Latest Odisha News

ମହାପ୍ରଭୁଙ୍କ ନବଯୌବନ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ

ପୁରୀ: ଦୀର୍ଘ ୫୩ ବର୍ଷ ପରେ ଅର୍ଥାତ ୧୯୭୧ ମସିହା ପରେ ଚଳିତବର୍ଷ ଆହ୍ବାନପୂର୍ଣ୍ଣ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁଥିରେ ମହାପ୍ରଭୁ ୧୩ ଦିନିଆ ଅଣସର ବିଜେ କରିଛନ୍ତି । ଏଥିସହିତ ଗୋଟିଏ ଦିନରେ ନେତ୍ରୋତ୍ସବ,ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ପଡୁଛି । ଯାହାକୁ ନେଇ କିଛି ବଡ ନିଷ୍ପତ୍ତି ନେଇଛି ପରିଚାଳନା କମିଟି । ଚଳିତ ରଥଯାତ୍ରାରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିବାରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ । ଗୋଟିଏ ଦିନରେ ନବଯୌବନ , ନେତ୍ରୋତ୍ସବ ଓ ଶ୍ରୀଗୁଣ୍ଡିଚା ଥିବାରୁ ନୀତି ଶୃଙ୍ଖଳିତ କରିବା ପାଇଁ ପରିଚାଳନା କମିଟିରେ ଏପରି କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କେବଳ ସେବାୟତ ପରିବାର ନବଯୌବନ ଦର୍ଶନ କରିବାର ସୁଯୋଗ ପାଇପାରିବେ ବୋଲି ନିଷ୍ପତ୍ତି ନିଆଯାଇଛି ।

ସେପଟେ ନୀତି ନିର୍ଘଣ୍ଟ ନେଇ ଛତିଶା ନିଯୋଗ ବୈଠକ ନିଷ୍ପତ୍ତିକୁ ହିଁ ଚୂଡାନ୍ତ ଅନୁମୋଦିତ କରିଛନ୍ତି ପରିଚାଳନା କମିଟି । ଏହା ସହିତ ନୀତିର ଯଥେଷ୍ଟ ପୂର୍ବରୁ ସଂପୃକ୍ତ ସେବାୟତମାନଙ୍କୁ ଉପସ୍ଥିତ ରହିବାକୁ ପରାମର୍ଶ ମଧ୍ୟ ଦିଆଯାଇଛି । ଏପରିକି ଗଜପତିଙ୍କୁ ମଧ୍ୟ ଛେରାପହଁରା ନୀତିକୁ ସଠିକ୍ ସମୟରେ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଛି ପରିଚାଳନା କିମିଟି ।

ତେବେ ୧୯୭୧ ମସିହା ନୀତି ଅନୁସାରେ ଚଳିତ ଥର ମଧ୍ୟ ନୀତି ନିର୍ଘଣ୍ଟ କରାଯାଇଛି । ଚଳିତବର୍ଷ ତିଥି କ୍ଷୟ ଯୋଗୁଁ ଗୋଟିଏ ଦିନରେ ରଥଯାତ୍ରା,, ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ ପଡୁଥିବାରୁ ସମସ୍ତ ନୀତିକାନ୍ତି କରାଯାଇ ଅପରାହ୍ନ ୫ ଟାରେ ଅର୍ଥାତ ବିଳମ୍ବରେ ରଥଟଣା ହେବ। ତେବେ ଛତିଶା ନିଯୋଗ ବୈଠକରେ ନୀତିନିର୍ଘଣ୍ଟ ଅନୁଯାୟୀ ରାତି ୨ଟା ରେ ମଙ୍ଗଳ ଆଳତୀ, ୨. ୪୦ରେ ଦଶଵତାର ଠାକୁର ବାହୁଡା ବିଜେ, ୩ଟା ରେ ଅଣସର ତାଟି ଫିଟିବ, ୩.୪୫ଟା ରେ ଦଇତାପତି ସର୍ବାଙ୍ଗ, ୪ଟା ରେ ନେତ୍ରୋତ୍ସବ ବନ୍ଦାପନା, ୫.୨୫ରେ ଦ୍ୱାରପାଳ ପୂଜା, ସକାଳ ୬ ଟାରୁ ୭ ଟା ମଧ୍ୟରେ ଗୋପାଳବଲ୍ଲଭ ଓ ସକାଳଧୂପ, ୭.୩୦ ରୁ ୧୨ ଟା ମଧ୍ୟରେ ସେନାପଟା ଲାଗି, ଦିନ ୧୧ଟା ରେ ରଥ ପ୍ରତିଷ୍ଠା, ଦିନ ୧ଟା ରେ ମଙ୍ଗଳାର୍ପଣ, ଦିନ ୧.୧୦ ରେ ଧାଡି ପହଣ୍ଡି ଆରମ୍ଭ, ଦିନ ୨.୩୦ ରେ ପହଣ୍ଡି ଶେଷ, ଅପରାହ୍ନ ୪ଟା ରେ ଛେରାପହଁରା, ଅପରାହ୍ନ ୪.୩୦ ରେ ଚାରଫିଟା ଓ ଘୋଡା ସାରଥୀ ଲାଗିବା ଓ ଅପରାହ୍ନ ୫ଟା ରେ ରଥଟଣା ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଛି । ଯାହା ଉପରେ ମୋହର ମାରିଛନ୍ତି ପରିଚାଳନା କମିଟି ।

Leave A Reply

Your email address will not be published.