Latest Odisha News

BREAKING NEWS

ନିଟ୍‌-୨୦୨୧ ପରୀକ୍ଷା ବାତିଲ ହେବ ନାହିଁ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ୨୦୨୧ ନିଟ୍‌ ପରୀକ୍ଷା ବାତିଲ ହେବନାହିଁ । ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ୍‌ ଏନେଇ ସ୍ପଷ୍ଟ କରିଛନ୍ତି । ‘୨୦୨୧ ସିବିଏସ୍‌ଇ’, ‘୨୦୨୧ ଜେଇଇ’, ‘୨୦୨୧ ନିଟ୍‌’ ଏବଂ ଅନ୍ୟାନ୍ୟ ବୋର୍ଡ ପରୀକ୍ଷା ହେବା ନ ହେବା ପ୍ରସଙ୍ଗରେ ଆଜି ଓ୍ୱେବିନର ଜରିଆରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ୍‌ ‘ନିଶଙ୍କ’ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି।

ଲକ୍ଷାଧିକ ଛାତ୍ରଛାତ୍ରୀ ପ୍ରଭାବିତ ହେବା ଆଶଙ୍କାର ଥିବାରୁ ‘୨୦୨୧ ନିଟ୍‌’ ପରୀକ୍ଷା ବାତିଲ କରାଯିବାର ଯୋଜନା ନାହିଁ ବୋଲି ଆଲୋଚନା ବେଳେ ଛାତ୍ରଛାତ୍ରୀଙ୍କୁ ଆଶ୍ବାସନା ଦେଇଛନ୍ତି ଶିକ୍ଷାମନ୍ତ୍ରୀ । ସେ କହିଛନ୍ତି, ଛାତ୍ରଛାତ୍ରୀ ଓ ଦେଶ ପାଇଁ ବ୍ୟାପକ କ୍ଷତି ହେଉଥିବାରୁ ‘୨୦୨୧ ନିଟ୍‌’ ପରୀକ୍ଷା ବାତିଲ କରାଯାଇ ପାରିବ ନାହିଁ ।

ଅଫଲାଇନ ଓ ଅନଲାଇନ ପରୀକ୍ଷା ସମ୍ପର୍କରେ ଶିକ୍ଷାମନ୍ତ୍ରୀ କହିଛନ୍ତି, ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସୀ ବା ଏନ୍‌ଟିଏ ବର୍ତ୍ତମାନ ଅଫ୍‌ଲାଇନ୍‌ ମୋଡ୍‌ରେ ‘ନିଟ୍‌’ ପରୀକ୍ଷା କରାଉଛି । ମହାମାରୀକୁ ଦୃଷ୍ଟିରେ ରଖି ଆଗକୁ ଅନଲାଇନ ନା ଅଫଲାଇନ ମୋଡରେ ପରୀକ୍ଷା ହେବ ସେନେଇ ବିଚାରବିମର୍ଶ ଓ ଛାତ୍ରଛାତ୍ରୀଙ୍କଠାରୁ ଆସୁଥିବା ପ୍ରସ୍ତାବକୁ ଆଧାର କରି ବିକଳ୍ପ ବ୍ୟବସ୍ଥା କରାଯିବ ।

ସିବିଏସ୍‌ଇ ବୋର୍ଡ ପରୀକ୍ଷା ପ୍ରସଙ୍ଗରେ ପୋଖରିୟାଲ୍‌ କହିଛନ୍ତି, ୨୦୨୧ ଶିକ୍ଷାବର୍ଷ ପାଇଁ ବୋର୍ଡ ୩୦% ସିଲାବସ୍‌ ହ୍ରାସ କରିଛି। ଏହି ପରୀକ୍ଷା ଫେବୃଆରୀ-ମାର୍ଚ୍ଚରେ ହେବ କି ପ୍ରଶ୍ନରେ ଶିକ୍ଷାମନ୍ତ୍ରୀ କହିଛନ୍ତି, ପରୀକ୍ଷା ତାରିଖ ଯଥେଷ୍ଟ ଆଗୁଆ ଘୋଷଣା କରାଯିବ। ଯେପରି ଛାତ୍ରଛାତ୍ରୀ ପ୍ରସ୍ତୁତି ପାଇଁ ଯଥେଷ୍ଟ ସମୟ ପାଇବେ।

Comments are closed.