Latest Odisha News

ୟୁକ୍ରେନ୍ ଫାଷ୍ଟ ଲେଡିଙ୍କ ଭାବବିହ୍ୱଳ ଚିଠି: ପୁଟିନଙ୍କୁ ନରୋକିଲେ ବିଶ୍ୱରେ ନିରାପଦ ସ୍ଥାନ ରହିବ ନାହିଁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ରୁଷ ସହ ଘମାଘୋଟ ଯୁଦ୍ଧ ଭିତରେ ସାରା ବିଶ୍ୱର ଗଣମାଧ୍ୟମ ଉଦ୍ଦେଶ୍ୟରେ ଖୋଲା ଚିଠି ଲେଖିଛନ୍ତି ୟୁକ୍ରେନର ଫାଷ୍ଟ ଲେଡି ଓଲେନା ଜେଲେନସ୍କା । ରୁଷର ଯୁଦ୍ଧ ଯୋଗୁ ଭୟ ଓ ଆତଙ୍କିତ ହୋଇ ସାଧାରଣ ଲୋକ ୟୁକ୍ରେନ୍ ଛାଡୁଛନ୍ତି । ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷ ଲୋକ ପଳାଇଲେଣି । ମାନବୀୟ ସଂକଟ ଦେଖାଦେଇଛି । ଏଭଳି ସ୍ଥିତିରେ ଭାବବିହ୍ୱଳ ଚିଠି ଲେଖିଛନ୍ତି ଜେଲେନସ୍କା ।

ଜେଲେନସ୍କା ଲେଖିଛନ୍ତି, ପୁଟିନଙ୍କୁ ନ ରୋକିଲେ ବିଶ୍ୱରେ କେହି ନିରାପଦ ନୁହନ୍ତି । ଆଣବିକ ଯୁଦ୍ଧ ଆରମ୍ଭ କରିବେ ବୋଲି ଧମକ ଦେଇଥିବା ପୁଟିନ୍‌ଙ୍କୁ ଯଦି ଆମେ ନରୋକିଲେ ବିଶ୍ୱରେ ଆଉ କାହା ପାଇଁ ନିରାପଦ ସ୍ଥାନ ରହିବ ନାହିଁ ।

ସେ ଆହୁରି ଲେଖଛନ୍ତି, ‌ରୁଷର ଆକ୍ରମଣ ଘୋଷଣା ଶୁଣି ଫେବ୍ରୁଆରୀ ୨୪ରେ ଆମ ନିଦ ଭାଙ୍ଗିଲା । ଟ୍ୟାଙ୍କ ୟୁକ୍ରେନ୍ ସୀମା ପାର କରିଥିଲା । ଲଢୁଆ ବିମାନ ସବୁ ଆକାଶପଥରେ ପ୍ରବେଶ କଲେ । ସବୁ ସହର ଚାରିପଟେ ମିସାଇଲ୍‌ ମାଡ ପାଇଁ ଘେରିଗଲେ ୟୁକ୍ରେନ୍ ସୈନ୍ୟ । ଏହାକୁ ସ୍ୱତନ୍ତ୍ର ଅଭିଯାନ ବୋଲି କହୁଥିବା କ୍ରେମ୍‌ଲିନ୍ର ବାସ୍ତବରେ ଏହା ହେଉଛି ୟୁକ୍ରେନ୍‌ର ସାଧାରଣ ନାଗରିକଙ୍କୁ ସଂହାର ଅଭିଯାନ ।
ରୁଷିଆ କହିଥିଲା ଯୁଦ୍ଧରେ ସାଧାରଣ ନାଗରିକଙ୍କୁ ଟାର୍ଗେଟ୍ କରାଯିବନି । କିନ୍ତୁ ଏହି ଆକ୍ରମଣର ସବୁଠୁ ଭୟାବହ ଘଟଣା ହେଉଛି ଛୋଟ ଛୋଟ ପିଲାଙ୍କ ମୃତ୍ୟୁ । ୟୁକ୍ରେନରେ ମହିଳା ଓ ପିଲାମାନେ ଆଶ୍ରୟସ୍ଥଳୀ ଓ ବେସମେଣ୍ଟରେ ରହୁଛନ୍ତି ବୋଲି ୟୁକ୍ରେନର ଫାଷ୍ଟ ଲେଡି କହିଛନ୍ତି ।

ଓଲେନା ଜେଲେନସ୍କା କହିଛନ୍ତି, ୟୁକ୍ରେନ୍‌ ଶାନ୍ତି ଚାହେଁ । ନିଜର ସୀମାକୁ ସୁରକ୍ଷା ଦେବ । ରିଚୟକୁ ସୁରକ୍ଷିତ ରଖିବ । ଏହା ଅନ୍ୟଥା ହେବନାହିଁ । ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତରଣ କରିବା ପାଇଁ ମାନବୀୟ ସହାୟତା ନିମନ୍ତେ ନିରାପଦ କରିଡର୍‌ ଆବଶ୍ୟକ କରୁଛୁ ।

ୟୁକ୍ରେନ୍ ଆକାଶପଥ ବନ୍ଦ କରିବାକୁ ଶକ୍ତିଶାଳୀ ରାଷ୍ଟ୍ରଙ୍କୁ ସେ ଅପିଲ୍ କରିଛନ୍ତି । ସ୍ଥଳଭାଗରେ ଚାଲିଥିବା ଯୁଦ୍ଧକୁ ଆମେ ମୁକାବିଲା କରିପାରିବୁ ବୋଲି ସେ କହିଛନ୍ତି । ଏଥିସହ ଗଣମାଧ୍ୟମକୁ ନିବେଦନ କରିଛନ୍ତି, ୟୁକ୍ରେନରେ କ’ଣ ସବୁ ଘଟୁଛି ତାହା ପ୍ରସାର କରିଚାଲନ୍ତୁ । ସତ୍ୟ ପ୍ରଦର୍ଶନ କରନ୍ତୁ । ରୁଷୀୟ ସଂଘ ଆରମ୍ଭ କରିଥିବା ଯୁଦ୍ଧ ସୂଚନାର ପ୍ରତିଟି ପ୍ରମାଣ ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି ୟୁକ୍ରେନର ଫାଷ୍ଟ ଲେଡି କହିଛନ୍ତି ।

Comments are closed, but trackbacks and pingbacks are open.