ଦକ୍ଷିଣ ଉପକୂଳ ରେଳବାଇ ଯୋଗୁଁ ଓଡ଼ିଶାର କୌଣସି କ୍ଷତି ହେବ ନାହିଁ: ବିଭ୍ରାନ୍ତିକର ଖବର ଉପରେ ପୂର୍ବତଟ ରେଳବାଇର ସ୍ପଷ୍ଟୀକରଣ
ଭୁବନେଶ୍ୱର: ଦକ୍ଷିଣ ଉପକୂଳ ରେଳବାଇ (South Coast Railway) ଜୋନ୍ ଗଠନ ଏବଂ ଏହାର ପୁନର୍ଗଠନକୁ ନେଇ ଓଡ଼ିଶାରେ ଲାଗି ରହିଥିବା ଆଶଙ୍କା ଏବଂ ଚର୍ଚ୍ଚା ଉପରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ନୂଆ ରେଳ ଜୋନ୍ ଗଠନ ଯୋଗୁଁ ଓଡ଼ିଶାର କୌଣସି ପ୍ରକାର କ୍ଷତି ହେବ ନାହିଁ କିମ୍ବା ରାଜ୍ୟ କୌଣସି ସୁବିଧାସୁଯୋଗରୁ ବଞ୍ଚିତ ହେବ ନାହିଁ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଓଡ଼ିଶାର ରେଳ ଭିତ୍ତିଭୂମି ବା ଅଧିକାର କ୍ଷୁର୍ଣ୍ଣ ହେବା ନେଇ ଯେଉଁ ଖବର ପ୍ରସାରିତ ହେଉଛି, ତାହା ସମ୍ପୂର୍ଣ୍ଣ ରୂପେ “ବିଭ୍ରାନ୍ତିକର ଏବଂ ଉଦ୍ଦେଶ୍ୟପ୍ରଣୋଦିତ” ବୋଲି ରେଳବାଇ କର୍ତ୍ତୃପକ୍ଷ କହିଛନ୍ତି।
ବୁଧବାର ଦିନ ଏକ ସରକାରୀ ପ୍ରେସ୍ ରିଲିଜ୍ ଜରିଆରେ ପୂର୍ବତଟ ରେଳବାଇ ପକ୍ଷରୁ ଏହି ସ୍ପଷ୍ଟୀକରଣ ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ରେଳ ଜୋନ୍ ପୁନର୍ଗଠନ ଯୋଗୁଁ ଓଡ଼ିଶାର କୌଣସି ରେଳ କ୍ଷେତ୍ର ବା ଇନ୍ଫ୍ରାଷ୍ଟ୍ରକ୍ଚର୍ ଆନ୍ଧ୍ରପ୍ରଦେଶ ହାତକୁ ଚାଲିଯିବ ବୋଲି ଯେଉଁ ଗୁଜବ ସୃଷ୍ଟି ହୋଇଛି, ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ କେବଳ ଅଯଥା ଦ୍ୱନ୍ଦ୍ୱ ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ।
ଲୋକଙ୍କ ଆଶଙ୍କା ଦୂର କରିବାକୁ ଯାଇ ରେଳ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ଯେ, ବର୍ତ୍ତମାନର ୱାଲଟିୟର ଡିଭିଜନର ୬୯୬ କିଲୋମିଟର ରେଳପଥ ମଧ୍ୟରୁ ଯେତିକି ଅଂଶ ଓଡ଼ିଶା ସୀମା ଭିତରେ ଆସୁଛି, ତାହା ସବୁ ନୂଆ ଭାବେ ପ୍ରସ୍ତାବିତ ‘ରାୟଗଡ଼ା ଡିଭିଜନ୍’ ଅଧୀନରେ ରହିବ। ଅର୍ଥାତ୍ ଏହି ଅଞ୍ଚଳ ଗୁଡ଼ିକ ଉପରେ ଓଡ଼ିଶାର ହିଁ ପ୍ରଶାସନିକ ନିୟନ୍ତ୍ରଣ ରହିବ।
ବିଶେଷ କରି କୋରାପୁଟ-ସିଙ୍ଗାପୁର ରୋଡ୍, କୋଠାବାଲାସା-କିରଣ୍ଡୁଲ, କୁନେରୁ-ଥେରୁବାଲି ଏବଂ ଗୁଣପୁର-ପାରଳାଖେମୁଣ୍ଡି ଭଳି ଗୁରୁତ୍ୱପୂର୍ଣ୍ଣ ରେଳ ସେକ୍ସନଗୁଡ଼ିକ ରାୟଗଡ଼ା ଡିଭିଜନ୍ ନିୟନ୍ତ୍ରଣରେ ହିଁ କାମ କରିବ ବୋଲି ରେଳବାଇ ନିଶ୍ଚିତ କରିଛି।
ପୂର୍ବତଟ ରେଳବାଇ ଆହୁରି ମଧ୍ୟ ଜୋର୍ ଦେଇ କହିଛି ଯେ, ପୁନର୍ଗଠନ ପ୍ରକ୍ରିୟାର ଅଂଶସ୍ୱରୂପ ଓଡ଼ିଶାର କୌଣସି ବି ରେଳ ସେକ୍ସନ କିମ୍ବା ଅଞ୍ଚଳକୁ ଆନ୍ଧ୍ରପ୍ରଦେଶର ପ୍ରଶାସନିକ ନିୟନ୍ତ୍ରଣକୁ ହସ୍ତାନ୍ତର କରାଯାଉ ନାହିଁ। ତେଣୁ ଓଡ଼ିଶା ନିଜର ଅଧିକାର ହରାଉଛି ବୋଲି ଯେଉଁ ରାଜନୈତିକ ତର୍କବିତର୍କ ଓ ଉଦ୍ବେଗ ପ୍ରକାଶ ପାଉଛି, ତାହାର କୌଣସି ଯଥାର୍ଥତା ନାହିଁ।
ସୂଚନାଯୋଗ୍ୟ ଯେ, ଆନ୍ଧ୍ରପ୍ରଦେଶର ବିଶାଖାପାଟଣାକୁ ମୁଖ୍ୟାଳୟ କରି ନୂଆ ‘ଦକ୍ଷିଣ ଉପକୂଳ ରେଳବାଇ’ ଜୋନ୍ ଗଠନ ହେବାକୁ ନେଇ କିଛି ଦିନ ହେବ ରାଜ୍ୟରେ ବିଭିନ୍ନ ମହଲରେ ଚିନ୍ତା ପ୍ରକଟ କରାଯାଉଥିଲା। ହେଲେ ରେଳବାଇ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ ଏହି ପୁନର୍ଗଠନ କେବଳ ରେଳବାଇର କାର୍ଯ୍ୟକ୍ଷମତା ବା ‘ଅପରେସନାଲ ଏଫିସିଏନ୍ସି’ ବଢ଼ାଇବା ଉଦ୍ଦେଶ୍ୟରେ କରାଯାଉଛି ଏବଂ ଏହା ଦ୍ୱାରା ଓଡ଼ିଶାର ସ୍ୱାର୍ଥ କୌଣସି ମତେ ବାଧାପ୍ରାପ୍ତ ହେବ ନାହିଁ।