Latest Odisha News

କି ବା ଅସାଧ୍ୟ ମହୀତଳେ

ସୁଷମା ପରିଜାଙ୍କ ସ୍ୱତନ୍ତ୍ର ଆଲେଖ୍ୟ…

ଦୃଢ ଇଚ୍ଛାଶକ୍ତି ଆଉ କଠୋର ସାଧନ ବଳରେ ମଣିଷ ଅସାଧ୍ୟ ସାଧନ କରିପାରେ ତା’ର ଅନେକ ଉଦାହରଣ ରହିଛି । ତନ୍ମଧ୍ୟରୁ ଏକ ଜ୍ୱଳନ୍ତ ଉଦାହରଣ ହେଲେ ପର୍ବତାରୋହୀ ଅରୁଣିମା । ତାଙ୍କର ଜୀବନରେ ଆସିଥିବା ଭୟଙ୍କର ବିପର୍ଯ୍ୟୟମାନଙ୍କୁ ଦୃଢ ଭାବରେ ସାମନା କରି ସେ ଆଜି ବିଶ୍ଵର ଜଣେ ଆଗଧାଡିର ପର୍ବତାରୋହୀ ରୂପେ ଉଜ୍ବଳ କୀର୍ତ୍ତିମାନ ସ୍ଥାପନା କରି ନିଜ ପିତାମାତାଙ୍କ, ନିଜ ଦେଶର ମର୍ଯାଦା ସାରା ବିଶ୍ବରେ ପ୍ରତିଭାତ କରାଇଛନ୍ତି । ନିକଟ ଅତୀତରେ ଭିନ୍ନକ୍ଷମମାନଙ୍କର ଗୋଟିଏ ସଭାରେ ସେଇ ମହୀୟସୀ ମହିଳାଙ୍କର ଉଦାତ୍ତ କଣ୍ଠରେ ବୟାନ କରିଥିବା ନିଜର ଆତ୍ମକଥାର ଭିଡିଓଟି ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇ ମୋ ଭଳି ଲକ୍ଷ ଲକ୍ଷ ଭିନ୍ନକ୍ଷମମାନଙ୍କ ମନରେ ଯେଉଁ ଦୃଢ ମନୋବଳର ଉତ୍ତାଳ ତରଙ୍ଗ ସୃଷ୍ଟି କରିଥିଲା, ସେଇ ପରିପ୍ରେକ୍ଷୀରେ ଏଇ ଗଳ୍ପଟିର ଅବତାରଣା । ତାଙ୍କରି ମୁହଁରେ ତାଙ୍କରି କାହାଣୀ …..

ଦୁଇ ହଜାର ଏଗାର ମସିହାର ଏପ୍ରିଲ୍ ମାସର ଏଗାର ତାରିଖ । ସେତେବେଳକୁ ମୁଁ ଜଣେ ଜାତୀୟ ଭଲିବଲ୍ ଟିମର ତାରକା ଖେଳାଳୀ । କୌଣସି ବ୍ୟକ୍ତିଗତ କାର୍ଯ୍ୟରେ ଟ୍ରେନରେ ଯାତ୍ରା କରୁଥାଏ ଲକ୍ଷ୍ନୌରୁ ଦିଲ୍ଲୀ । ଟ୍ରେନରେ ଚୋରି ହେବାଟା ଗୋଟାଏ ସାଧାରଣ କଥା । ଏକେ ତ ଏକୁଟିଆ ଯୁବତୀ ଝିଅ ଦ୍ୱିତୀୟରେ ସାଧାରଣ କମ୍ପାର୍ଟମେଣ୍ଟରେ ଯାତ୍ରା କରୁଛି ମାନେ ସାଧାରଣ ଝିଅ, ବିପଦ ସବୁଠୁ ବେଶି । ଜଣେ ଲୁଟେରା ଆସି ମୋ ବେକରେ ପଡିଥିବା ପତଳା ସୁନାଚେନଟିକୁ ଝିଙ୍କିଲା । ମୁଁ ଚାପି ଧରିଲି ତା’ର ହାତକୁ, ପାଟି କରି ଚିଲ୍ଲେଇଲି “ବଞ୍ଚାଅ” “ବଞ୍ଚାଅ” ବୋଲି ,ଲୁଟେରା ଦଳର ଆଉ ଜଣେ ମାଡି ଆସିଲା, ହାତରେ ଛୁରୀ ଧରି ଠିଆ ହେଲା ମୋ ଆଗରେ। ତା’ର ଛୁରୀ ଦେଖି କେହି ସାହାସ କଲେନି ମତେ ରକ୍ଷା କରିବା ଲାଗି । ମୁଁ କିନ୍ତୁ ଭିଡି କରି ମୁଠାଇ ଧରିଥାଏ ମୋର ଚେନ୍କୁ। ଲୁଟେରା ତା’ର ପ୍ରାଣପଣେ ଲାଗିଥାଏ ଚେନଟି ଛିଣ୍ଡାଇ ନେବାକୁ। ହେଲେ ମୁଁ ଛାଡୁ ନଥାଏ, ସବୁ ବଳ ଖର୍ଚ୍ଚ କରି ମୁଠାଇ ଧରି ଥାଏ ଚେନ୍କୁ । ଏମିତି ଧସ୍ତାଧସ୍ତି ଭିତରେ ଲୁଟେରା ଦୁଇଜଣ ମୋତେ ଘୋଷାରି ଆଣି ଫିଙ୍ଗିଦେଲେ ଟ୍ରେନ୍ ବାହାରକୁ। ଦୁର୍ଭାଗ୍ୟକୁ ଆରପଟୁ ଆସୁଥିଲା ଆଉ ଗୋଟିଏ ଦ୍ରୁତଗାମୀ ଟ୍ରେନ୍। ସେଥିରେ ପିଟି ହୋଇ ମୁଁ ଖସି ପଡିଲି ଟ୍ରାକ ଉପରେ। ସେଇଟା ଷ୍ଟେସନ୍ ପାଖାପାଖି ସ୍ଥାନ ନଥିଲା, ତେଣୁ କେହି ଲୋକବାକ ନଥିଲେ ସେଠି। ମୁଁ ଖଣ୍ଡିଆଖାବରା ହୋଇ ସେମିତି ଚିତ୍କାର କରୁଥାଏ । ପ୍ରାଣ ବିକଳରେ ପାଣି, ପାଣି ବୋଲି କରୁଥାଏ। ହେଲେ କେହି ନଥାନ୍ତି ସେଠାରେ ମୋର ଡାକ ଶୁଣିବାକୁ । ମୁହି ମାଡି ତଳେ ପଡିଥାଏ ,ବହୁତ କଷ୍ଟ ରେ ମୁଁ ନିଜେ ଘୋଷାରି ହୋଇ ହାତରେ ଭରା ଦେଇ ଉଠିବାକୁ ଚେଷ୍ଟା କଲି, ପାରିଲିନି, ବେକ ମୋଡି ତଳକୁ ଚାହିଁଲି, ସେତିକି ବେଳେ ମୋର ନଜର ପଡିଲା ମୋର ପାଦ ଉପରେ । ଗୋଟାଏ ଗୋଡ ଅଧାରୁ କଟି ଯାଇ ପାଦ ଟା ତଳେ ପଡିଥିଲା , ଆର ପାଦଟା ଉଠେଇବାକୁ ଚେଷ୍ଟା କରିବା ବେଳକୁ ଉଠୁନଥିଲା, ଭାବିଲି ଆର ପାଦଟା ବି ଭାଙ୍ଗି ଚୁନା ହୋଇ ଯାଇଛି ବୋଧହୁଏ । ଭୀଷଣ ରକ୍ତସ୍ରାବ ଆଉ ଯନ୍ତ୍ରଣା ରେ ଅଚେତ୍ ହୋଇଗଲି ମୁଁ । ସାତଘଣ୍ଟା କାଳ ସେମିତି ପଡି ରହିଥିଲି ମୁଁ । ସେଇ ସାତ ଘଣ୍ଟା ମଧ୍ୟରେ ଅଣଚାଶଟି ଟ୍ରେନ୍ ପାଶ୍ କରିଥିଲା ସେଇ ବାଟ ଦେଇ, ହେଲେ କାହାରି ଦୃଷ୍ଟି ମୋ ଉପରେ ପଡି ନଥିଲା ।

ଈଶ୍ବରଙ୍କ କରୁଣାରୁ ଭୋର୍ ବେଳକୁ କିଛି ଲୋକ ନିତ୍ୟକର୍ମ କରିବାକୁ ଆସି ରେଳ ଧାରଣା ଉପରେ ଦେଖିଲେ ମତେ । ହୋ ହାଲ୍ଲା କରି ଅନେକ ଲୋକ ଆସି ଜମାହେଲେ ସେଠାରେ। ସେଇମାନଙ୍କ ଭିତରୁ କେହି ଖବର ଦେଲେ ରେଳବାଇ ପୋଲିସ ଆଉ ଆମ୍ବୁଲାନସକୁ। ସ୍ଥାନଟି ବରେଲି ପାଖାପାଖି ଥିଲା। ବରେଲି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ମତେ । ମତେ ଏମିତି ଅବସ୍ଥାରେ ଦେଖି ଡାକ୍ତରମାନେ ବୁଝି ପାରୁନଥିଲେ ଯେ ଚିକିତ୍ସା କେଉଁଠୁ ଆରମ୍ଭ କରିବେ। ମୋର ମୁହଁଟି ସଫା କଲା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଚିହ୍ନି ପାରିଲେ ମତେ। ଚିତ୍କାର କରି କହିଲେ “ ଆରେ, ଇଏ ତ ଆମର ଜାତୀୟ ଭଲିବଲ୍ ଖେଳାଳି “ ଅରୁଣିମା “। ତା’ପରେ ଜୋରସୋରରେ ଆରମ୍ଭ ହୋଇଥିଲା ମୋର ଚିକିତ୍ସା । ମୁଁ ସବୁ ଦେଖୁଥାଆନ୍ତି, ଡାକୁଥାଏ ହେଲେ ପଚୁର ରକ୍ତସ୍ରାବ ଯୋଗୁଁ ମୋର ପାଟିରୁ କଥା ବାହାରୁ ନଥାଏ । ବହୁତ କଷ୍ଟ ରେ ମୁଁ ଖନେଇ ଖନେଇ କହିଲି ମୋର ଗୋଡ ଭାଙ୍ଗି ଯାଇଛି । ସେମାନେ ଆଗ ସେଇ କଟି ଯାଇଥିବା ଗୋଡର ଚିକିତ୍ସା ଆରମ୍ଭ କରିଥାନ୍ତି, ରକ୍ତସ୍ରାବ ସେ ପର୍ଯ୍ୟନ୍ତ ବନ୍ଦ ହୋଇ ନଥାଏ , ସେଥିରେ ପୁଣି ରେଲୱେ ଟ୍ରାକ୍ ଉପରେ ଯିବା ଆସିବା କରୁଥିବା ଛୋଟ ଛୋଟ ମୂଷାମାନେ ସେଇ ଖଣ୍ଡିଆ ଜାଗାକୁ ତାଙ୍କର ମୁନିଆଁ ଦାନ୍ତ ମାନଙ୍କରେ ଆହୁରି କାଟି ପକାଇ ଥାଆନ୍ତି । ମୁଁ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥାଏ।

ଦୁର୍ଭାଗ୍ୟକୁ ସେଇ ହାସପାତାଳ ରେ ମୋ ଗ୍ରୁପ୍ ର ବ୍ଲଡ୍ ମିଳୁ ନଥାଏ, କି ଆନାନାସ୍ଥେସିଆ ନଥାଏ । କିନ୍ତୁ ଈଶ୍ବରଙ୍କ ଅପାର କରୁଣା ଦେଖ, ମୋତେ ଚିକିତ୍ସା କରୁଥିବା ସମସ୍ତ ଡାକ୍ତର, କମ୍ପାଉଣ୍ଡର , ସହାୟକ, ମାନେ ନିଜ ନିଜର ଗୋଟିଏ ଲେଖାଏଁ ଇଉନିଟ୍ ରକ୍ତ ନିଃସଙ୍କୋଚରେ ଦାନକରି ମୋର ପ୍ରାଣ ରକ୍ଷା କରିଥିଲେ । ଏହା ଈଶ୍ବରଙ୍କ ଆଶୀର୍ବାଦ ନୁହେଁ ତ ଆଉ କ’ଣ ? ମୋ ଜୀବନକାଳ ଭିତରେ ଏମିତି ଘଟଣାଟିଏ ମୁଁ ଶୁଣି ନଥିଲି ।ଖବର ପାଇ ମୋର ବାପା ମାଆ ଭାଇ ସମସ୍ତେ ଆସି ପହଞ୍ଚିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ତୁରନ୍ତ ସାହାଯ୍ୟ ଯୋଗାଇ ଦିଆ ଯାଇଥିଲା, ବିନା ଆନାସ୍ଥେସିଆରେ ମୋର ବାମ ଗୋଡଟି କଟା ହୋଇ କୃତ୍ରିମ ଗୋଡଟିଏ ଲାଗିଥିଲା ଏବଂ ଡାହାଣ ଗୋଡ କୁ ରଡ୍ ଭର୍ତ୍ତି କରି ସଜାଡି ଅପରେସନ୍ କରି ଦିଆ ଯାଇଥିଲା । ହାସପାତାଳରେ ପଡି ରହି ଧୀରେ ଧୀରେ ସୁସ୍ଥ ହେଉଥିଲି ମୁଁ । ଦୁଇ ମାସପରେ ପ୍ରଥମ ଥର ପାଇଁ ସମ୍ବାଦପତ୍ରରେ ଆଖି ପକାଇଲା ବେଳକୁ ପଢିଲି ମୋ ବିଷୟରେ କିଛି ଅଭାବନୀୟ ସମ୍ବାଦ । “ଜଣାଶୁଣା ଭଲିବଲ୍ ଖେଳାଳି ଅରୁଣିମା ବିନା ଟିକେଟରେ ରେ ରେ ଯାତ୍ରା କରୁଥିବା ବେଳେ ଟିକେଟ୍ କଲେକ୍ଟରଙ୍କ ହାତରେ ଧରାପଡ଼ିବାରୁ ଟ୍ରେନ୍ରୁ ତଳକୁ ଡିଆଁ ମାରି ଆତ୍ମହତ୍ୟା କରିବା ବେଳେ ଆହତ ହୋଇଛନ୍ତି “। ଦୁର୍ଘଟଣାର ଯନ୍ତ୍ରଣା ଅପେକ୍ଷା ଏଇ ସମ୍ବାଦର ଧକ୍କା ବହୁତ ଦୋହଲାଇ ଦେଲା ମୋତେ । ଖୁବ୍ କାନ୍ଦିଲି ସେଦିନ । କାନ୍ଦି କାନ୍ଦି ତକିଆ ଭିଜେଇ ଦେଲି, ଆଖିରୁ ଲୁହ ଶୁଖିଗଲା ହେଲେ ମନରୁ ଦାଗ ଲିଭିଲାନି । ସେଇ ମେଡିକାଲର ବେଡ୍ ଉପରେ ଶୋଇ ଶୋଇ ପ୍ରତିଜ୍ଞା କଲି “ ଆଜି ତୁମମାନଙ୍କର ବେଳ ପଡିଛି, ଯାହା କହିବାର କହିଯାଅ। କିନ୍ତୁ କାଲିକି ମୋର ଦିନ ନିଶ୍ଚୟ ଆସିବ। ତମ ମାନଙ୍କୁ, ସାରା ସଂସାରକୁ ମାନିବାକୁ ପଡିବ ଅରୁଣିମାକୁ । ମୁଁ ଏମିତି କିଛି କାମ କରିଯିବି ଯେ ମୋ ମଲାପରେ ମଧ୍ୟ ମୋ ନାଆଁ ସ୍ୱର୍ଣ୍ଣାକ୍ଷର ରେ ଲିପିବଦ୍ଧ ହୋଇ ରହିବ “।

ସେଇଠି ସେଇ ମୁହୂର୍ତ୍ତରେ ସ୍ଥିର କଲି ମୁଁ ପର୍ବତାରୋହଣ କରିବି । ପରିବାର ଲୋକଙ୍କୁ ଜଣାଇଲି ମନକଥା । ସମସ୍ତେ କାବାକାଠ ହୋଇ ଚାହିଁଲେ ମୋ ମୁହଁକୁ । କହିଲେ “ ତୁ ଦିବାସ୍ବପ୍ନ ଦେଖୁଛୁ କି? ଗୋଟାଏ ଗୋଡ ନାହିଁ, ଆଉ ଗୋଟାଏ ଗୋଡରେ ରଡ୍ ଭର୍ତ୍ତି ହୋଇଛି, ଠିକରେ ଚାଲି ପାରୁନୁ, କହୁଛୁ କ’ଣ ନା ମାଉଣ୍ଟେନିୟରିଂ କରିବି, ଦିବାସ୍ବପ୍ନ ଭୁଲିଯା ଝିଅ ! ବରଂ ଆଉ କିଛି କୋର୍ସ୍ କରି ସରକାରୀ ହେଉ କି ବେସରକାରୀ ହେଉ, ଚାକିରୀଟିଏ କରି ଗୁଜୁରାଣ ମେଣ୍ଟାଇବାକୁ ଚେଷ୍ଟା କର ।“

ମୁଁ କିନ୍ତୁ ମୋ ଜିଦ୍ରେ ଅଟଳ ରହିଲି । ମୋଟେ ଶୁଣିଲି ନାହିଁ କାହାରି କଥା । ପେପର୍ ଦେଖି ମାଉଣ୍ଟେନିୟରିଂ ଇନଷ୍ଟିଚ୍ୟୁଟର ଠିକଣା ସବୁ ସଂଗ୍ରହ କଲି । ମାଡାମ୍ ବଚେନ୍ଦ୍ରୀ ପାଲଙ୍କର ଠିକଣା ସଂଗ୍ରହ କରି ତାଙ୍କୁ ଚିଠି ଲେଖିଲି ମୋତେ ତାଙ୍କର ଶିଷ୍ୟା ଭାବରେ ଗ୍ରହଣ କରି ଟ୍ରେନିଂ ଦେବା ଲାଗି । ମୋର ଏକାଗ୍ରତା ଦେଖି ମୋ ଭାଇ ମୋର ସହାୟତା ପାଇଁ ହାତ ବଢେଇଲା । ସାଢେ ତିନି ମାସ ପରେ ଯେତେବେଳେ ମତେ ବରେଲି ଜିଲ୍ଲା ହାସପାତାଳରୁ ଡିଶ୍‌ଚାର୍ଜ କରାଗଲା ସେତେବେଳେ ମୁଁ ଘରକୁ ଯିବା ପରିବର୍ତ୍ତେ ସିଧା ସଳଖ ଚାଲିଲି ମାଡାମ୍ ବଚେନ୍ଦ୍ରୀ ପାଲଙ୍କର ଘରକୁ । ମୋର ଡାହାଣ ଗୋଡରେ ସେ ପର୍ଯ୍ୟନ୍ତ ଷ୍ଟାପଲର୍ର ଷ୍ଟିଚ୍ ରହିଥିଲା, ବାମ ପଟରେ ଲାଗିଥିବା କୃତ୍ରିମ ଗୋଡଟି ଠିକ୍ ଠାକ୍ ପଡୁ ନଥିଲା , ସେଇ ଅବସ୍ଥାରେ ମତେ ଦେଖି ମାଡାମ୍ ଆଚମ୍ବିତ ହେଲେ । ମୋର ଦୃଢ ନିଶ୍ଚୟ ଶୁଣି ସେ କହିଲେ “ଠିକ୍ ଅଛି ଅରୁଣିମା ! ତୁମର ଆତ୍ମବିଶ୍ବାସ ଆଉ ନିଷ୍ଠା ଦେଖି ମୁଁ ଖୁବ୍ ଖୁସି ହେଲି, ତୁମକୁ ଶିଷ୍ୟା ଭାବରେ ଗ୍ରହଣ କରିବାକୁ ମଧ୍ୟ ପ୍ରସ୍ତୁତ ହେଲେ ତୁମକୁ ପ୍ରମାଣିତ କରିବା ଲାଗି ପଡିବ ଯେ ତୁମର ଏଇ ଗୋଡ ଦୁଇଟି ସହିତ ତୁମେ ମାଉଣ୍ଟେନିୟରିଂ କରିବା ଲାଗି ସମର୍ଥ, ତେବେ ଯାଇ ତୁମର ଶିକ୍ଷା ଆରମ୍ଭ ହେବ। ଏବେ ତୁମେ ଯାଇ ନୂତନ ଶିକ୍ଷାର୍ଥୀମାନଙ୍କୁ ଦେଖ । ସପ୍ତାହେ ସମୟ ନିଅ, ତୁମର ସାମର୍ଥ୍ୟ ପ୍ରତିପାଦିତ କର “।

ମୁଁ ଚାଲିଗଲି ନୂତନ ଭାବେ ଶିକ୍ଷା ନେଉଥିବା ପିଲାଙ୍କ ପାଖକୁ । ସେଦିନ ସେଠାରେ ଉପସ୍ଥିତ ରହି ସେମାନଙ୍କ ପ୍ରାକ୍ଟିସ୍ ଦେଖିଲି। ତହିଁଆର ଦିନ ପାଦ ରଖିଲି ଭୂମିରେ, ଖୁବ୍ କଷ୍ଟ ହେଉଥିଲା, ରକ୍ତ ବାହାରି ଆସୁଥିଲା, ତଥାପି ଡରିଲିନି, ଆଉ ପାଦେ ଆଗେଇଲି। ଧୀରେ ଧୀରେ କଷ୍ଟ ଦେହସୁହା ହୋଇଗଲା । ଅଭ୍ୟାସ ଆରମ୍ଭ କଲି। ଯେଉଁ ଦୂରତ୍ବକୁ ସେମାନେ ଘଣ୍ଟାକରେ ଅତିକ୍ରମ କରୁଥିଲେ, ମତେ ତିନି ଘଣ୍ଟା ଲାଗୁଥିଲା , ତେବେ ବି ଚେଷ୍ଟା କରି ଚାଲିଥିଲି। ଆଠମାସ ପରେ ସେମାନଙ୍କ ସମକକ୍ଷ ହୋଇ ମୁଁ ମାଡାମଙ୍କୁ ଭେଟିଲି । ମାଡାମ୍ ବହୁତ୍ ଖୁସି ହେଲେ, କହିଲେ ସୁନା ଝିଅ ! ଏବେ ତୁମେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ମାଉଣ୍ଟେନିୟରିଂ କରିବା ଲାଗି । ତୁମର ଟ୍ରେନିଂ ଆରମ୍ଭ କରିବା । ପ୍ରସ୍ତୁତ ରୁହ ।

ମୋ ପରିବାର ବାହାରେ ସେ ଏକ ମାତ୍ର ମହିଳା ଥିଲେ ଯିଏ ମୋ ସାମର୍ଥ୍ୟ ଉପରେ ଭରସା କରିଥିଲେ । ଏବେ ଆରମ୍ଭ ହେଲା ପ୍ରସ୍ତୁତି ପର୍ବ । ଆମ ନିମ୍ନ ମଧ୍ୟବିତ୍ତ ପରିବାରରେ ଏତେ ବଡ ଅଭିଯାନ ପାଇଁ ପଇସା ଯୋଗାଡ କରିବା ସମ୍ପୂର୍ଣ୍ଣ ଅସମ୍ଭବ । ସେଥିପାଇଁ ସ୍ପନସରଶିପ୍ ଯୋଗାଡ କରିବା ପାଇଁ ମଧ୍ୟ ମାଡାମ୍ ସାହାଯ୍ୟ କଲେ। ସାଙ୍ଗରେ ରହିବା ପାଇଁ ଶେର୍ପା ମଧ୍ୟ ଯୋଗାଡ କରିଦେଲେ । ଅଭ୍ୟାସ ଜାରି ରହିଥାଏ ।

ଶୁଭ ମୁହୂର୍ତ୍ତରେ ଆମ ଆଠ ଜଣିଆ ଅଭିଯାତ୍ରୀ ଦଳର ଏଭରେଷ୍ଟ ଅଭିଯାନ ଆରମ୍ଭ ହେଲା । ମୋର ଅବସ୍ଥା ପ୍ରାୟ ସମସ୍ତଙ୍କୁ ଜଣାଥିଲା , ତେଣୁ ସମସ୍ତେ ମୋତେ କହୁଥାନ୍ତି, ଧୀରେ ଧୀରେ ଆସ ଅରୁଣିମା ଧୀରେ ଧୀରେ କିନ୍ତୁ ମୁଁ ଡଗଡଗ ହୋଇ ତାଙ୍କ ସହିତ ଚାଲୁଥାଏ । କ୍ୟାମ୍ପ ୱାନରେ ପହଞ୍ଚି ସମସ୍ତେ ବିଶ୍ରାମ ନେଲୁ। ବରଫ ଉପରେ ଚାଲି ଚାଲି ପାଦରୁ ରକ୍ତ ବାହାରି ଆସିଥିଲା , କୃତ୍ରିମ ଗୋଡଟି ମଧ୍ୟ ଜଙ୍ଘରେ ଘଷି ହୋଇ ଖଣ୍ଡିଆ ଖାବରା ହୋଇ ଯାଇଥିଲା , ସବୁ କଷ୍ଟକୁ ସହି ପୁଣି ଯାତ୍ରା ଆରମ୍ଭ କଲୁ ରାତିରେ । ସାଧାରଣତଃ ରାତିରେ ହିଁ ପର୍ବତାରୋହୀଙ୍କୁ ଯାତ୍ରା କରିବା ସୁବିଧାଜନକ ହୋଇଥାଏ କାରଣ ଦିନବେଳା ସୂର୍ଯ୍ୟ ତାପରେ ବରଫ ତରଳି ଗୋଡ ଖସିଯାଏ, ଥକାପଣ ବି ଅଧିକ ରହେ ,ସେଥିପାଇଁ ରାତିର ଯାତ୍ରା ହିଁ ପସନ୍ଦ କରନ୍ତି ସମସ୍ତେ। କଷ୍ଟେମଷ୍ଟେ କ୍ୟାମ୍ପ ଥ୍ରୀରେ ପହଞ୍ଚିଗଲୁ । ଆଉ ଅଳ୍ପ କିଛି ବାଟ ବାକୀ ଆମ ଲକ୍ଷ୍ୟ ହାସଲ କରିବା ପାଇଁ । ସମସ୍ତଙ୍କ ମନରେ ପ୍ରବଳ ଉତ୍ସାହ । ଏଥର ଯାତ୍ରା କିନ୍ତୁ ସହଜ ହେଉ ନଥାଏ । ମୁଣ୍ଡରେ ଲାଗିଥିବା ହେଡ୍ ଲାଇଟ୍ର ଆଲୁଅ ଯୁଆଡେ ଯୁଆଡେ ପଡୁଥିଲା ସିଆଡେ ଅନେଇଲା ବେଳକୁ ଶବ ମାଳ ମାଳ । ଚାଖଣ୍ଡେ ଜାଗା ବି ଖାଲି ନାହିଁ ପାଦ ରଖିବାକୁ । ଦେହ ଶୀତେଇ ଉଠୁଥାଏ ମୋର ସେଇ ଶବ ମାନଙ୍କୁ ଦେଖି। ଶେର୍ପା କହିଲା “ ଏମାନେ ସବୁ ତୁମରି ଭଳି ଏଭରେଷ୍ଟ ବିଜୟ କରିବା ନିଶାରେ ଆସିଥିଲେ ଏତେ ବାଟ , କାହାର ଅକ୍ସିଜେନ୍ ସରିଗଲା ବାଟରେ ତ କିଏ ଅବଶ୍ୟ ହୋଇ ପଡି ରହିଲା ଏଠାରେ, ମାଇନସ୍ ସିକ୍ସଟି ଡିଗ୍ରୀ ସେଲସିୟସର ଉତ୍ତାପ ସମ୍ଭାଳି ପାରିଲାନି , ଏଇଠି ପଡି ରହିଲା ବରଫ ହୋଇ , ବିଶ୍ୱ ବିଜୟ କରିବାର ଅଭିଳାଷ ନେଇ ଚାଲିଗଲା ଆରପାରିକୁ । ମୋର ମୁଣ୍ଡ ଝାଇଁ ମାରି ଯାଉଥିଲା, “ଆଗକୁ ଯିବାକୁ ହେବ ମତେ” ଆଖି ବନ୍ଦ କରି ଏଇ ମନ୍ତ୍ର ଘୋଷି ଘୋଷି ଆଗରେ ପଡିଥିବା ଦୁଇଟି ଶରୀରକୁ ବାଡିରେ ଘୁଞ୍ଚାଇ ଦେଇ ପାଦ ପକେଇଲି ଆଗକୁ ଆଗକୁ । ମତେ ଆଉ କିଛି ଦେଖା ଯାଉନଥିଲା ଏଭରେଷ୍ଟ ଶୃଙ୍ଗ ବ୍ୟତୀତ । ଯେମିତି ହେଲେ ସେଠାରେ ପହଞ୍ଚିବାକୁ ହେବ, ଏଇ ସଂକଳ୍ପ ନେଇ ଚାଲୁଥାଏ । ଏଇ ସମୟରେ ମତେ ଝଟକାଟିଏ ଦେଲା ଶେର୍ପା “ ତୁମର ଅକ୍ସିଜେନ୍ ସରି ଆସୁଛି, ଏଇଠୁ ଫେରିଚାଲ ,ନହେଲେ ହୁଏତ ଫେରିବା ମଧ୍ୟ ଅସମ୍ଭବ ହୋଇ ପଡିବ ” । ମୁଁ ଅବାକ୍ ହୋଇ ଚାହିଁଲି ତା’କୁ । ସେଇ ମୁହୂର୍ତ୍ତରେ ଶେର୍ପା ଗୋଟାଏ ବଦ୍ଧ ପାଗଳ ବୋଲି ମୋର ମନେହଲା । ମୋର ଲକ୍ଷ୍ୟସ୍ଥଳ ମାତ୍ର ଆଉ ଅଳ୍ପ କିଛି ଦୂରରେ, ଆଉ ଇଏ କହୁଛି ଏଇଠୁ ଫେରିଚାଲ । “ଅସମ୍ଭବ, ଏକବାର ଅସମ୍ଭବ” ମୁଁ ଚିହିଁକି ଉଠିଲି । ସେ ମୋତେ ବୁଝାଇବାକୁ ଚେଷ୍ଟା କଲା “ ଆରେ ଝିଅ! ଜୀବନଟା ମୂଲ୍ୟବାନ ନା ଲକ୍ଷ୍ୟ? ଜୀବନ ରକ୍ଷା କରି ଏବେ ଫେରି ଚାଲ, ଜୀବନରେ ରହିଲେ ଆଉଥରେ ଚେଷ୍ଟା କରିବ । ମୋ ଛୋଟ କଥା ମାନ, ଏବେ ଫେରି ଚାଲ, ସମୟ ଖୁବ୍ କମ୍ । ମୋ ଆଖିରେ ଲୁହ ଆସିଗଲା, ମୁଁ ଚାହିଁଲି ପଛକୁ, କେତେ ବାଟ କେତେ କଷ୍ଟ କରି ଆସିଛି, ଆଉ ଏଇଠୁ ଫେରିଗଲେ ଆଉ ଥରେ ସ୍ପନସରଶିପ୍ କୋଉଠୁ ମିଳିବ ? କିଏ ଭରସା କରିବ ମୋ ଉପରେ? ନା, ନା, କୌଣସିମତେ ମୁଁ ଆଉ ପଛକୁ ଫେରିବି ନାହିଁ, ତେଣିକି ଫଳାଫଳ ଯାହା ବି ହେଉନା କାହିଁକି । ଦୃଢ ନିଶ୍ଚିତ କରି ମୁଁ ଚାଲିଲି ଆଗକୁ ଆଗକୁ, ପାଦର ଗତି ବଢାଇଦେଲି, ଅଗତ୍ୟା ଶେର୍ପାକୁ ମୋ ସାଥିରେ ଯିବାକୁ ପଡିଲା।

ମୋର ଆଖି ଆଗରେ ଖାଲି ଏଭରେଷ୍ଟ ଛଡା ଆଉ କିଛି ଦେଖା ଯାଉନଥିଲା । ଆଉ ମାତ୍ର ଦେଢ ଘଣ୍ଟା ର କଷ୍ଟକର ଯାତ୍ରା ଭିତରେ ମୁଁ ପହଞ୍ଚି ଗଲି ସର୍ବୋଚ୍ଚ ଶିଖର ଏଭରେଷ୍ଟରେ । ସେ ଦିନ ଥିଲା ଦୁଇ ହଜାର ତେର ମସିହା ମଇ ମାସର ତେର ତାରିଖ । ଘଣ୍ଟା ରେ ସମୟ ଦେଖିଲି ଦଶ ଟା ବାଜି ପଞ୍ଚାବନ ମିନିଟ୍ । ଶୁଣି ଥିଲି ଏଗାରଟା ବାଜିବା ପରେ ପହଞ୍ଚିବା ଆତ୍ମଘାତୀ ବୋଲି। ମାତ୍ର ପାନ୍ଚ ମିନିଟ୍ ର ତଫାତ୍ ଥିଲା । ଈଶ୍ବରଙ୍କର ଅପାର କରୁଣା ରୁ ମୁଁ ଜୀବିତ ଥିଲି, ସମ୍ପୂର୍ଣ୍ଣ ସଚେତନ ଥିଲି।

ନିଜକୁ ନିଜେ ବିଶ୍ବାସ କରି ପାରୁ ନ ଥିଲି ମୁଁ । ସତରେ ମୁଁ ଏଭରେଷ୍ଟ ଜୟ କରି ପାରିଛି? ସତେ?? ଅନେକ ଗୁଡିଏ ଦେଶର ପତାକା ଉଡୁଥାନ୍ତି ସେଠାରେ ।

ମୁଁ ମୋ ଅଣ୍ଟାରେ ଖୋଜିଥିବା ଭାରତୀୟ ଜାତୀୟ ପତାକା କୁ କାଢି ଆଗ ନିଜ ଦେହରେ ଗୁଡେଇ ହୋଇ ପଡିଲି । ଆଃ ସତେ କି ପ୍ରାଣ ସଞ୍ଚରି ଗଲା ମୋ ଦେହରେ। ଛାତି ଭର୍ତ୍ତି ନିଶ୍ବାସ ନେଇ କହିଲି ଶେର୍ପାକୁ “ ମୋର କିଛି ଫଟୋ ଉଠାଇନିଅ। ଯଦି ମୁଁ ମରିଯାଏ ତେବେ ସେଇ ଫଟୋ ଦେଖି ଲୋକେ ଜାଣିବେ ଯେ ମୁଁ ଏଭରେଷ୍ଟ ବିଜୟ କରି ସାରିବା ପରେ ଯାଇ ମରିଛି ।ନହେଲେ କହିବେ ଅଧା ବାଟରେ ପଡି ମରିଛି ବୋଲି । ଶେର୍ପା ଆଠଦଶଟି ଫଟୋ ନେଲା, ମୋର ଅବସ୍ଥା ଦେଖି କହିଲା “ ଏବେ ତ ଫେରି ଚାଲ, ନହେଲେ ନିଜେ ମରିବ ଆଉ ମତେ ବି ମାରିବ “ । ମୁଁ ତା’କୁ ହାତ ଯୋଡି ଅନୁରୋଧ କଲି “ ଭାଇଟା ପରା, ଆଉ ଗୋଟିଏ ଛୋଟ କାମ କରିଦିଅ, ମୋର ଏଇ ବିଜୟର ଗୋଟିଏ ଭିଡିଓ ବନେଇ ଦିଅ । ଯଦି ମୁଁ ମରିଯାଏ , ତେବେ ଏଇଟା ଭାରତ ପଠାଇ ଦେବ । ମୋ ବାପ ମାଆ, ମୋର ଦେଶବାସୀ ଜାଣିବେ ଅରୁଣିମା ଜୀବନରେ ହାର୍ ମାନି ନାହିଁ। ସେ ଏଭରେଷ୍ଟ ବିଜୟିନୀ ହୋଇ ମରିଛି। ମୋର ବିକଳ ଅନୁରୋଧକୁ ରକ୍ଷାକରି ସେ ଛୋଟ ଭିଡିଓଟିଏ ତିଆରି କରି ରଖିଲା ।

ଭାରତୀୟ ଜାତୀୟ ପତାକାକୁ ସେଇଠି ପୋତି ଆମେ ଫେରିବାକୁ ଆରମ୍ଭ କଲୁ । ମୋର ହାତ ପାଦ ସେତେବେଳକୁ ଥରୁଥାଏ, ଅକ୍ସିଜେନ୍ ସରି ସରି ଆସୁଥାଏ । ଫେରିବା ବାଟରେ ମୋର ମୃତ୍ୟୁ ନିଶ୍ଚିତ ବୋଲି ମୁଁ ଧରି ନେଇଥାଏ । ଆଠ ହଜାର ଆଠ ଶହ ଚଉରାଅଶୀ ଫୁଟ୍ ଉପରେ ମାଇନସ୍ ସିକ୍ସଟି ଡିଗ୍ରୀ ସେଲସିୟସ ଟେମ୍ପରେଚରରେ ମୋର ହାତ ସବୁ ନାଲି ରଙ୍ଗରୁ ନୀଳ ରଙ୍ଗ ହେବା ଆରମ୍ଭ କରିଥାଏ । ବହିରେ ପଢିଥିଲି ବରଫରେ ଅମ୍ଳଜାନ ନ ପାଇ ଶରୀର ନାଲିରୁ ନୀଳ ପଡିଯାଏ ଏବଂ ଶେଷରେ ନୀଳରୁ କଳା ରଙ୍ଗ ପଡିଗଲେ ମଣିଷର ମୃତ୍ୟୁ ସୁନିଶ୍ଚିତ । ମୋର ଶେଷ ଅବସ୍ଥା ଆସି ଯାଇଥାଏ । ମୁଁ ଚେତା ହରାଇ ପଡିଗଲି ତଳେ । ମୃତ୍ୟୁ ଆଉ ଅଳ୍ପ ଦୂରରେ, ଏଇ ସମୟରେ ଗୋଟିଏ ବିଚିତ୍ର ଘଟଣା ଘଟିଲା । ବୋଧହୁଏ ଐଶ୍ୱରୀୟ କରୁଣା ଥିଲା ମୋ ଉପରେ। ମୋର ମୃତ୍ୟୁ ସେଇ ସମୟରେ ଲେଖା ନଥିଲା ବୋଧହୁଏ, ସେଇଥିପାଇଁ ସେଇ ପଟ ଦେଇ ଯାଉଥିବା ଜଣେ ବ୍ରିଟିଶ୍ ପର୍ବତାରୋହୀ ତାଙ୍କ ପାଖରେ ଥିବା ଦୁଇଟି ଅକ୍ସିଜେନ୍ ସିଲିଣ୍ଡରରୁ ଗୋଟିଏ ଫୋପାଡି ଦେଲେ ନିଜର ଓଜନ ହାଲୁକା କରିବା ଲାଗି । ଶେର୍ପା ର ନଜରରେ ପଡିଲା ସେଇ ଅକ୍ସିଜେନ୍ ସିଲିଣ୍ଡରଟି । ଧାଇଁ ଯାଇ ସେଇଟାକୁ ଗୋଟେଇ ଆଣିଲା ସେ, ମୋର ନାକରେ ଲାଗି ଥିବା ଅକ୍ସିଜେନ୍ ମାସ୍କ ରେ ଯୋଗ କରିଦେଇ ମତେ ସାଷ୍ଟମ କଲା । ମୁଁ ପୁନଃ ଜୀବନ ପାଇଲି। ଟିକିଏ ବିଶ୍ରାମ ନେଇ ଫେରୁଥିଲୁ ଆମେ । ବରଫ ପାହାଡ ଉପରେ ଚଢିବା ଯେତିକି କଷ୍ଟ ଓହ୍ଲାଇବା ତା’ଠାରୁ ଦୁଇଗୁଣ କଷ୍ଟ। ବିଶେଷ କରି ମୋ ଭଳି ଭିନ୍ନକ୍ଷମମାନଙ୍କ କ୍ଷେତ୍ରରେ ଆହୁରି ଦୁରୂହ ବ୍ୟାପାର । ହଠାତ୍ ମୋର କୃତ୍ରିମ ଗୋଡଟି ବୁଲିଗଲା ପଛ ପଟକୁ, ଯେତେ ଚେଷ୍ଟା କଲେ ବି ଆଉ ସିଧା ହେଲା ନାହିଁ। ଶେର୍ପା ଡରିଗଲା, ଗୋଟାଏ ଅପରେସନ୍ ହୋଇ ରଡ୍ ପଡିଥିବା ଗୋଡ ନେଇ କେମିତି ତଳକୁ ଓହ୍ଲାଇବି ମୁଁ, ସେଇ ଚିନ୍ତାରେ ତା’ ଗୋଡ ହାତ ଚଳିଲେ ନାହିଁ । ଏଇ ସମୟରେ ତା’କୁ ସାହସ ଦେଲି ମୁଁ । କହିଲି “ ଆରେ ଭାଇ ! ଇଏ ମୋ’ ଗୋଡ ସିଏ କେମିତି ଚାଲିବ , ସେକଥା ମୁଁ ଜାଣିଛି, ତମେ ମୋଟେ ବ୍ୟସ୍ତ ହୁଅନାହିଁ, ସବୁ ଠିକ୍ ହୋଇ ଯିବ” । ଆଖି ବନ୍ଦ କରି ଈଶ୍ବରଙ୍କୁ ସ୍ମରଣ କଲି ମୁଁ, ଆଉ ଶରୀରର ସବୁ ଶକ୍ତି ଲଗାଇ କୃତ୍ରିମ ଗୋଡଟିକୁ ଖୋଲି ଦେଇ ମୋଡିମାଡି ପୁଣି ଥରେ ସିଧା କରି ଲଗାଇ ଦେବାରେ ସଫଳ ହେଲି । ଏଥର ଆଉ କୌଣସି ଅସୁବିଧା ନାହିଁ । ଶେର୍ପା ମଧ୍ୟ ଉପରକୁ ଚାହିଁ ହାତ ଯୋଡିଲା, ବୋଧହୁଏ ଈଶ୍ବରଙ୍କୁ ଧନ୍ୟବାଦ ଜଣାଉଥିଲା । ଧୀରେ ଧୀରେ ଖୁବ୍ ସାବଧାନତାର ସହ ଆମେ ଓହ୍ଲାଇ ଆସିଲୁ ତଳକୁ ତଳକୁ । ଯେତେବେଳେ ସାଉଥପୋଲର କ୍ୟାମ୍ପରେ ତମ୍ବୁ ର ପରଦା ଟେକି ମୁଁ ଭିତରକୁ ପଶିଲି ସମସ୍ତେ ଚକିତ ହୋଇ ଚାହିଁଲେ ମତେ । ସମସ୍ତେ ଏକ ସ୍ବର ରେ କହି ଉଠିଲେ “ ଆରେ ଅରୁଣିମା ! ତୁମେ ଆସିଗଲ? ଆମେ ତ ଭାବିଥିଲୁ ତୁମେ ଆଉ ଫେରି ଆସିବ ନାହିଁ ବୋଲି । ସତରେ, ତୁମର ନ ଫେରିବା ସୁନିଶ୍ଚିତ ବୋଲି ଧରି ନେଇଥିଲୁ ଆମେ । ଯାହା ହେଉ ଭଗବାନ ବଡଲୋକ, ସେ ତୁମକୁ ସକୁଶଳ ଫେରାଇ ଆଣିଛନ୍ତି “ ।

ସେମାନଙ୍କ ଭିତରେ ଗୋଟାଏ ଖୁସିର ଲହରୀ ଖେଳି ଗଲା । ପ୍ରକୃତରେ ବି ସେମାନେ ସେମିତି କିଛି ଭାବିବା ଠିକ୍ ଥିଲା କାରଣ ସେମାନଙ୍କ ଯାତ୍ରା ଏଗାର ଘଣ୍ଟାରେ ସମାପ୍ତ ହୋଇଥିବା ବେଳେ ମୋର ଯାତ୍ରା ର ଅବଧି ଥିଲା ଅଠେଇଶି ଘଣ୍ଟା । ଆମେ ସମସ୍ତେ ସଫଳ ହୋଇଥିଲୁ ଏଭରେଷ୍ଟ ଶୃଙ୍ଗ ବିଜୟ କରିବାରେ । ଆମ ବିଜୟର ବାର୍ତ୍ତା ପାଇ ମାଡାମ୍ ବଚେନ୍ଦ୍ରୀ ପାଲ୍ ଖୁବ୍ ଖୁସି ହୋଇ ସମସ୍ତ ବିଜେତାଙ୍କୁ ଅଭିନନ୍ଦନ ଜଣାଇଲେ। ବିଶ୍ୱର ଚାରିଆଡେ ଆମର ସଫଳତାର କାହାଣୀ ପ୍ରସାରିତ ହୋଇଗଲା । ଦେଶର କୋଣ ଅନୁ କୋଣରୁ ବଧାଇ ର ସୁଅ ଛୁଟିବାକୁ ଲାଗିଲା ଆମମାନଙ୍କ ପାଖକୁ । ବିଶେଷ କରି ମୋ ପାଖକୁ କାରଣ ଜଣେ ଭିନ୍ନକ୍ଷମ ଆଉ ନାରୀଟିଏ ହୋଇ ମଧ୍ୟ ମୁଁ ଏଭରେଷ୍ଟ ବିଜୟିନୀ ହୋଇଥିଲି। ମୋ ମନରେ ଆତ୍ମ ସନ୍ତୋଷ ମିଳିଲା ଯେ ଯେଉଁ ଲୋକମାନେ ଗତକାଲି ମୋ ବିଷୟରେ ଯାବତୀୟ କୁତ୍ସା ରଟନା କରୁଥିଲେ ଆଜି ସେଇମାନେ ମୋର ପ୍ରଶଂସାରେ ଶତମୁଖ ହୋଇ ଉଠିଥିଲେ । ମୋ ବାପା ମାଆ, ଭାଇ ବନ୍ଧୁ, ମୋ ଦେଶବାସୀ ମୋ ପାଇଁ ଗର୍ବ ଅନୁଭବ କରୁଥିଲେ । ମୋର ଯାତ୍ରା ସେଇଠି ଶେଷ ହେଲା ନାହିଁ, ମାଡାମ୍ ବଚେନ୍ଦ୍ରୀ ପାଲଙ୍କର ପ୍ରେରଣା ମତେ ଆହୁରି ଆହୁରି ଦୁଃସାହସିକ ଯାତ୍ରା କରିବା ଲାଗି ସାହସ ଦେଲା । ଆଜି ମୁଁ ବିଶ୍ବରେ ଏସିଆର ଏଭରେଷ୍ଟ ସହ ଆଫ୍ରିକା, ଇଉରୋପ, ଅଷ୍ଟ୍ରେଲିଆ ଆଦି , ପାଞ୍ଚଟି ମହାଦେଶରେ ଥିବା ସର୍ବୋଚ୍ଚ ଶୃଙ୍ଗମାନ ଆରୋହଣ କରି ବିଶ୍ୱ କୀର୍ତ୍ତି ସ୍ଥାପନା କରି ସାରିଛି । ତଥାପି ମୋର ଯାତ୍ରା ସରି ନାହିଁ , ମନୋବଳ ହାରି ନାହିଁ । ଆଜି ବି ମୁଁ ଗାଉଛି ….
“ ଅଭି ତୋ ଇସ୍ ବାଜ୍ କା ଅସଲୀ ଉଡାନ୍ ବାକୀ ହୈ
ଅଭି ତୋ ଇସ୍ ପରିନ୍ଦେ କା ଇମତିହାନ୍ ବାକୀ ହୈ
ଅଭି ଅଭି ମୈନେ ଲାଙ୍ଘା ହୈ ସମନ୍ଦର କୋ ,ଅଭି ତୋ ପୁରା ଆସମାନ୍ ବାକୀ ହୈ “

ଏଇ ହେଲା ମୋର ଅଙ୍ଗେ ନିଭେଇଥିବା କାହାଣୀ । ଗୋଟିଏ ସାଙ୍ଘାତିକ ଦୁର୍ଘଟଣା ଘଟିବାର ମାତ୍ର ପଚିଶି ମାସର ବ୍ୟବଧାନରେ ମୁଁ ଏଭରେଷ୍ଟ ଶୃଙ୍ଗରେ ପାଦ ରଖି ପାରିଲି , ଏହା କେବଳ ମୋର ଦୃଢ ମନୋବଳ ଏବଂ ଦୃଢ ଇଚ୍ଛାଶକ୍ତି ଯୋଗୁଁ ସମ୍ଭବ ହୋଇପାରିଲା । ମୋ ନିଜ ଉପରେ ଥିବା ଭରସା ଯୋଗୁଁ ସମ୍ଭବ ହେଲା । ଇଏ ଖାଲି ମୋ ପାଇଁ ନୁହେଁ, ସମସ୍ତଙ୍କ ପାଇଁ କହୁଛି, ଯଦି କେହି ତୁମକୁ ହିମ୍ମତ୍ ଦେଉଥାଏ, ତୁମକୁ ଆଗକୁ ଯିବାକୁ ସାହସ ଦେଉଥାଏ, ତୁମକୁ ବିପଦ ବେଳେ ଠିକଣା ବାଟ ଦେଖାଇଥାଏ। ତେବେ ସେଇ ଜଣକ ତୁମେ ନିଜେ, ଆଉ କେହି ନୁହେଁ । ତୁମର ଅନ୍ତର ଭିତରେ ଥିବା ଦୃଢ ମନ ହିଁ ତୁମକୁ ଆଲୋକ ବର୍ତ୍ତିକା ଦେଖାଇ ଆଗକୁ ନିଏ। ତୁମ ମନର ଦୃଢତା ହିଁ ତୁମର ବଳ। ତୁମେ ନିଜେ ହିଁ ନିଜର ପରିପୂରକ ।

୯୩୩୭୨୭୨୬୪୭

Comments are closed.