‘ପୀଡ଼ିତା’ ନୁହେଁ ‘ସର୍ଭାଇଭର’: ଯୌନ ଅପରାଧ ମାମଲାରେ ଲିଙ୍ଗଗତ ସମ୍ବେଦନଶୀଳ ଶବ୍ଦ ବ୍ୟବହାର ପାଇଁ ସୁପ୍ରିମକୋର୍ଟଙ୍କ ମାର୍ଗଦର୍ଶିକା
ନୂଆଦିଲ୍ଲୀ: ଭାରତର ସର୍ବୋଚ୍ଚ ନ୍ୟାୟାଳୟ ବା ସୁପ୍ରିମକୋର୍ଟ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି। ଯୌନ ଅପରାଧ ମାମଲାଗୁଡ଼ିକର ଶୁଣାଣି ଏବଂ ରାୟ ପ୍ରକାଶ ସମୟରେ ବ୍ୟବହାର କରାଯାଉଥିବା ଭାଷା ଓ ଶବ୍ଦଶୈଳୀରେ ବଡ଼ ଧରଣର ପରିବର୍ତ୍ତନ ଆଣିବା ପାଇଁ କୋର୍ଟ ପକ୍ଷରୁ ପ୍ରଥମ ଥର ପାଇଁ ଏକ ସ୍ୱତନ୍ତ୍ର ହ୍ୟାଣ୍ଡବୁକ୍ ବା ମାର୍ଗଦର୍ଶିକା ଜାରି କରାଯାଇଛି।
ନ୍ୟାୟାଳୟ ଏବଂ ଆଇନଗତ ପ୍ରକ୍ରିୟାରେ ଲିଙ୍ଗଗତ ସମ୍ବେଦନଶୀଳତା ବଜାୟ ରଖିବା ସହ ପୁରୁଣା ପିତୃସତ୍ତାତ୍ମକ ମାନସିକତା ତଥା ରୂଢ଼ିବାଦୀ ଶବ୍ଦଗୁଡ଼ିକୁ ପରିହାର କରିବା ଉପରେ ଏହି ଗାଇଡ୍ରେ ବିଶେଷ ଗୁରୁତ୍ୱ ଦିଆଯାଇଛି।
ଏହି ନୂତନ ମାର୍ଗଦର୍ଶିକା ଅନୁଯାୟୀ, ଅଦାଲତରେ ଯୌନ ନିର୍ଯାତନାର ଶିକାର ହୋଇଥିବା ମହିଳାଙ୍କ ପାଇଁ ‘ପୀଡ଼ିତା’ ଶବ୍ଦ ପରିବର୍ତ୍ତେ ‘ସର୍ଭାଇଭର’ ଶବ୍ଦ ବ୍ୟବହାର କରିବାକୁ ବିଚାରପତି ଏବଂ ଆଇନଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି ‘ମହିଳା ସଦସ୍ୟ’ ପରିବର୍ତ୍ତେ ସିଧାସଳଖ ‘ମହିଳା’ କିମ୍ବା ‘ବାଳିକା’ ବ୍ୟବହାର କରିବାକୁ କୁହାଯାଇଛି। ଅନେକ ସମୟରେ କୋର୍ଟ ପରିସରରେ କିମ୍ବା ରାୟରେ ମହିଳାଙ୍କ ‘ଇଜ୍ଜତ’, ‘ସମ୍ମାନ’, ‘ଚରିତ୍ର’ କିମ୍ବା ‘ସତୀତ୍ୱ ହରାଇବା’ ଭଳି ନୈତିକତାଭିତ୍ତିକ ଶବ୍ଦର ପ୍ରୟୋଗ କରାଯାଇଥାଏ, ଯାହାକି ଆଇନଗତ ସିଦ୍ଧାନ୍ତ ଅପେକ୍ଷା ପୁରୁଣା ସାମାଜିକ ଦୃଷ୍ଟିକୋଣକୁ ଦର୍ଶାଇଥାଏ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି।
ତେଣୁ ଏଭଳି ଶବ୍ଦ ପ୍ରୟୋଗକୁ ବାରଣ କରାଯାଇ ଏହା ବଦଳରେ ମହିଳାଙ୍କ ‘ଗରିମା’, ‘ଶାରୀରିକ ସ୍ୱାଧୀନତା’ ଏବଂ ‘ସର୍ଭାଇଭରଙ୍କ ଅଧିକାର’ ଆଦି ଶବ୍ଦର ବ୍ୟବହାର ପାଇଁ ଉତ୍ସାହିତ କରାଯାଇଛି। ଉଦାହରଣ ସ୍ୱରୂପ, ଜଣେ ମହିଳା ସତୀତ୍ୱ ହରାଇଛନ୍ତି ବୋଲି ଲେଖିବା ପରିବର୍ତ୍ତେ ତାଙ୍କର ଶାରୀରିକ ସ୍ୱାଧୀନତା କ୍ଷୁର୍ଣ୍ଣ କରାଯାଇଛି ବୋଲି ରାୟରେ ଉଲ୍ଲେଖ କରାଯିବା ଉଚିତ ବୋଲି ମାର୍ଗଦର୍ଶିକାରେ ଦର୍ଶାଯାଇଛି।
ଶବ୍ଦର ଚୟନ କେବଳ ଲେଖିବାର ଶୈଳୀ ନୁହେଁ, ବରଂ ଏହା ଆଇନଗତ ପ୍ରକ୍ରିୟାର ସ୍ୱଚ୍ଛତା ଓ ନିରପେକ୍ଷତା ଉପରେ ସିଧାସଳଖ ପ୍ରଭାବ ପକାଇଥାଏ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ମତବ୍ୟକ୍ତ କରିଛନ୍ତି। ଜଣେ ମହିଳାଙ୍କ ପୋଷାକ, ତାଙ୍କର ଅତୀତର ଆଚରଣ, ଯୌନ ଇତିହାସ କିମ୍ବା ତାଙ୍କର ଜୀବନଶୈଳୀକୁ ଭିତ୍ତି କରି ତାଙ୍କ ଚରିତ୍ର ବା ନୈତିକତାକୁ ବିଚାର କରିବା ସମ୍ପୂର୍ଣ୍ଣ ଅନୁଚିତ। ଏଭଳି ରୂଢ଼ିବାଦୀ ମାନସିକତାର ନ୍ୟାୟିକ ପ୍ରକ୍ରିୟାରେ କୌଣସି ସ୍ଥାନ ନାହିଁ ବୋଲି କୋର୍ଟ ସତର୍କ କରାଇଛନ୍ତି। ବିଚାରପତିମାନେ ଏଭଳି କୌଣସି ଟିପ୍ପଣୀ ଦେବାରୁ ନିବୃତ୍ତ ରହିବା ଉଚିତ, ଯାହାକି ସର୍ଭାଇଭରଙ୍କ ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବ ।
ସମ୍ବିଧାନର ଧାରା ୧୪, ୧୫ ଏବଂ ୨୧ ଅଧୀନରେ ଥିବା ସମାନତା, ଗରିମା ଏବଂ ଭେଦଭାବହୀନତାର ମୂଲ୍ୟବୋଧ ପ୍ରତି ଆଇନଗତ ଭାଷାରେ ପ୍ରତିଫଳିତ ହେବା ନିତ୍ୟାନ୍ତ ଜରୁରୀ। ସର୍ଭାଇଭରମାନଙ୍କୁ ସମ୍ମାନର ସହ ଦେଖିବା ଏବଂ ସେମାନଙ୍କର ଶାରୀରିକ ସ୍ୱାଧୀନତାକୁ ଏକ ମୁଖ୍ୟ ସାମ୍ବିଧାନିକ ମୂଲ୍ୟବୋଧ ଭାବେ ଗ୍ରହଣ କରିବା ଉପରେ କୋର୍ଟ ଜୋର ଦେଇଛନ୍ତି। ଏହି ନୂତନ ମାର୍ଗଦର୍ଶିକା ସମସ୍ତ ବିଚାରପତି, ଆଇନଜୀବୀ ଏବଂ ଆଇନ ପ୍ରକ୍ରିୟା ସହ ଜଡ଼ିତ ଅନ୍ୟାନ୍ୟ ଅଧିକାରୀମାନଙ୍କ ପାଇଁ ଏକ ପ୍ରମୁଖ ରେଫରେନ୍ସ ଡକ୍ୟୁମେଣ୍ଟ ଭାବେ କାର୍ଯ୍ୟ କରିବ ଏବଂ ନ୍ୟାୟ ବ୍ୟବସ୍ଥାକୁ ଅଧିକ ମର୍ଯ୍ୟାଦାପୂର୍ଣ୍ଣ କରିବ ବୋଲି ଆଶା କରାଯାଉଛି।