Latest Odisha News

BREAKING NEWS

ମାତୃ ମୃତ୍ୟୁହାର ଓ ଅସୁରକ୍ଷିତ ଗର୍ଭପାତ

ପ୍ରୀତିଛନ୍ଦା ଧଳଙ୍କ ନିୟମିତ ସ୍ତମ୍ଭ ‘ପ୍ରୀତିଲେଖା’

ନିକଟରେ ରିଲିଜ ହୋଇଛି ଡ଼କ୍ଟର ଜୀ ସିନେମା । ସିନେମାଟି ଦେଖିଲା ବେଳେ କିଛି ସିନର ଚିତ୍ର ପୁରା ଆମ ସମାଜରେ ଘଟୁଥିବା କିଛି ଘଟଣାକୁ ଯେମିତି ଦେଖlଯାଉଛି ତାହା ଲାଗୁଥିଲା। ସିନ ପରେ ସିନ ମତେ ଯୋଡି ଦେଉଥିଲା ଏକସତ ଘଟଣା ସହିତ । ବସ୍ତିର ଝିଅଟିଏର ଘଟଣା ଥିଲା l ଯେମିତି ଏମିତି କିଛି ଘଟଣାକୁ ମୁଁ ବହୁତ ସାମ୍ନାରୁ ଦେଖିଥିଲି । ଗୋଟିଏ ନାବାଳିକା ଝିଅ କେମିତି ପ୍ରତାରଣାର ଶିକାର ହୋଇ ଅସୁରକ୍ଷିତ ଗର୍ଭପାତକୁ ଆପଣେଇ ନିଜେ ମୃତ୍ୟୁ ସହିତ ଲଢୁଥିଲା ସେ ଚିତ୍ର ସେ ସିନେମାରେ ଦେଖିଲେ ଆଜି ବି ମନ ଆନ୍ଦୋଳିତ ହୁଏ ଆଉ ଭୟ ଆସିଯାଏ ଯେ କେତେ ଶୋଷଣର ଶିକାର ସତରେ ଏଇ ମାନେ ହେଇଥାନ୍ତି । କିନ୍ତୁ ନିକଟରେ ସୁପ୍ରିମକୋର୍ଟଙ୍କ ରାୟ ଆଇନ ଅନୁଯାୟୀ ଗର୍ଭପାତ ଜଣେ କରିପାରିବ ଏ ଦିଗରେ ବଡ଼ ସହାୟକ ହେବ ବୋଲି ଆଶା ଆମେ କରି ପlରିବା ଏଥିରେ ଦ୍ୱିମତ ନାହିଁ ।

ବହୁ ଆଗରୁ ବିବାହିତଙ୍କ ପକ୍ଷରେ ଗର୍ଭପାତ ଆଇନ ସମ୍ନତ ଥିଲା କିନ୍ତୁ ଏବେ “ସୁରକ୍ଷିତ ଏବଂ ବୈଧ ” ଗର୍ଭପାତ କରିବା ପାଇଁ ସବୁ ମହିଳା ହକଦାର ହେଲେ । ଗର୍ଭପାତ ଆଇନ ଅନୁସାରେ ଉଭୟ ବିବାହିତ ଆଉ ଅବିବାହିତ ମହିଳା ସମାନ ।ଗର୍ଭପାତ ଆଇନକୁ ନେଇ ଦୁହିଁଙ୍କ ଭିତରେ କିଛି ଫରକ ଦେଖିବା ଅସାମ୍ବିଧାନିକ ।

ବିବାହିତ ମହିଳା, ଦୁଷ୍କର୍ମ ପୀଡ଼ିତା, ଭିନ୍ନକ୍ଷମ ଏବଂ ନାବାଳିକା କ୍ଷେତ୍ରରେ ୨୪ ସପ୍ତାହ ଭିତରେ ଆଇନ ଅନୁଯାୟୀ ଗର୍ଭପାତ କରାଯାଇପାରିବ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ୨୦୧୫ -୧୬ ଅନୁଯାୟୀ କୁହାଯାଇଛି ଯେ କେବଳ ୨୦ ପ୍ରତିଶତ ଗର୍ଭପାତ ସରକାରୀ କ୍ଷେତ୍ରରେ ହେଉଥିଲା ବେଳେ ୫୨ ପ୍ରତିଶତ ବ୍ୟକ୍ତିଗତ କ୍ଷେତ୍ରରେ ହୋଇଥାଏ। ବର୍ତ୍ତମାନ ଶତକଡା ଦଶଭାଗ ମାତୃ ମୃତ୍ୟୁ ର ମୁଖ୍ୟ କାରଣ ହେଉଛି ଅସୁରକ୍ଷିତ ଗର୍ଭପାତ । ନାବାଳିକାଟିଏ କିମ୍ୱା ଅବିବାହିତାଟିଏ ଲୋକ ଲଜ୍ଜାରୁ ରକ୍ଷା ପାଇବା ପାଇଁ ଆଇନ ଅନୁମୋଦିତ ଏମ. ଟି. ପି. ସେଣ୍ଟରକୁ ନଯାଇ ଗାଁ ଗହଳିରେ ଅଣ ତାଲିମ ପ୍ରାପ୍ତ ଧାଇ ମାନଙ୍କଠାରୁ ବିଷାକ୍ତ ଚେର ମୂଳି ଔଷଧ ଖାଇ ନିଜ ଜୀବନକୁ ବିପଦରେ ପକେଇଥାନ୍ତି l ଆଉ ଯାହା ଏବେ କରିବାକୁ ପଡ଼ିବ ନାହିଁ l ସେମାନେ ସରକାରୀ ସେଣ୍ଟର ଗୁଡ଼ିକରେ ନିରାପଦ ଭାବରେ ବିନା ଶୋଷଣରେ ନିଜର ସୁରକ୍ଷିତ ଗର୍ଭପାତ କରିପାରିବେ । ମେଡିକାଲ ଟର୍ମିନେଶନ ଅଫ ପ୍ରେଗ୍ନେନିସୀ ସଂଶୋଧନ ଅଧିନିୟମରେ, ଗର୍ଭପାତ ପାଇଁ ଗର୍ଭଧାରଣ ସୀମା କୁ ୨୦ ସପ୍ତାହ ରୁ ୨୪ ସପ୍ତାହକୁ ବୃଦ୍ଧି କରାଯାଇଛି l ଏହା କେବଳ ଯୌନ ଶୋଷଣର ଶିକାର ହୋଇ ଗର୍ଭ ଧାରଣ କରିଥିବା ଗର୍ଭବତୀ ମହିଳା ମାନଙ୍କ ପାଇଁ । ଏପରି କରିବା ପାଇଁ ୨ ଜଣ ପଞ୍ଜିକୃତ ଡାକ୍ତରଙ୍କ ଅନୁମୋଦନ ମଧ୍ୟ ଆବଶ୍ୟକ ।

ଏଇଟି ଗୋଟିଏ ପ୍ରୋଗ୍ରେସିଭ ରାୟ କହିଲେ ଅତ୍ୟୁକ୍ତି ହେବ ନାହିଁ । ବାସ ଆମେ ତାକୁ କେଉଁ ଭଳି ଭାବରେ ଗ୍ରହଣ କରିବା ତାହା ସମ୍ପୂର୍ଣ ଭାବରେ ଆମ ଉପରେ ନିର୍ଭର କରୁଛି l ଅନେକ ଲୋକଙ୍କ ମତରେ ଗର୍ଭପାତର ପରିମାଣ ଏବେ ଅବିବାହିତଙ୍କ କ୍ଷେତ୍ରରେ ବହୁତ ବଢ଼ିଯିବ । ସମାଜ ଦିଗ ଭ୍ରଷ୍ଟ ହେବ। ଅନେକ ଏହାର ଫାଇଦା ଉଠେଇବେ l କିନ୍ତୁ ମୁଁ ଯେମିତି କି ପ୍ରଥମରୁ କହି ରଖିଛି l ଏହାର ଉପଯୋଗ ଆମ ଉପରେ ନିର୍ଭର କରେ l ଆମେ ଯେତେ ଗର୍ଭପାତ କରିବା ସେତେ କୁପ୍ରଭାବ ଆମ ଶରୀର ଉପରେ ପଡ଼ିବ । ତେଣୁ ଆମକୁ ପ୍ରଥମେ ଆମ ସୁରକ୍ଷା ଦେଖିବାକୁ ପଡ଼ିବ ।

ଆଉ ସବୁଠାରୁ ଭଲ କଥା ହେଲା ଦୁଷ୍କର୍ମ ପୀଡ଼ିତାଟିଏ ଯେତେବେଳେ ଗର୍ଭ ଧାରଣ କରୁଛି ସେ ଏଇ ଆଇନ ଅନୁଯାୟୀ ସମସ୍ତ ସୁବିଧା ପାଇ ପlରିବା ସାଙ୍ଗରେ ଶୋଷଣର ଶିକାର ହେବାରୁ ବର୍ତ୍ତିପାରିବ । ତେଣୁ ସମାଜରେ ଏହାର ପ୍ରଭାବ କି ଭଳି ପଡ଼ିବ ତାହା ହେଲା ଆମ ଦlୟିତ୍ୱ । ଆମେ ଏଇ ରାୟକୁ କିଭଳି ଭାବରେ ଗ୍ରହଣ କରିବା ସେଇଟା ଆମର ସମ୍ପୂର୍ଣ୍ଣ ବ୍ୟକ୍ତିଗତ କଥା । ତେଣୁ ଏହାର ପଜିଟିଭ ଦିଗଟିକୁ ଧ୍ୟାନ ଦେଲେ ଆମେ ଗୋଟିଏ ଭଲ ଆଉ ସୁସ୍ଥ ସମାଜର ସ୍ବପ୍ନ ଦେଖିପାରିବା ଯେଉଁ ସମାଜରେ ମା ସାଙ୍ଗରେ ସୁସ୍ଥ ଶିଶୁଟିଏ ମଧ୍ୟ ସୁନ୍ଦର ଭବିଷ୍ୟତ ଦେଖିପାରିବ ।

Leave A Reply

Your email address will not be published.