ନୂଆଦିଲ୍ଲୀ: ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଭାରତ-ଚୀନ୍ । ସୀମା ବିବାଦକୁ ନେଇ ଏ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି । ଏଲ୍ଏସିରେ ଉଭୟ ପକ୍ଷର ସେନା ମୁହାଁମୁହିଁ ଅବସ୍ଥାରେ ଅଛନ୍ତି । ଏହାରି ଭିତରେ ଆଜି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ବରିଷ୍ଠ ଅଧବକାରୀଙ୍କ ସହ ଭାରତ-ଚୀନ୍ ସୀମାରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି।
ଗତ ଶନିବାର ଏବଂ ରବିବାର ମଧ୍ୟରାତ୍ରିରେ ଲଦାଖର ଚୁସୁଲ ନିକଟ ପାଙ୍ଗୋଙ୍ଗ ସୋ ନିକଟ ଭାରତୀୟ ଅଞ୍ଚଳରେ ଚୀନ୍ ସେନାର ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ସେନା ରୋକିବା ପରେ ଏହି ଉତ୍ତେଜନା ସୃଷ୍ଟି ହୋଇଛି। ତେବେ, ସାଂପ୍ରତିକ ପରିସ୍ଥିତି ସମ୍ପର୍କରେ ଆଲୋଚନା ପାଇଁ ଭାରତୀୟ ସେନାର ବ୍ରିଗେଡ୍ କମାଣ୍ଡରଙ୍କ ସହ ଚୀନ୍ ପ୍ରତିପକ୍ଷ ବୈଠକ ଚଳାଇଥିବା ବେଳେ ଖୋଦ୍ ଏନ୍ଏସ୍ଏ ଡୋଭାଲ ସୀମାନ୍ତରେ ସ୍ଥିତି ସମୀକ୍ଷା କରିବା ଘଟଣାକୁ ବିଶେଷଜ୍ଞ ଓ କୂଟନୈତିକ ମହଲ ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି।
ଉଲ୍ଲେଖଯୋଗ୍ୟ, ପୂର୍ବ ଲଦାଖର ଗଲାନ୍ ଉପତ୍ୟକାରେ ଦୀର୍ଘ ଚାରିମାସ ତଳେ ଭାରତୀୟ ଯବାନ ଏବଂ ଚୀନ ସେନା ମଧ୍ୟରେ ସୃଷ୍ଟ ମୁହାଁମୁହିଁ ସ୍ଥିତିର କରାଳ ରୂପ ଅଢ଼େଇ ମାସ ତଳେ ଜୁନ୍ ୧୫ ତାରିଖ ରାତିରେ ରକ୍ତାକ୍ତ ସଂଘର୍ଷର ରୂପ ନେଇଥିଲା। ଏଥିଯୋଗୁଁ ସୀମାରେ ଦେଖାଦେଇଥିବା ଉତ୍ତେଜନା ହ୍ରାସ ପାଇଁ ଦୁଇଦେଶ ମଧ୍ୟରେ ବିଭିନ୍ନ ସ୍ତରୀୟ ଦ୍ଵିପାକ୍ଷିକ ଆଲୋଚନା ଜାରି ରହିଛି। ଏଭଳି ପରିସ୍ଥିତିରେ ଚୀନ ସୈନିକମାନେ ଶନିବାର ମଧ୍ୟରାତ୍ରରେ ଆଉ ଏକ ଉତ୍ତେଜନା ସୃଷ୍ଟି କରିଛନ୍ତି।
Comments are closed.