କଟକ: ଦିବ୍ୟାଙ୍ଗ ଓ କିନ୍ନର ହେବେ ସ୍ୱାବଲମ୍ବୀ ।ସମାଜର ମୁଖ୍ୟ ସ୍ରୋତରେ ହେବେ ସାମିଲ । ହାତ ପତେଇ ନୁହେଁ ସ୍ୱାଭିମାନର ସହିତ ବଞ୍ଚିବେ ସେମାନେ । ଏଭଲି ଏକ ପ୍ରୟାସର ଝଲକ ଦେଖିବାକୁ ମିଳିଥିଲା କଟକ ବାଲିଯାତ୍ରାରେ । ସରକାରଙ୍କର ଭିନ୍ନକ୍ଷମ ଶସକ୍ତିକରର୍ଣ ବିଭାଗ ତରଫରୁ ବାଲିଯାତ୍ରା କିନ୍ନର ଓ ଦିବ୍ୟାଙ୍ଗଙ୍କୁ ଦିଆଯାଇଛି ମାଗଣା ଷ୍ଟଲ । ସେମାନେ ବିଭିନ୍ନ ଦ୍ରବ୍ୟ ବିକ୍ରି କରି ଭଲ ଦି ପଇସା କମାଉଛନ୍ତି । ସେମାନଙ୍କ ମନୋବଳକୁ ବି ବଢାଇ ଦେଇଛନ୍ତି ଗ୍ରାହକ । ଜିନିଷ କ୍ରୟ କରିବାକୁ ଏମାନଙ୍କ ଷ୍ଟଲରେ ଦେଖାଯାଉଛି ଲୋକଙ୍କ ଭିଡ଼ ।
କାହା ଷ୍ଟଲରେ ଅଛି ହାତ ତିଆରି ବିଭିନ୍ନ ସାମଗ୍ରୀ ସହିତ ବ୍ରହ୍ମପୁରର ପ୍ରସିଦ୍ଧ ଆଚାର ପାମ୍ପଡ଼ ତ ଆଉ କିଏ ବିକୁଛି ଘରକରଣା ଜିନିଷ । କିଏ ପୁଣି ବିକୁଛି ପ୍ରସାଧନ ସାମଗ୍ରୀ । ଷ୍ଟଲ ଆଗରେ ଜିନିଷ କିଣିବାକୁ ଲୋକଙ୍କ ଭିଡ଼ । ଆପଣ ଭାବୁଥିବେ, ବାଲିଯାତ୍ରାରେ ଏ ତ ସାଧାରଣ କଥା । ବାଲିଯାତ୍ରାରେ ତ ଏସବୁ ସବୁବର୍ଷ ମିଳେ । ହେଲେ ଏଠି ଟିକେ ବ୍ୟତିକ୍ରମ ରହିଛି । ଏଠି ଷ୍ଟଲ ଅଛି,ସାମଗ୍ରୀ ବି ଅନ୍ୟ ଷ୍ଟଲ ଭଳି । ହେଲେ ବିକ୍ରୟ କରୁଥିବା ବ୍ୟବସାୟୀ ଏଠି ସ୍ୱତନ୍ତ୍ର । ସମାଜରେ ଅଣଦେଖା ହେଉଥିବା ଦିବ୍ୟଙ୍ଗ ଆଉ କିନ୍ନର ଏମାନେ । ସ୍ୱାବଲମ୍ବୀ ହେବେ, ସ୍ୱାଭିମାନର ସହ ବଞ୍ଚିବେ । ଏଇ ଲକ୍ଷ୍ୟ ନେଇ ଦି ପଇସା କମେଇବାକୁ ସେମାନେ ଏଭଳି ଷ୍ଟଲରେ ବିକ୍ରି କରୁଛନ୍ତି ବିଭିନ୍ନ ସାମଗ୍ରୀ। ସାଧାରଣ ଲୋକଙ୍କ ସହିତ ସମାନ କରି ସୁଯୋଗ ଦେଇଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ଏମାନେ ।
ରାଜ୍ୟ ସରକାରଙ୍କର ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ତରଫରୁ ଏଥର ବାଲିଯାତ୍ରାରେ ୪୪ ଟି ଷ୍ଟଲ ଖୋଲାଯାଇଛି । ଏହି ଷ୍ଟଲରେ ଜିନିଷ ବିକ୍ରି କରୁଛନ୍ତି କିନ୍ନର ଓ ଦିବ୍ୟାଙ୍ଗ । ସରକାରଙ୍କ ତରଫରୁ ସମ୍ପୂର୍ଣ୍ଣ ମାଗଣାରେ ଷ୍ଟଲ ଗୁଡିକ ଯୋଗାଇ ଦିଆଯିବା ସହ ସେମାନଙ୍କର ରାତ୍ରି ରହଣିର ବ୍ୟବସ୍ଥା ମଧ୍ୟ କରାଯାଇଛି । ରାଜ୍ୟର ବହୁ ଜିଲ୍ଲାର ଅନେକ ଦିବ୍ୟଙ୍ଗ ଆଉ କିନ୍ନର ଏଥିରେ ଯୋଗ ଦେଇ ବିକ୍ରି କରୁଛନ୍ତି ଭଳିକିଭଳି ଜିନିଷ । ସେମାନଙ୍କୁ ବିଭାଗ ତରଫରୁ ପ୍ରୋତ୍ସାହିତ କରାଯିବ ସହିତ ସେମାନଙ୍କ ଠାରୁ ଜିନିଷ କିଣି ସେମାନଙ୍କୁ ସଶକ୍ତ କରିବାରେ ସହାୟକ ହେବାକୁ ଅପିଲ କରିଛନ୍ତି ବିଭାଗୀୟ ଅଧିକାରୀ
Comments are closed.