇଥିଲା, ସେତେବେଳେ ବି ଲାଲୁ ଯାଦବଙ୍କ ଉପରେ ଦୁର୍ନୀତର ଅଭିଯୋଗ ଥିଲା । କେବଳ ଆରୋପ ନୁହେଁ ବରଂ ଚାରା ଦୂର୍ନୀତିରେ ସେ ଜେଲରେ ଥିଲେ ।  ତଥାପି ନୀତିଶ ଲାଲୁ ଯାଦବଙ୍କ ସହିତ ମେଂଟ କରିଥିଲେ । । ପୂର୍ବରୁ ଅନେକ ଥର ନୀତିଶଙ୍କ ଅନ୍ତର ଆତ୍ମା ଲାଲୁଙ୍କ ଜଙ୍ଗଲରାଜ ଏବଂ ଦୁର୍ନୀତିକୁ ନେଇ ବାଧିଥିବା ବେଳେ ନିର୍ବାଚନ ପୂର୍ବରୁ ମେଂଟ ବେଳେ ବାଧିନଥିଲା । ଗତ ବିହାର ଜନାଦେଶ ବିଜେପି ଓ ନୀତିଶଙ୍କ ସପକ୍ଷରେ ଥିଲା । ତେବେ ଏବେ ଜନତା ଚାହିଁନଥିବା ଆରଜେଡି ସରକାରରେ ଅଛି । ଏହା ହିଁ ହେଉଛି ଆଜିର ରାଜନୀତି , ଆଉ ରାଜନୖତିକ ମୂଲ୍ୟବୋଧ ।

ବିହାରରେ ସଦାବେଳେ ଲାଲୁ ଯାଦବ ଓ ତାଙ୍କ ପରିବାର ଉପରେ ଦୂର୍ନୀତି ଅଭିଯୋଗ ଲାଗିଛି । ସେହି ଅଭିଯୋଗର ମୁଖ୍ୟ କର୍ତ୍ତା ହେଉଛନ୍ତି ନୀତିଶ । କିନ୍ତୁ ତାଙ୍କୁ ହିଁ ନେଇ ନୀତିଶ ଏବେ ସରକାର ଗଠନ କରିଛନ୍ତି । ଯେଉଁମାନେ ଦୁର୍ନୀତିରେ ଲିପ୍ତ ଏବଂ ଜେଲ ଯାଇଛନ୍ତି ସେମାନେ ଯେବେ ସରକାର ଚଲାଇବେ ସେହି ସରକାର କିପରି ଦୁର୍ନୀତିମୁକ୍ତ ହେବ ତାହା ନୀତିଶ ଜାଣନ୍ତି ।  । ବିହାର ରାଜନୀତି ଆଗକୁ କେଉଁଆଡେ ଗତି କରୁଛି ତାହା ବି ନୀତିଶଙ୍କ ହାତରେ ନାହିଁ । ନୀତିଶଙ୍କ ଦଳ ଗଣିତ ଖେଳରେ ବିଜେପି ଏବଂ ଆରଜେଡି ତଳକୁ ଅଛି । ତେବେ ୨୦୨୪ ନିର୍ବାଚନକୁ ଆହୁରି ଅନେକ ଦିନ ବାକି ଥିବାରୁ ନୀତିଶ ଯେଉଁ ସ୍ବପ୍ନ ଦେଖିଛନ୍ତି ସେହି ସ୍ବପ୍ନ ତାଙ୍କର ବାସ୍ତବ ହେଉଛି କି ନାହିଁ  ନିର୍ବାଚନ ପରେ ଜଣାପଡିବ । ୨୦୨୪ରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା ଏବଂ ଭୋଟ ଫଳାଫଳକୁ ହିଁ ଅପେକ୍ଷା କରିବାକୁ ପଡିବ ।

Leave A Reply

Your email address will not be published.