ପୁରୀ: ଆସନ୍ତାକାଲି ବୁଧବାର ପୌଷ କୃଷ୍ଣ ସପ୍ତମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଅପରାହ୍ନ ୪ଟାରୁ ରାତ୍ର ୮ଟା ପର୍ଯ୍ୟନ୍ତ ୪ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ବନକଲାଗି ନୀତି ଅତ୍ୟନ୍ତ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ଚତୁର୍ଦ୍ଧା ମୂରତିଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ। କିନ୍ତୁ ପାର୍ଶ୍ଵ ଦେବାଦେବୀଙ୍କୁ ଦର୍ଶନର ସୌଭାଗ୍ୟ ପାଇବେ ଭକ୍ତ ଶ୍ରଦ୍ଧାଳୁ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଦ୍ବିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । ସେଥିପାଇଁ ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ । କଳା, ଧଳା, ନାଲି, ହରିତାଳ ଆଦି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବକ । ପ୍ରତିମାସରେ ହାରାହାରି ଦୁଇଥର ଶ୍ରୀଜୀଉମାନଙ୍କର ମୁଖଶ୍ରୀର ପ୍ରସାଧନ ବା ବନକ ଲାଗି ହୋଇଥାଏ । ଏହି ନୀତି ସମାପନ ହେବା ପର୍ଯ୍ୟନ୍ତ ଶ୍ରୀମନ୍ଦିରର ସମସ୍ତ ଦ୍ୱାର ସମ୍ପୂର୍ଣ୍ଣ ବନ୍ଦ ରହେ । ତିନି ଦାରୁମୂର୍ତ୍ତିଙ୍କ ମୁଖମଣ୍ଡଳରେ ଶୃଙ୍ଗାରକୁ ମନ୍ଦିର ଭାଷାରେ ବନକଲାଗି କୁହାଯାଏ ।
ବନକଲାଗି ନୀତି ଗୁପ୍ତ ନୀତି ହୋଇଥିବାରୁ ବିଧି ଅନୁସାରେ ଦତ୍ତ ମହାପାତ୍ର ସେବାୟତଙ୍କୁ ହିଙ୍ଗୁଳ, ହର୍ତାଳ, କସ୍ତୁରୀ ଓ କେଶର ଯୋଗାଇ ଦିଆଯାଇଛି । ଏହାକୁ ମିଶ୍ରଣ କରି ସ୍ୱତନ୍ତ୍ର ରଙ୍ଗ ପ୍ରସ୍ତୁତ କରି ସେବକମାନେ ଅପରାହ୍ନରେ ମଧ୍ୟାହ୍ନ ଧୂପ ପରେ ଶ୍ରୀମନ୍ଦିରରେ ପ୍ରବେଶ କରିବେ । ରତ୍ନସିଂହାସନ ଉପରେ ଚଢ଼ି ଅଧର ପୋଛା କରି ତାପରେ ଶ୍ରୀମୁଖ ଶୃଙ୍ଗାର କରିବେ । ଏହି ସମୟରେ ଜୟ ବିଜୟ ଦ୍ୱାର ବନ୍ଦ ରହିବ । ଏହି ସେବାରେ ୫ ଜଣ ଦତ୍ତ ମହାପାତ୍ର ସେବାୟତ ନିୟୋଜିତ ରହିବେ ।
Comments are closed.