Latest Odisha News

BREAKING NEWS

ପରୀକ୍ଷା ପାଇଁ ହେବନି ବିଦ୍ୟୁତ୍ କାଟ୍

ଭୁବନେଶ୍ୱର: ଚଳିତ ବର୍ଷ ଏପ୍ରିଲ ମାସରେ ଅପେକ୍ଷାକୃତ ଅଧିକ ଗ୍ରୀଷ୍ମ ପ୍ରବାହ ଏବଂ ଆଗାମୀ ମେଟ୍ରିକ ବୋର୍ଡ ଓ +୨ ପରୀକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟୁତ ଯୋଗାଣ କାଟ ନକରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ବିଦ୍ୟୁତ୍ ବିତରକ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୋମବାର ଏକ ସ୍ୱତନ୍ତ୍ର ସମୀକ୍ଷା ବୈଠକରେ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜବିହାରୀ ଧଳ ରାଜ୍ୟରେ ବିଦ୍ୟୁତ ଉତ୍ପାଦନ ଓ ବଣ୍ଟନ ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ଗ୍ରୀଡ୍କୋ, ଓ.ପି.ଟି.ସି.ଏଲ୍., ଓଡ଼ିଶା ଜଳ ବିଦ୍ୟୁତ ନିଗମ, ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମଙ୍କ ସମେତ ବିଭିନ୍ନ ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥା ଓ କଂପାନୀମାନେ ବିଦ୍ୟୁତ ବଣ୍ଟନ ବିଷୟରେ ସଦ୍ୟତନ ତଥ୍ୟ ଜଣାଇଥିଲେ ।

ସ୍ଥିତିର ସମୀକ୍ଷା କରି ଗ୍ରୀଷ୍ମ ପ୍ରବାହ ଏବଂ ପିଲାମାନଙ୍କର ପରୀକ୍ଷା ଦୃଷ୍ଟିରୁ ଘରୋଇ ଉପଭୋକ୍ତା, ଶିକ୍ଷାନୁଷ୍ଠାନ, ପରୀକ୍ଷା କେନ୍ଦ୍ର ଆଦିକୁ ବିଦ୍ୟୁତ ଯୋଗାଣ କାଟ ନକରିବା ପାଇଁ ମୁଖ୍ୟ ଶାସନ ସଚିବ ବିଦ୍ୟୁତ ବିତରକ କଂପାନୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବ୍ୟବସାୟିକ ପ୍ରତିଷ୍ଠାମାନଙ୍କୁ ମଧ୍ୟ ବିଦ୍ୟୁତ ଯୋଗାଣ ଅବ୍ୟାହତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବିଦ୍ୟୁତ ଦେୟ ପୈଠ ହୋଇନଥିବା କାରଣରୁ କୌଣସି ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ବିଦ୍ୟୁତ ସଂଯୋଗ ନକାଟିବାକୁ ମଧ୍ୟ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଜଳଜାତ ବିଦ୍ୟୁତର ସଠିକ ପରିଚାଳନା ଓ ଉପଯୋଗ କରି ଏହି ସବୁ ଉପଭୋକ୍ତାଙ୍କୁ ଅଗ୍ରାଧିକାର ଭିତ୍ତିରେ ବିଦ୍ୟୁତ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହାଛଡା ରାଜ୍ୟରେ ବିଦ୍ୟୁତ ଉତ୍ପାଦନକାରୀ କଂପାନୀମାନଙ୍କୁ ଉନ୍ନତ୍ତ ମାନର କୋଇଲା ଯୋଗାଣ ଅବ୍ୟାବହତ ରଖିବାକୁ ଏମ୍.ସି.ଏଲ୍. ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅଧିକ କୋଇଲା ପରିବହନ ନିମନ୍ତେ ଅଧିକ ରେକ୍ ଯୋଗାଇବା ପାଇଁ ମଧ୍ୟ ରେଳବାଇ କର୍ତ୍ତୁପକ୍ଷଙ୍କୁ ଅନୁରୋଧ କରାଯାଇଥିଲା । ରାଜ୍ୟକୁ ବିଦ୍ୟୁତ ଯୋଗାଣ ଅଙ୍ଗିକାରବଦ୍ଧତା ପୂରଣ କରିବାକୁ ବିଦ୍ୟୁତ କଂପାନୀମାନଙ୍କୁ କୁହାଯାଇଛି।

Leave A Reply

Your email address will not be published.