ଭୁବନେଶ୍ୱର: ଏତଲା ରଖିବାକୁ ୯ ମାସ ବିତିଲା । ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ୨୧ ଦିନ ତଳେ ପୋଲିସ ଏତଲା କରିଛି । ଶାସକ ଦଳରେ ସମସ୍ତେ ସ୍ୱଚ୍ଛ ହୋଇଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଉନି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଭେଟିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ତିର୍ତ୍ତୋଲ ବିଧାୟକଙ୍କ ବାନ୍ଧବୀ ସୋମାଲିକା ଦାଶ ।
ଗତ ବର୍ଷ ସୋମାଲିକାଙ୍କ ସହ ବିବାହ ପାଇଁ ଜଗତସିଂହପୁର ସବରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଆବେଦନ କରିଥିଲେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ହେଲେ ମାସକ ପରେ ବିବାହ ପାଇଁ ଆଉ ଆସି ନଥିଲେ । ଯାହା ପରେ ସୋମାଲିକା ବିଜୟଙ୍କ ବିରୋଧରେ ଅନେକ ସଙ୍ଗୀନ ଅଭିଯୋଗ ଆଣିଥିଲେ । ଦୁଷ୍କର୍ମ ସହ ବିଜୟ ଶଙ୍କର ସେକ୍ସ ରାକେଟ ଚଳାଉଥିବା ଅଭିଯୋଗ କରିଥିଲେ ।
ପ୍ରଥମେ ପୋଲିସ ସୋମାଲିକାଙ୍କ ଏତଲା ରଖି ନଥିଲା । ଯାହାକୁ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସୋମାଲିକା । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଏତଲା ରଖିବା ସହ ସୋମାଲିକାଙ୍କ ବୟାନ ରେକର୍ଡ କରିଛି । କିନ୍ତୁ ଯାହା ବିରୋଧରେ ଅଭିଯୋଗ, ସେହି ବିଜୟ ଶଙ୍କରଙ୍କୁ ଏବେ ଯାଏ ପୋଲିସ ପଚରାଉଚରା କରୁ ନାହିଁ । ଯାହାକୁ ନେଇ ବିରୋଧୀ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।
ପୋଲିସ, ପ୍ରଶାସନ ଠାରୁ ନିରାଶ ହେବା ପରେ ସୋମାଲିକା ନ୍ୟାୟ ଆଶାରେ ବିରୋଧୀ ଦଳ ନେତା ଜୟନାରାୟଣଙ୍କୁ ଭେଟିଛନ୍ତି । କହିଛନ୍ତି, ପ୍ରସଙ୍ଗକୁ ବିଧାନସଭାରେ ଉଠାଇବାକୁ ଅନୁରୋଧ କରିଛି । ସବୁ ପ୍ରମାଣ ସତ୍ତ୍ୱେ, ବିଜୟ ଶଙ୍କର ବିଜେଡିରେ ଥିବାରୁ କାର୍ଯ୍ୟାନୁଷ୍ଠାନ ହେଉ ନାହିଁ । ମୁଁ କେବଳ ପୋଲିସ ଓ କୋର୍ଟର ଚକ୍କର କାଟୁଛି ।
ଧୁନପାଲି ଆଇଆଇସିଙ୍କ ସହ ଜୟନାରାୟଣଙ୍କ ଧସ୍ତାଧସ୍ତି ପ୍ରସଙ୍ଗ ରାଜ୍ୟ ରାଜନୀତିରେ ଛାଇ ରହିଛି । ଏତିକି ବେଳେ ସୋମାଲିକା ଜୟନାରାୟଣଙ୍କୁ ଭେଟିବା ଇଙ୍ଗିତ କରୁଛି ଆଗକୁ ଏହି ଘଟଣା ନାରୀ ରାଜନୀତି ନିଆଁରେ ଆହୁରି ଘିଅ ଢ଼ାଳିବ ।
Comments are closed.