No Road to Village: ଆଉ କେତେ ଦିନ ଖଟିଆ ଯନ୍ତ୍ରଣା? ଯାଇଥିଲେ ଦୁଇ ମୁଠା ଦାନା ପାଇଁ, ଫେରିଲେ ଶବ ହୋଇ…ରାତିସାରା ରାସ୍ତାରେ ପଡିରହିଲେ ଶିବ!
ଥୁଆମୂଳ ରାମପୁର: ବିକାଶର ଦାବି ମଧ୍ୟରେ ଦୁର୍ଗମ ଅଞ୍ଚଳର ବାସ୍ତବ ଚିତ୍ର ପୁଣି ସାମ୍ନାକୁ ଆସିଛି। ଗାଁକୁ ନାହିଁ ସବୁଦିନିଆ ରାସ୍ତା। ବର୍ଷା ହେଲେ କାଦୁଅରେ ପରିଣତ ହେଉଛି ଯାତାୟାତର ଏକମାତ୍ର ରାସ୍ତା। ଫଳରେ ହାଇଦ୍ରାବାଦରେ ମୃତ୍ୟୁବରଣ କରିଥିବା ଜଣେ ଦାଦନ ଶ୍ରମିକଙ୍କ ମୃତଦେହକୁ ପ୍ରାୟ ୮ କିଲୋମିଟର ଖଟିଆରେ ବୋହି ଗାଁକୁ ନେବାକୁ ପଡ଼ିଛି। ଏଭଳି ଦୁଃଖଦ ଘଟଣା କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ପାଡେପଦର ପଞ୍ଚାୟତ ଅନ୍ତର୍ଗତ ଖମାରପଦର ଗାଁର ଭାଟିପାସ ଅଞ୍ଚଳରୁ ସାମ୍ନାକୁ ଆସିଛି।
ଖମାରପଦର ଗାଁର ଶିବ ମାଝୀ ଦୁଇ ପରିବାରର ପେଟକୁ ଦୁଇମୁଠା ଦାନା ଯୋଗାଇବା ଆଶାରେ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତଦେହ ଗାଁ ନିକଟକୁ ଫେରିବା ପରେ ଆରମ୍ଭ ହୋଇଥିଲା ଆଉ ଏକ ସମସ୍ୟା। ଗାଁକୁ ଯିବା ପାଇଁ ନଥିଲା ଯାନବାହନ ଚଳାଚଳ ଯୋଗ୍ୟ ରାସ୍ତା। ଗାଁଠାରୁ ପ୍ରାୟ ୮ କିଲୋମିଟର ଦୂର ଦୁରେସପଦର ଡୁମୁନିନାଳା ଜଙ୍ଗଲୀ ରାସ୍ତାରେ ବର୍ଷା ଯୋଗୁଁ ଆଣ୍ଠୁଏ କାଦୁଅ ଛିଡା ହୋଇଥିଲା। ଫଳରେ ରାତିରେ ମୃତଦେହକୁ ଗାଁକୁ ନେବା ସମ୍ଭବ ହୋଇନଥିଲା। ରାସ୍ତାରେ ହିଁ ମୃତଦେହକୁ ରଖିବାକୁ ପଡ଼ିଥିଲା। ପରଦିନ ସକାଳେ ଗାଁ ଲୋକେ ଖଟିଆରେ ମୃତଦେହକୁ ବୋହି ପ୍ରାୟ ୮ କିଲୋମିଟର ଦୂର ଗାଁରେ ପହଞ୍ଚାଇଥିଲେ।
ଶିବ ଥିଲେ ଦୁଇ ପରିବାରର ଏକମାତ୍ର ରୋଜଗାରିଆ ପୁଅ। ତାଙ୍କ ମୃତ୍ୟୁ ପରେ ବୃଦ୍ଧା ମା’ଙ୍କ ସମେତ ପରିବାର ଲୋକେ ଅସହାୟ ହୋଇପଡ଼ିଛନ୍ତି। ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଏଯାଏ ସ୍ପଷ୍ଟ ହୋଇନଥିବା ଜଣାପଡ଼ିଛି।
ଜୀବନରେ ପରିବାର ପାଇଁ ରୋଜଗାର ସନ୍ଧାନରେ ହାଇଦ୍ରାବାଦ ଯାଇଥିବା ଶିବ ଆଉ ଜୀବନ୍ତ ଫେରିପାରିଲେ ନାହିଁ। ମୃତ୍ୟୁ ପରେ ମଧ୍ୟ ତାଙ୍କ ଶବକୁ ନିଜ ଗାଁ ମାଟିରେ ପହଞ୍ଚାଇବା ପାଇଁ ଲୋକଙ୍କୁ ଯେଉଁ ଯନ୍ତ୍ରଣା ଭୋଗିବାକୁ ପଡ଼ିଲା, ତାହା ଅଞ୍ଚଳର ରାସ୍ତା ଓ ଯାତାୟାତ ବ୍ୟବସ୍ଥାର ଦୁରବସ୍ଥାକୁ ସ୍ପଷ୍ଟ କରୁଛି। ଗାଁକୁ ସବୁଦିନିଆ ରାସ୍ତା କେବେ ହେବ, ସେନେଇ ଏବେ ବି ଚାହିଁ ବସିଛନ୍ତି ଗାଁ ଲୋକେ । ଆଉ କେତେ ଦିନ ଲୋକଙ୍କୁ ଜୀବନ୍ତ ଥିବାବେଳେ ଦୁର୍ଗମତାର ଯନ୍ତ୍ରଣା ଓ ମୃତ୍ୟୁ ପରେ ଖଟିଆର ଯନ୍ତ୍ରଣା ଭୋଗିବାକୁ ପଡ଼ିବ? ଶିବଙ୍କ ଶବକୁ ୮ କିଲୋମିଟର ଖଟିଆରେ ବୋହି ନେବାର ଏହି ଦାରୁଣ ଚିତ୍ର ପ୍ରଶାସନର ବିକାଶ ଦାବି ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
