No Toll Collection: ଟ୍ରାଫିକ ଜାମ୍ କିମ୍ବା ଖାଲ ଥିବା ଜାତୀୟ ରାଜପଥରେ ଆଦାୟ କରିପାରିବେନି ଟୋଲ ଫି’: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଟୋଲ ଫି’କୁ ନେଇ ଆସିଲା ସୁପ୍ରିମକୋର୍ଟଙ୍କ ବଡ଼ ରାୟ। କେରଳ ପଲିୟେକ୍କାରାରେ ଜାତୀୟ ରାଜପଥ ୫୪୪ରେ ଟୋଲ ପ୍ଲାଜାରେ ଟୋଲ ଆଦାୟ ମାମଲାରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଶୁଣାଣିରେ ସୁପ୍ରିମକୋର୍ଟ କହିଛନ୍ତି, ଯେଉଁ ରାସ୍ତାରେ ଗାଡି ଚଲାଇବା ଉପଯୋଗୀ ନୁହେଁ, ଯେଉଁଠି ଟ୍ରାଫିକ ଜାମ୍ ଲାଗିବା ସହିତ ରାସ୍ତାରେ ଅନେକ ଗାତ ଥାଏ, ସେହି ହାଇଓେ୍ବରେ ଟୋଲ୍ ଦେବାକୁ କୌଣସି ଯାତ୍ରୀଙ୍କୁ ବାଧ୍ୟ କରାଯିବ ନାହିଁ। ଯଦି କୌଣସି ରାସ୍ତା ପାର୍ ହେବାକୁ ୧୨ ଘଣ୍ଟା ସମୟ ଲାଗିଥାଏ, ତେବେ କାହିଁକି କିଏ ୧୫୦ ଟଙ୍କା ଟୋଲ୍ ଫି ଦେବ।
ଭାରତର ମୁଖ୍ୟ ବିଚାରପତି ଭୂଷଣ ଆର ଗଭାଇଙ୍କ ଅଧ୍ୟକ୍ଷତାରେ ବିଚାରପତି ବିନୋଦ ଚନ୍ଦ୍ରନ ଏବଂ ବିଚାରପତି ଏନଭି ଅଞ୍ଜାରିୟାଙ୍କ ପୀଠ ଭାରତୀୟ ଜାତୀୟ ରାଜପଥ ଦ୍ୱାରା ପିଟିସନକୁ ଖାରଜ କରିଦେଇଛନ୍ତି। ଏହି ପୀଠରେ ଟୋଲ ଆଦାୟ ହେବାର ଆର୍ଥିକ କ୍ଷତିର ତୁଳନାରେ ନାଗରିକଙ୍କ କଲ୍ୟାଣକୁ ପ୍ରାଥମିକତା ଦିଆଯାଇଛି। ସୁପ୍ରିମକୋର୍ଟଙ୍କ ପୀଠ କହିଛନ୍ତି ଯେ, ନାଗରିକଙ୍କୁ ସେହି ରାସ୍ତାରେ ଯିବା-ଆସିବା କରିବା ଉଚିତ, ଯେଉଁ ଭଲ ରାସ୍ତା ପାଇଁ ସେମାନେ ପୂର୍ବରୁ ଟ୍ୟାକ୍ସ ଦେଇ ସାରିଛନ୍ତି ଏବଂ ସେ ଖାଲ-ଢିପ ରାସ୍ତା ଦେଇ ଯିବା ଆସିବା ପାଇଁ ଆଉ ଟ୍ୟାକ୍ସ ପେମେଣ୍ଟ କରିବାକୁ ପଡିବନି।
ଆମେ ହାଇକୋର୍ଟଙ୍କ ଯୁକ୍ତି ସହ ସହମତ ହୋଇପାରିବୁ ନାହିଁ। ଉପଭୋକ୍ତାମାନେ ଟ୍ୟାକ୍ସ ଦେବାର ଅର୍ଥ ସେମାନେ ଭଲ ରାସ୍ତା ଦେଇ ଯିବା ଆସିବା କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସୂଚନାଯୋଗ୍ୟ, କେରଳ ହାଇକୋର୍ଟ ୪ ସପ୍ତାହ ପାଇଁ ଟୋଲ୍ ଆଦାୟକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ କହିଥିଲେ ଯେ, ଏଡାପଲ୍ଲୀ-ମନୁଥି ରାସ୍ତାର ସଠିକ୍ ରକ୍ଷଣାବେକ୍ଷଣ କରାଯାଇ ନାହିଁ ଏବଂ ନିର୍ମାଣ କାର୍ଯ୍ୟରେ ବିଳମ୍ବ ଯୋଗୁଁ ଏଥିରେ ପ୍ରବଳ ଟ୍ରାଫିକ୍ ଜାମ୍ ହେଉଛି। ଯେତେବେଳେ ରାସ୍ତାର ଖରାପ ରକ୍ଷଣାବେକ୍ଷଣ ଏବଂ ଫଳରେ ଟ୍ରାଫିକ୍ ଜାମ୍ ଯୋଗୁଁ ରାଜପଥରେ ପ୍ରବେଶ ବାଧାପ୍ରାପ୍ତ ହୁଏ, ସେତେବେଳେ ଜନସାଧାରଣଙ୍କଠାରୁ ଟୋଲ୍ ଫି ଆଦାୟ କରାଯାଇପାରିବ ନାହିଁ।
Comments are closed.