Latest Odisha News

BREAKING NEWS

ଯୋଗୀଙ୍କୁ ଭେଟିଲେ ଶିବପାଲ, ପୁଣି ଆରମ୍ଭ ହେବ କି ଦଳ ଡିଆଁ ପର୍ବ ?

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି ସହିତ ଶିବପାଲ ଯାଦବଙ୍କ ଦଳ ମେଣ୍ଟ କରିଥିଲା। ଏବେ କିନ୍ତୁ ନିର୍ବାଚନ ପରେ ସମାଜବାଦୀ ପାର୍ଚି ସୁପ୍ରିମୋ ତଥା ପୁତୁରା ଅଖିଳେଶ ଯାଦବଙ୍କ ସହ ଶିବପାଲଙ୍କ ମନାନ୍ତର ବଢିଛି । ଏହାକୁ ନେଇ ୟୁପି ରାଜନୀତିରେ ସପ୍ତାହେ ହେବ ଯାଦବ ପରିବାରର କଳିକୁ ନେଇ ଚର୍ଚ୍ଚା ଚାଲିଥିଲା । ହେଲେ ବୁଧବାର ହଠାତ୍ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି ଶିବପାଲ। ଉଭୟଙ୍କ ମଧ୍ୟରେ ପ୍ରାୟ ୩୦ ମିନିଟ୍ ଧରି ଆଲୋଚନା ହୋଇଥିବା ଜଣାପଡ଼ିଛି। ଆଲୋଚନା ସମ୍ପର୍କରେ କୌଣସି ସବିଶେଷ ତଥ୍ୟ ମିଳିନଥିଲେ ମଧ୍ୟ ନିର୍ବାଚନ ପରେ ସମାଜବାଦୀ ପାର୍ଟିକୁ ବିଜେପି ଆଉ ଏକ ବଡ ଝଟକା ଦେଇପାରେ ।

ଗତ ମାର୍ଚ୍ଚ ୨୪ ତାରିଖରେ ଶିବପାଲ ଓ ଅଖିଳେଶଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା। ଶିବପାଲ ଯାଦବ ବଡ଼ ସାଙ୍ଗଠନିକ ଭୂମିକା ନେବାକୁ ଚାହୁଁଛନ୍ତି ବୋଲି କହିଥିଲେ, କିନ୍ତୁ ଅଖିଳେଶ ଯାଦବ ପ୍ରସ୍ତାବ ଦେଇଥିଲେ ଯେ ଶିବପାଲ ଏସପିର ସମର୍ଥନରେ ନିଜର ରାଜନୈତିକ ଦଳ ପ୍ରଗତିଶୀଳ ସମାଜବାଦୀ ପାର୍ଟିକୁ ଆଗକୁ ବଢ଼ାନ୍ତୁ।

୨୦୧୭ ବିଧାନସଭା ନିର୍ବାଚନ ପୂର୍ବରୁ ଶିବପାଲ ଯାଦବ ନିଜର ଏକ ରାଜନୈତିକ ଦଳ ଗଠନ କରିଥିଲେ ମଧ୍ୟ ଏବେ ବି ସେ ଏସପିରେ ସକ୍ରିୟ ଅଛନ୍ତି ।
ଇଟାଓ୍ୱାର ଯଶବନ୍ତ ନଗର ଆସନରୁ ସମାଜବାଦୀ ପାର୍ଟି ଟିକେଟରେ ନିର୍ବାଚନ ଲଢ଼ି ଶିବପାଲ ଛଅ ଥରର ବିଧାୟକ ହୋଇଛନ୍ତି । କିନ୍ତୁ ଯଦି ସେ ବିଜେପିକୁ ସମର୍ଥନ କରିବାକୁ ପସନ୍ଦ କରନ୍ତି ତେବେ ସେ ଅତି କମରେ ପାଞ୍ଚ ଜଣ ବିଧାୟକଙ୍କୁ ଏସପିରୁ ଆମଦାନୀ କରିପାରିବେ ବୋଲି ଚର୍ଚ୍ଚା ହେଉଛି।

ଯଦିଓ ଏବେ ବିଧାନସଭା ନିର୍ବାଚନ ଶେଷ ହୋଇଛି କିନ୍ତୁ ସମସ୍ତ ରାଜନୈତିକ ଦଳ ୨୦୨୪ ସାଧାରଣ ନିର୍ବାଚନ ଉପରେ ଧ୍ୟାନ ରଖିଛନ୍ତି । ଶିବପାଲ ଯାଦବଙ୍କୁ ଦଳକୁ ଆଣି ବିଜେପି ଯାଦବ ପରିବାରର ଭୋଟକୁ ବିଭାଜନ କରିବାକୁ ଲକ୍ଷ୍ୟ ରଖିଥିବା ସୂଚନା ରହିଛି ।  ଏପରି ଯଦି ହେବ ତାହେଲେ ୟୁପିରେ ସମାଜବାଦୀ ପାର୍ଟି ଦୁର୍ବଳ ହେବ ଆଉ ବିଜେପି ମଜବୁତ ହୋଇରହିବ।

ନିକଟରେ ନିର୍ବାଚନ ବେଳେ ଅଖିଳେଶ ଯାଦବଙ୍କ ଭାଇ ପ୍ରତୀକ ଯାଦବଙ୍କ ପତ୍ନୀ ଅପର୍ଣ୍ଣା ଯାଦବ ସମାଜବାଦୀ ପାର୍ଟି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ।
ନିକଟରେ ଶେଷ ହୋଇଥିବା ୟୁୁପି ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ୧୨୫ଟି ଆସନ ଜିତିଥିଲା, ଯାହାକି ୨୦୧୭ଠୁ ୪୭ଟି ଆସନରୁ ଅଧିକ ଥିଲା। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ନିଜ ରାଜ୍ୟ ଉପରେ ଅଧିକ ଫୋକସ୍ କରିବା ପାଇଁ ଅଖିଳେଶ ଯାଦବ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି।

Leave A Reply

Your email address will not be published.