Latest Odisha News

BREAKING NEWS

Unknown Callers: ଏବେ ଅଜଣା କଲ୍ରୁ ମିଳିବ ମୁକ୍ତି! ସରକାର ଆଣୁଛନ୍ତି ନୂଆ ବ୍ୟବସ୍ଥା…ଏମିତି ଜାଣିବେ ଆପଣଙ୍କୁ କିଏ କରିଛି କଲ୍…

ନୂଆଦିଲ୍ଲୀ: ଏଣିକି ଅଜଣା ନମ୍ବରରୁ କଲ୍ ଆସିଲେ ଆଉ ଚିନ୍ତା ନାହିଁ! ଆପଣଙ୍କ ମୋବାଇଲ୍ ସ୍କ୍ରିନ୍‌ରେ ନମ୍ବର ସହ କଲ୍ କରୁଥିବା ବ୍ୟକ୍ତିଙ୍କ ନାଁ ମଧ୍ୟ ଦେଖାଯିବ। ଏଥିପାଇଁ ନଭେମ୍ବର ୧, ୨୦୨୬ରୁ ଦେଶରେ ନୂଆ କଲର୍ ଆଇଡି ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି କେନ୍ଦ୍ର ସରକାର।

ଦୂରସଂଚାର ବିଭାଗ ବା ଡିଓଟି ସମସ୍ତ ଟେଲିକମ୍ କମ୍ପାନୀଙ୍କୁ କଲିଂ ନେମ୍ ପ୍ରେଜେଣ୍ଟେସନ୍‌ (CNAP) ବ୍ୟବସ୍ଥା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛି। ପ୍ରାରମ୍ଭରେ ୪ଜି ଓ ୫ଜି ନେଟୱର୍କରେ ଏହା ଡିଫଲ୍ଟ ଭାବେ ଚାଲୁ ରହିବ। ଅର୍ଥାତ୍ ଏଥିପାଇଁ ମୋବାଇଲ୍ ବ୍ୟବହାରକାରୀଙ୍କୁ ଅଲଗା କିଛି କରିବାକୁ ପଡ଼ିବ ନାହିଁ।

ଯଦି କଲ୍ କରୁଥିବା ବ୍ୟକ୍ତିଙ୍କ ନମ୍ବର ଆପଣଙ୍କ କଣ୍ଟାକ୍ଟରେ ସେଭ୍ ନାହିଁ, ତେବେ ଟେଲିକମ୍ କମ୍ପାନୀର ଡାଟାବେସ୍‌ରୁ ତାଙ୍କ ନାଁ ଆସି ସ୍କ୍ରିନ୍‌ରେ ଦେଖାଯିବ। ଆନ୍ତର୍ଜାତୀୟ କଲ୍ ଆସିଲେ ‘ଇଣ୍ଟରନ୍ୟାସନାଲ୍ କଲ୍’ ବୋଲି ଦେଖାଇବ। ଏହି ବ୍ୟବସ୍ଥାରେ ଗୋପନୀୟତାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। କଲ୍ ଶେଷ ହେବା ପରେ କଲର୍‌ଙ୍କ ନାଁ ସମ୍ବନ୍ଧୀୟ ଅସ୍ଥାୟୀ ତଥ୍ୟ ହଟାଇବାକୁ ପଡ଼ିବ। ଯେଉଁମାନେ CLIR ସୁବିଧା ମାଧ୍ୟମରେ ନିଜ ପରିଚୟ ଲୁଚାଇଛନ୍ତି, ସେମାନଙ୍କ ନାଁ CNAP ଦେଖାଇବ ନାହିଁ। ବ୍ୟବସାୟିକ ସଂସ୍ଥା ନିଜ କଲ୍ ପାଇଁ ପଞ୍ଜୀକୃତ ଟ୍ରେଡ୍‌ମାର୍କ କିମ୍ବା ଜିଏସ୍‌ଟି ମାନ୍ୟତାପ୍ରାପ୍ତ ବ୍ୟବସାୟିକ ନାଁ ବ୍ୟବହାର କରିପାରିବେ। ଏଥିପାଇଁ ଆବଶ୍ୟକ କାଗଜପତ୍ର ଯାଞ୍ଚ ହେବ।

ଏବେ ୨ଜି, ୩ଜି ଓ ସାଧାରଣ ଲ୍ୟାଣ୍ଡଲାଇନ୍‌ରେ ଏହା ଲାଗୁ ହେବ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ତେବେ ମନେ ରଖନ୍ତୁ, ସ୍କ୍ରିନ୍‌ରେ ନାଁ ଦେଖାଗଲେ ମଧ୍ୟ କଲ୍‌ଟି ନିଶ୍ଚିତ ଭାବେ ଠିକ୍ ବୋଲି ଧରିନେବେ ନାହିଁ। ଠକେଇରୁ ବର୍ତ୍ତିବା ପାଇଁ ସତର୍କ ରହିବା ଜରୁରୀ।

Leave A Reply

Your email address will not be published.