Latest Odisha News

ରାହୁଲଙ୍କୁ ମିଳିଲାନି ଆଶ୍ୱସ୍ତି, ନିଷ୍ପତ୍ତି ସଂରକ୍ଷିତ ରଖିଲେ ଗୁଜରାଟ ହାଇକୋର୍ଟ

ଅହମଦାବାଦ: ୨୦୧୯ର ବୟାନ ସବୁ ମୋଦି ଚୋର । ଏହି ବୟାନକୁ ରାହୁଲ ଗାନ୍ଧୀ ଫସିଥିବା ବେଳେ ଅଡ଼ୁଆ ବଢ଼ିବାରେ ଲାଗିଛି । ମଙ୍ଗଳବାର ଗୁଜରାଟ ହାଇକୋର୍ଟ ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ କୌଣସି ଅନ୍ତରୀଣ ସୁରକ୍ଷା ଦେଇ ନାହାନ୍ତି । କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ସେ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।

ହେଲେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ଗ୍ରୀଷ୍ମ ଅବକାଶ ପରେ ଜୁନ୍ ୫ ତାରିଖରେ କୋର୍ଟ ଖୋଲିଲେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ ଜଷ୍ଟିସ୍ ହେମନ୍ତ ପ୍ରଛକ । ଏହା ପୂର୍ବରୁ ଏପ୍ରିଲ୍ ୨୭ ତାରିଖରେ ରାହୁଲ ଗାନ୍ଧୀ ଓ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘବୀ କୋର୍ଟରେ ଦସ୍ତାବିଜ୍ ଦାଖଲ କରିଥିଲେ । କହିଥିଲେ, ରାହୁଲ ଗାନ୍ଧୀ କାହାକୁ ହତ୍ୟା କରି ନାହାନ୍ତି । ଯଦି ଦଣ୍ଡାଦେଶ ଉପରେ ରୋକ୍ ନ ଲଗାଯିବ ତ ରାହୁଲ ୮ ବର୍ଷ ଯାଏ ନିର୍ବାଚନ ଲଢ଼ି ପାରିବେ ନାହିଁ ।

ରାଜନୀତିରେ ଗୋଟିଏ ସପ୍ତାହ ମଧ୍ୟ ଲମ୍ବା ସମୟ । ୮ ବର୍ଷରେ ତ ଆବେଦନକାରୀଙ୍କ ରାଜନୈତିକ ଭବିଷ୍ୟତ ଶେଷ ହୋଇଯିବ ବୋଲି କୋର୍ଟରେ କହିଥିଲେ ସିଂଘବୀ । ଏହାପରେ ୨୯ ତାରିଖରେ ସିଂଘବୀ କୋର୍ଟରେ ଆଉ କିଛି ଦସ୍ତାବିଜ୍ ଦାଖଲ କରିଥିଲେ ।

ଗୋଟିଏ ପଟେ କର୍ଣ୍ଣାଟକ ନିର୍ବାଚନ ଲାଗି କଂଗ୍ରେସ ସପକ୍ଷରେ ରାହୁଲ ପାଗ ଭିଡ଼ୁଥିବା ବେଳେ ଗୁଜରାଟ ହାଇକୋର୍ଟରୁ ତାଙ୍କୁ ଆଶ୍ୱସ୍ତି ମିଳିନି । କର୍ଣ୍ଣାଟକରେ ପ୍ରଚାର କରୁଥିବା ରାହୁଲ ଏହି ମାମଲାକୁ ନେଇ ବାହାରେ ଚୁପ୍ ଥିବା ବେଳେ ଆଜି ପୁଣି ଚୋରି କଥା ଉଠାଇଛନ୍ତି । କହିଛନ୍ତି, ବିଜେପି ପ୍ରଥମେ ସରକାର ଚୋରି କରିଥିଲା । ଏବେ ସରକାରଙ୍କ ମାଧ୍ୟମରେ ଆପଣଙ୍କୁ ଲୁଟୁଛି ।

ମୋଦି ସାଙ୍ଗିଆ ମାମଲାରେ ଫସି ଚାଲିଥିବା ରାହୁଲ କର୍ଣ୍ଣାଟକରେ ପ୍ରଚାର ବେଳେ ପିଏମ୍ ମୋଦିଙ୍କୁ ସମାଲୋଚନା କରି ଚାଲିଛନ୍ତି । ଏବେ ଅପେକ୍ଷା ଗ୍ରୀଷ୍ମ ଅବକାଶ ପରେ ରାହୁଲଙ୍କୁ ଗୁଜରାଟ ହାଇକୋର୍ଟରୁ ଆଶ୍ୱସ୍ତି ମିଳିବ ନା ପୁଣି ଅଡ଼ୁଆ ବଢ଼ିବ ।

Leave A Reply

Your email address will not be published.