ମେଲବୋର୍ଣ୍ଣ: ସର୍ବିୟାର ନୋଭାକ ଜୋକୋଭିଚ ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟର ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ମଙ୍ଗଳବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲ ମ୍ୟାଚରେ ଜୋକୋଭିଚ ୪-୬, ୬-୪, ୬-୩ ଓ ୬-୪ ସେଟରେ କାର୍ଲୋସ ଆଲକାରାଜଙ୍କୁ ପରାସ୍ତ କରିଥିଲେ । ୩୭ ବର୍ଷୀୟ ଜୋକୋଭିଚ ଆଘାତ ସମସ୍ୟାରେ ପଡିବା ସତ୍ୱେ ହାର ମାନି ନ ଥିଲେ । ଏପରିକି ସେ କେତେ ସମୟ ଛୋଟେଇ ଛୋଟେଇ ଖେଳିଥିଲେ । କୋଚ ଆଣ୍ଡି ମୁରେ ତାଙ୍କ ମନୋବଳ ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ବିଶ୍ୱର ଏହି ପୂର୍ବତନ ଖେଳାଳି ପ୍ରଥମ ସେଟ ହାରିବା ପରେ ସଂଘର୍ଷ କରି ଦ୍ୱିତୀୟ ସେଟ ଜିତିଥିଲେ । ଏହା ପରେ ସେ ଆଉ ପଛକୁ ଚାହିଁ ନ ଥିଲେ ।
ଜୋକୋଭିଚଙ୍କ ଏହି ସ୍ମରଣୀୟ ବିଜୟକୁ ତାଙ୍କ ପତ୍ନୀ ଜେଲେନା, ଝିଅ ତାରା ଓ ପୁଅ ଷ୍ଟିଫେନ ଉପସ୍ଥିତ ଥିଲେ । ଅପରପକ୍ଷରେ ଆଲକାରାଜଙ୍କ ସେମିଫାଇନାଲ ପ୍ରବେଶ ସ୍ୱପ୍ନ ପୂନର୍ବାର ସାକାର ହୋଇପାରି ନାହିଁ । ଗତ ସଂସ୍କରଣରେ ଆଲେକଜାଣ୍ଡର ଜେଭେରେଭ ତାଙ୍କୁ ପରାସ୍ତ କରିଥିଲେ । ଜୋକୋଭିଚ ପ୍ରଥମ ପୁରୁଷ ଓ ଓଭରାଲ ଦ୍ୱିତୀୟ ଖେଳାଳି ଭାବେ ୫୦ ଥର ଗ୍ରାଣ୍ଡସ୍ଲାମ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ତାଙ୍କ ପୂର୍ବରୁ କ୍ରିସ ଏଭର୍ଟ ଏହି ସଫଳତା ହାସଲ କରିଥିଲେ । ଜୋକୋଭିଚ ସେମିଫାଇନାଲରେ ଜେଭେରେଭଙ୍କୁ ଭେଟିବେ ।
Comments are closed.