Latest Odisha News

କବିତା ପାଇଁ ନୋବେଲ ପୁରସ୍କାର, ହେଲେ କବିତା ପଢୁଥିବା ଲୋକ କାହାନ୍ତି??

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ

ସାହିତ୍ୟ ପାଇଁ ଚଳିତ ବର୍ଷର ନୋବେଲ ପୁରସ୍କାର ଯେତେବେଳେ ଆମେରିକାର କବି ଲୁଇସ ଗ୍ଳୁକଙ୍କୁ ପ୍ରଦାନ କରାଯିବ ବୋଲି ଘୋଷଣା କରାଗଲା, ତାହା ଅନେକାଂଶରେ ଆଶ୍ଚର୍ଯ୍ୟଜନକ ଥିଲା। ପୃଥିବୀରେ କବିତା ଲେଖୁଥିବା ଲୋକଙ୍କ ସଂଖ୍ୟା ବଢୁଥିବା ବେଳେ କବିତା ପଢୁଥିବା ଲୋକଙ୍କ ସଂଖ୍ୟା କମୁଛି ବୋଲି ଏକ ସ୍ପଷ୍ଟ ଧାରଣା ଲୋକଙ୍କ ମନରେ ରହିଛି। ତେଣୁ ଯେତେବେଳେ ଜଣେ କବିଙ୍କୁ ନୋବେଲ ପୁରସ୍କାର ଦିଆଗଲା, ସେଥିରେ ଲୋକେ ଆଶ୍ଚର୍ଯ୍ୟ ହେବା ସ୍ଵାଭାବିକ।

ନିଜେ କବି ଲୁଇସ କହିଛନ୍ତି, ଏହା ତାଙ୍କଲାଗି ଏକ ପ୍ରକାର ଚକିତ କଲାଭଳି ଖବର। ଏହି ପୁରସ୍କାର ପାଇବା ପରେ କବିଙ୍କର ମାନସିକ ଶାନ୍ତି ବ୍ୟାହତ ହେଉଛି ଓ ଅଯଥାରେ ଗୁଡାଏ ଟେଲିଫୋନ କଲ ତାଙ୍କ ପାଖକୁ ଆସୁଛି ବୋଲି ସେ ବିରକ୍ତି ପ୍ରକାଶ କରିଛନ୍ତି। ବାସ୍ତବରେ କବିମାନଙ୍କୁ ପୁରସ୍କାର ଦେବାରେ ଏ ପ୍ରକାର ପ୍ରତିକ୍ରିୟା ସ୍ଵାଭାବିକ। ପ୍ରାୟ କବି ନିଜେ ନିଜର ସୁରକ୍ଷିତ ଖୋଳପା ଭିତରେ ନିଜ ଜୀବନ ଓ ଜଗତ ସହିତ ରହିବାକୁ ଭଲ ପାଇଥାନ୍ତି।

ଏହି ପୁରସ୍କାର ଘୋଷଣା ହେବା ସହିତ ନୋବେଲ ପୁରସ୍କାର ପ୍ରଦାନ କରୁଥିବା ସଂସ୍ଥା ରୟାଲ ସୁଇଡିସ ଏକାଡେମି ତାଙ୍କ ନିଜ ୱେବ ସାଇଟରେ ପାଠକମାନଙ୍କୁ ଏକ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନ ମଧ୍ୟ ପଚାରିଥିଲେ। ପ୍ରଶ୍ନଟି ହେଉଛି- ଆପଣ ଚଳିତ ବର୍ଷ ନୋବେଲ ପୁରସ୍କାର ଘୋଷଣା ହେବା ପୂର୍ବରୁ ବିଜେତା କବି ଲୁଇସ ବ୍ଲୁକଙ୍କ କବିତା ପଢିଛନ୍ତି କି? ଏହି ଲେଖା ପ୍ରସ୍ତୁତ ହେଲା ବେଳକୁ ୩୨୦୭ ଜଣ ପାଠକ ଏ ବିଷୟରେ ମତ ରଖିଥିଲେ। ସେମାନଙ୍କ ଭିତରୁ ମାତ୍ର ୧୧% ପାଠକ କହିଛନ୍ତି ଯେ, ସେମାନେ ଲୁଇସ ବ୍ଲୁକଙ୍କ କବିତା ଆଗରୁ ପଢିଛନ୍ତି। ବାକି ୮୯% ପାଠକ ଲୁଇସ ବ୍ଲୁକଙ୍କ କବିତା ଆଦୌ ପଢିନାହାନ୍ତି।

କବିତାର ଜଣେ ଆଗ୍ରହୀ ପାଠକ ଭାବରେ ମୁଁ ଆଗରୁ ଲୁଇସ ବ୍ଲୁକଙ୍କର କିଛି କବିତା ପଢିଛି। ସେ ଅତ୍ୟନ୍ତ ପ୍ରଭାବଶାଳୀ କବି। କବିତାରେ ଜୀବନର ଚିତ୍ର ଚିତ୍ର ଗଢିବାର ଏକ ବିଚିତ୍ର କଳା କୌଶଳ ତାଙ୍କ କବିତାରେ ରହିଥାଏ। ତେବେ ଆମେରିକାର ସାହିତ୍ୟ କବିତା ତୁଳନାରେ ଗଦ୍ୟ ସାହିତ୍ୟକୁ ନେଇ ଅଧିକ ଚର୍ଚ୍ଚାରେ ରହି ଆସିଛି। ନବେ ଦଶକ ପରେ ନୋବେଲ ପୁରସ୍କାର ପାଇବାରେ କବିମାନଙ୍କର ସଂଖ୍ୟା ଢେର କମ। ଗତ ୨୦ ବର୍ଷ ଭିତରେ ମାତ୍ର ଦୁଇଜଣ କବି ଓ ଜଣେ ଗୀତିକାରଙ୍କୁ ଏ ପୁରସ୍କାର ମିଳିଛି। ୨୦୧୧ ରେ ପ୍ରଖ୍ୟାତ ସୁଇଡିସ କବି ଟମାସ ଟ୍ରାନ୍ସଟ୍ରୋମର, ୨୦୧୬ ରେ ଗାୟକ ଓ ଗୀତିକାର ବବ ଡିଲାନ ଏବଂ ଚଳିତ ବର୍ଷ ଆମେରିକାର କବି ଲୁଇସ ବ୍ଲୁକ ଏ ପୁରସ୍କାର ପାଇଛନ୍ତି। ଆପାତତଃ ପୃଥିବୀର ସବୁଠୁ ବଡ ସାହିତ୍ୟ ପୁରସ୍କାର ପ୍ରାପକ ତାଲିକାରେ କବିମାନଙ୍କର ସଂଖ୍ୟା କମି କମି ଆସୁଛି। ନବେ ଦଶକରେ ଚାରିଜଣ କବି ଏ ପୁରସ୍କାର ପାଇଥିଲେ। ୧୯୯୦ ରେ ଅକ୍ଟାଭିଓ ପାଜ, ୧୯୯୨ ରେ ଡେରିକ ୱାଲକଟ, ୧୯୯୫ ରେ ସିମସ ହିନି ଏବଂ ୧୯୯୬ ରେ ୱିସଲାୱା ଶିମ୍ବୋର୍ସ୍କା। ସାହିତ୍ୟର ସୂକ୍ଷ୍ମତମ ବିଭାଗ ଭାବରେ କବିତା ସବୁବେଳେ ରାଜରାଣୀର ଆସନ ଦାବି କରିଆସିଛି। ହେଲେ ସମୟ ସହିତ କବିତାର ଆଦର କଉଛି କି? ନୋବେଲ ୱେବ ସାଇଟର ଜନମତକୁ ବିଶ୍ଵାସ କଲେ, ପୃଥିବୀର ସବୁଠୁ ବଡ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ କବିଙ୍କ କବିତା ପଢିଥିବା ଲୋକଙ୍କ ସଂଖ୍ୟା ମାତ୍ର ୧୧%। ଏହା କବିତାର କ୍ରମଶଃ ହ୍ରାସ ପାଉଥିବା ପାଠକୀୟତାର ସଙ୍କେତ ବୋଲି ଆମେ କହିପାରିବା।

ତେବେ କବିତାର ପାଠକ ସଂଖ୍ୟା ସବୁବେଳେ କମ ରହିବା ଏକ ସ୍ଵାଭାବିକ କଥା। ଯେଉଁ କବିତାକୁ “ବିଲେ ବୋଲେ ଚଷା, ଅନ୍ତଃପୁରେ ଯୋଷା, ନୃତ୍ୟରଙ୍ଗେ ବାରାଙ୍ଗନା”, ସେ କବିତା ଭିନ୍ନ ଥିଲା। ସେତେବେଳେ ସାହିତ୍ୟ କହିଲେ କେବଳ କବିତା ଇ ଥିଲା। ପୁରାଣ,କାବ୍ୟ ଓ କବିତା, ଏହାହିଁ ଥିଲା ଆମ ସାହିତ୍ୟର ଏକମାତ୍ର ପିଣ୍ଡି। ଆମେ କାହାଣୀ ମଧ୍ୟ କବିତା ମାଧ୍ୟମରେ କହୁଥିଲୁ। ଏପରିକି ଦର୍ଶନର ଜଟିଳ ତତ୍ତ୍ଵ, ଆୟୁର୍ବେଦ ଏବଂ ଅସ୍ତ୍ରବିଦ୍ୟା ଭଳି ପ୍ରୟୋଗକାରୀ ଶାସ୍ତ୍ର ମଧ୍ୟ ଆମେ କବିତା ମାଧ୍ୟମରେ ଲେଖୁଥିଲୁ। ଉଭୟ ପ୍ରାଚ୍ୟ ଏବଂ ପାଶ୍ଚାତ୍ୟ ସାହିତ୍ୟରେ ଦୀର୍ଘ ବର୍ଷ ଧରି କବିତାର ବିକଳ୍ପ ନଥିଲା। ତେଣୁ, ପ୍ରାଚୀନ କବିତାର ଲୋକପ୍ରିୟତା ସହିତ ଆଧୁନିକ କବିତାର ଲୋକପ୍ରିୟତାକୁ ତୁଳନା କରିବା ଆଦୌ ଯଥାର୍ଥ ହେବନାହିଁ ।
ସାହିତ୍ୟରେ ଆଧୁନିକତା ସହିତ ଗଣତନ୍ତ୍ର ମଧ୍ୟ ପ୍ରବେଶ କରିଛି। କବିତାର ଏକଛତ୍ରବାଦ ସାହିତ୍ୟରୁ ବିଦାୟ ନେଇଛି ଓ ଆସିଛି ଅନେକ ନୂଆ ସାହିତ୍ୟିକ ନିର୍ମାଣ କୌଶଳ। ଗଦ୍ୟ ସାହିତ୍ୟର ବିକାଶ ପରେ ଗଳ୍ପ ଓ ଉପନ୍ୟାସ କବିତାର ଜାଗା ଆବୋରି ନେଇଛନ୍ତି। ତାରି ଭିତରେ କବିତା ନିଜର ଅସ୍ତିତ୍ଵ ବଜାୟ ରଖିଛି, ସେଇଟା କିଛି କମ କଥା ନୁହଁ।

ଆଧୁନିକ ଜୀବନ ଶୈଳୀ ରେ କବିତା ସବୁଠୁ ଅଧିକ ଯାତନା ସହିଛି। କବିତା ଏକ ସୂକ୍ଷ୍ମ ଓ ସୁକୁମାର କଳା। ଆଧୁନିକ ସମୟର ଗତି ଏତେ ତୀବ୍ର ଯେ, ଏହା ସହିତ ତାଳ ଦେଇ ଚାଲିଲା ବେଳେ କବିତା ନିରନ୍ତର ରକ୍ତାକ୍ତ ହେଉଛି। ସମକାଳୀନ କବିତାର ଭାଗ୍ୟ ହେଉଛି, ନିରନ୍ତର ଯାତନା ଭୋଗିବା ଏବଂ ରକ୍ତାକ୍ତ ହୋଇ ଚାଲିବା। ଏହି ରକ୍ତାକ୍ତ ହୋଇ ଚାଲିବାର ଆଉ ଏକ ଅଂଶ ହେଉଛି ଅଲୋଡା ହୋଇ ରହିବା। କ୍ଵଚିତ ପାଠକ ରହିବେ, ଯେଉଁମାନେ କବିତା ପଢିବେ ଓ କବିତାକୁ ଭଲ ପାଇବେ। ତାରି ଭିତରୁ ଅନେକ ପାଠକ ଆଶା କରିବେ ଯେ, କବିତା ତାଙ୍କର ମନୋରଞ୍ଜନ କରୁ। ମନୋରଞ୍ଜନ ଦେବାରେ ବିଫଳ କବିକୁ ସମାଜର ତିରସ୍କାର ସହିବାକୁ ପଡିବ।
ନୋବେଲ ପୁରସ୍କାର ମିଳିଲେ ମଧ୍ୟ, ସେଇଠି କେହି ଜଣେ କବିକୁ ବିଦ୍ରୂପ କରି କହୁଥିବ- ଯାଅ ହୋ, କିଏ ପଢୁଛି ତମକୁ। ସବୁ ବିଦ୍ରୁପକୁ ଦୃପ୍ତ ଠାଣିରେ ଅସ୍ଵୀକାର କରି ଯିଏ ଏକଲା ଚାଲିବାର ସାହସ ରଖେ- ସେ ହିଁ କବି।

ଶାସ୍ତ୍ରୀ ନଗର, ୟୁନିଟ୍ ୪, ଭୁବନେଶ୍ୱର  ମୋ: ୯୪୩୭୧୫୪୪୪୫
(ଲେଖକ ଜଣେ ସାମ୍ବାଦିକ ତଥା ସ୍ତମ୍ଭକାର)
ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Comments are closed.