Latest Odisha News

ଜାଣିବା ନିହାତି ଜରୁରୀ

ପ୍ରୀତିଛନ୍ଦା ଧଳଙ୍କ ନିୟମିତ ସ୍ତମ୍ଭ ‘ପ୍ରୀତିଲେଖା’

ଏବେ ଗୋଟିଏ ଖବରକୁ ନେଇ ଆମେ ସବୁ ଆଡ଼େ ଚର୍ଚ୍ଚା କରୁଛେ ।  ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ସେ କହିଲେ ଅତ୍ୟୁକ୍ତି ହେବ ନାହିଁ । ସେ ଆଉ କେହି ନୁହଁନ୍ତି ଆମ ଓଡ଼ିଆ ଝିଅ ମଧୁସ୍ମିତା ଜେନା ।  ସୁଦୂର ବ୍ରିଟେନର ମlଞ୍ଚେଷ୍ଟରରେ ମାରାଥନ ଦୌଡି଼ବା ବେଳେ ସେ ଶାଢ଼ୀଟିଏ ପିନ୍ଧି ଦୌଡ଼ି ସାରା ବିଶ୍ୱର ଓଡ଼ିଆଙ୍କ ପାଇଁ ପ୍ରଶଂସା ସାଉଁଟି ଥିଲେ ।  କାରଣ ଶାଢ଼ୀଟି ଥିଲା ଓଡ଼ିଶା ହସ୍ତତନ୍ତ ଶାଢ଼ି ଆଉ ତା’ ପୁଣି ତାଙ୍କ ମାଙ୍କ ବାହାଘର ବେଳର ଶାଢ଼ି ।  ସତରେ ଗୋଟିଏ ଝିଅ ପାଇଁ ଆଉ ଗର୍ବର କଥା କଣ ହେଇପାରେ !  ସେ ହୁଏତ ଟ୍ରାକ ସୁଟ ପିନ୍ଧି ଦୌଡ଼ିଥିଲେ ଯେତିକି ପ୍ରଶଂସା ପାଇନଥାନ୍ତେ ତା’ଠାରୁ ଅଧିକ ପ୍ରଶଂସାର ପାତ୍ର ହେଲେ ସେ କେବଳ ମାତ୍ର ଓଡ଼ିଶାର ଶାଢ଼ି ପିନ୍ଧି ଏହା କହିଲେ କିଛି ଭୁଲ ହେବ ନାହିଁ ।  ନିହାତି ଭାବରେ ଜଣେ ମହିଳା ହିସାବରେ ଆଉ ଜଣେ ଓଡ଼ିଆ ହିସାବରେ ଯେ ବି ତାଙ୍କୁ ସେ ମାରାଥନରେ ଦୌଡ଼ିବାର ଭିଡ଼ିଓଟି ଦେଖୁଥିବ ସେ କେଉଁଠି ନା କେଉଁଠି ତାଙ୍କ ପାଇଁ ଗର୍ବ ଅନୁଭବ କରିଥିବ ।

ଏଇ ଗଲା କିଛି ଦିନ ତଳର କଥା ।  ମୁଁ ଗୋଟିଏ ଓଡ଼ିଶା ଶାଢ଼ି ପିନ୍ଧି ବସିଥିଲା ବେଳେ ଏଆରପୋର୍ଟରେ ମୋ ପାଖରେ ଜଣେ ବଙ୍ଗାଳୀ ଭଦ୍ର ମହିଳା ବସିଥିଲେ ସେ ବାରମ୍ବାର ମୋ ଶାଢ଼ିକୁ ଦେଖୁଥିବା ବେଳେ ମତେ ପଚାରିଥିଲେ ଯେ ଏଇ ଶାଢ଼ୀଟି ଭାରି ସୁନ୍ଦର ହେଇଛି ସମ୍ବଲପୁରୀ ଶାଢ଼ୀ ବହୁତ ସୁନ୍ଦର ଲାଗୁଛି ।  ମୁଁ ତାଙ୍କୁ ଧନ୍ୟବାଦ ଦେଇ କହିଲି ଯେ ଏଇ ଶାଢ଼ୀ ସମ୍ବଲପୁରୀ ନୁହେଁ ଏଇଟା ଓଡ଼ିଶାର ଖଣ୍ଡୁଆ ଶାଢ଼ୀ କୁହନ୍ତି ।  କିନ୍ତୁ  ତା’ ପରେ ସେ ମତେ ବାରମ୍ବାର କହିଚାଲିଲେ ଯେ ନା ନା ଖଣ୍ଡୁଆ ଶାଢ଼ି ନୁହେଁ ଏ ହେଉଛି ସମ୍ବଲପୁରୀ ଶାଢ଼ି । ଓଡ଼ିଶାରେ ଶାଢ଼ି ଯଦି ତା କେବଳ ସମ୍ବଲପୁରୀ ଶାଢ଼ି ବୋଲି ଆମେ ଜାଣୁ ।  ମୁଁ ସେ ଭଦ୍ର ମହିଳାଙ୍କୁ ଯେତେ ବୁଝେଇବାକୁ ଚେଷ୍ଟା କଲି ଯେ ନା ସମ୍ବଲପୁରୀ ଶାଢ଼ି ଯେମିତି ଆମ ଓଡ଼ିଶାରେ ସମ୍ବଲପୁର ଅଞ୍ଚଳ,ବରଗଡ଼, ସୋନପୁର, ବରପାଲି, ବୌଦ୍ଧ ଆଦି ଜାଗାରେ ବୁଣାଯାଏ ।  ସେମିତି ଅନେକ ଜାଗା ଅଛି ସେଇଠି ମଧ୍ୟ ସେ ଜାଗାରେ ଶାଢ଼ି ବୁଣାଯାଇଥାଏ ।  ମୁଁ ପିନ୍ଧିଥିବା ଶାଢ଼ିଟି ମଧ୍ୟ ସେମିତି ଆଠଗଡ଼ ଅଞ୍ଚଳର ନୂଆପାଟଣା ଜାଗାରେ ବୁଣାଯାଇଥିବା ଓଡ଼ିଶାର ଖଣ୍ଡୁଆ ଶାଢ଼ି ।  କିନ୍ତୁ ସେ ବୁଝିବାକୁ ନାରାଜ ।  ନା ଯଦି ଓଡ଼ିଶା ଶାଢ଼ି ପିନ୍ଧିଛ ତାହେଲେ ସେଇଟା କେବଳ ମାତ୍ର ସମ୍ବଲପୁରୀ ଶାଢ଼ି ।  ତାଙ୍କର ଅଦ୍ଭୁତ ଯୁକ୍ତି ଆଗରେ ମୁଁ ଆଉ କିଛି କହିବା ଉଚିତ ମନେକଲି ନାହିଁ ।

ଏଇଠି ଏହି କଥା କହିବାର ଉଦ୍ଦେଶ୍ୟ ଏଇୟା ଯେ ଖାଲି ଅଣଓଡ଼ିଆ ନୁହନ୍ତି ଆମ ଓଡ଼ିଆମାନେ ମଧ୍ୟ ଆଜି ପର୍ଯ୍ୟନ୍ତ କେଉଁ ଅଞ୍ଚଳର କେଉଁ ଶାଢ଼ି ଆଉ କେଉଁଟା ସମ୍ବଲପୁରୀ ଆଉ କେଉଁଟା ଖଣ୍ଡୁଆ ତା’ ଭିତରେ ଫରକ ଜାଣିପାରନ୍ତି ନାହିଁ ।

ଅନେକଙ୍କ ମନରେ ପ୍ରଶ୍ନ ଆସୁଥିବ ଶାଢ଼ି ତ ଶାଢ଼ି ଓଡ଼ିଶା ଶାଢ଼ି ତାକୁ ନେଇ ଏତେ ଯୁକ୍ତି ତର୍କ କଣ ? କିନ୍ତୁ କେତେ କଥା ଆମ ଓଡ଼ିଶାର ପ୍ରତ୍ୟକ ଅଞ୍ଚଳର ଶାଢ଼ି କେଉଁଠି କେଉଁଟା ବୁଣାଯାଉଛି ସେଇଟା ଯଦି ଆମେ ନଜାଣି ପାରି ତାକୁ ଏପଟ ସେପଟ କରି ଭୁଲ ଭାଲ ତଥ୍ୟ ଦେବା ତାହେଲେ ତାହା ମାନଚିତ୍ର ପରିବର୍ତ୍ତନ କଲା ସଦୃଶ ହୋଇଯିବ ।

ଯେତେବେଳେ ଆମେ ଆମ କଳା, ସଂସ୍କୃତି, ପରମ୍ପରା ସବୁକୁ ନେଇ ସଚେତନ ତାହେଲେ ଆମ ହସ୍ତତନ୍ତକୁ ନେଇ କାହିଁକି ସଚେତନ ହେବା ନାହିଁ ?

କଥାରେ ଅଛି ଆମ ଭାଷା ଯେତେ ସୁନ୍ଦର ଆମ ଓଡ଼ିଶା ଶାଢ଼ି ବି ସେତିକି ସୁନ୍ଦର ତେଣୁ ଓଡ଼ିଶାର ପ୍ରତ୍ୟକ ଅଞ୍ଚଳର ବୁଣା ଶାଢିକୁ ମଧ୍ୟ ଆମ ଜାଣିବା ନିହାତି ଜରୁରୀ ।  କୋଟପାଡ଼ ଶାଢ଼ି  ଡ଼ଙ୍ଗରିଆ ଶାଢ଼ି, ହବସପୁରୀ ଶାଢ଼ି, ଧଳାପଥର ଶାଢ଼ି ଜଗତସିଂହପୁର ସୂତା ଶାଢ଼ି, ଓଳସିଂ ଶାଢି, ପିତ୍ତଳ ଶାଢ଼ି, ଏଇ ସବୁ ଶାଢ଼ି କୋଉ ଜାଗାରେ ବୁଣାଯାଏ ପ୍ରଶ୍ନ ପଚାରିଲେ ଆମ ଅନେକଙ୍କ ଏ ବିଷୟ ଧାରଣା ବିଲକୁଲ ନଥିବ କହିଲେ ଚଳେ । ସମ୍ବଲପୁରୀ ଶାଢି ଆଉ ଖଣ୍ଡୁଆ ଶାଢି ଭିତରେ ଅନେକ ପାର୍ଥକ୍ୟ ରହିଛି ।  ଖଣ୍ଡୁଆ ଶାଢିକୁ ଯଦି ଆମେ ସମ୍ବଲପୁରୀ କହିବା ଆଉ ସମ୍ବଲପୁରୀ ଶାଢିକୁ ଯଦି ବରହମପୁରୀ ଶାଢି କହିବା ତାହେଲେ କେମିତି ହେବ ।  ଯାହା ବି ହେଲେ ଭୁଲ ତଥ୍ୟ ହେବ ଏଇଟା ।  ଆଜି କାଲି ଓଡ଼ିଶାର ଶାଢିକୁ ନେଇ ଅନେକ ଗବେଷଣା କରିବା ପାଇଁ ଆଗେଇ ଆସୁଛନ୍ତି ।  କେଉଁ ଶାଢ଼ି ଲୋପ ପାଇଯାଉଛି କାହିଁକି ଆଉ ବୁଣା ହେଇପାରୁନାହିଁ ତାର ଉପରେ ଅନେକ ଗବେଷଣା ଚାଲିଛି  ସେତେବେଳେ ମାରାଥନରେ ଓଡ଼ିଆ ଝିଅ ଓଡ଼ିଶା ଶାଢ଼ି ପିନ୍ଧି ଦୌଡି଼ବା କମ ଗର୍ବର କଥା ନୁହେଁ ଆମପାଇଁ । କିନ୍ତୁ ଖଣ୍ଡୁଆ ଶାଢ଼ିକୁ ସମ୍ବଲପୁରୀ ଶାଢ଼ିର ପରିଚୟ ଦେଇ ଅନେକ ଆଗ ଧାଡ଼ିର ଗଣମାଧ୍ୟମ ଖବର ପ୍ରସାରଣ କରିବା ନିହାତି ଭାବରେ ଦୁର୍ଭାଗ୍ୟଜନକ ।  ଖାଲି ଗଣମାଧ୍ୟମ ନୁହେଁ ଓଡ଼ିଶା ସରକାରଙ୍କ ହସ୍ତତନ୍ତ ଓ ହସ୍ତକଳା ବିଭାଗ ମଧ୍ୟ ସେ ଶାଢିଟି ସମ୍ବଲପୁରୀ ଶାଢ଼ି ବୋଲି ସାମାଜିକ ଗଣମାଧ୍ୟମରେ ମଧ୍ୟ ପୋଷ୍ଟ କରିଛି ।  ଏହାଠାରୁ ବଡ଼ ବିଡମ୍ବନାର ବିଷୟ କଣ ହେଇପାରେ ? ଯେଉଁ ବିଭାଗ ଏଇ ଉପରେ କାମ କରୁଛି ସେ ଯଦି ନିଜେ ଭୁଲ ଭାଲ ତଥ୍ୟର ପ୍ରଚାର ପ୍ରସାର କରିବ ତା’ହେଲେ ଆମ ସାଧାରଣ ଲୋକଙ୍କ ମନରେ ଭ୍ରମ ସୃଷ୍ଟି ହେବା ସ୍ୱାଭାବିକ କଥା ।

 

ଶାଢ଼ି ତ ଶାଢ଼ି ଏତେ କଥା କଣ ଶାଢ଼ିକୁ ନେଇ ଯେ ଅନେକଙ୍କର ଅଦ୍ଭୁତ ଯୁକ୍ତି କିନ୍ତୁ ଶାଢ଼ିଟାକୁ ଯେ ଭୁଲ ଭାବରେ ଉପସ୍ଥାପନା କରିବା ହେଉଛି ହିଁ ବଡ଼ ଭୁଲ ଏହା ଆମେ ଭୁଲିଯିବା ଉଚିତ ନୁହେଁ ।  ସମ୍ବଲପୁରୀ ଶାଢ଼ିଟିଏ ଖଣ୍ଡୁଆ ଶାଢିଠାରୁ ସମ୍ପୂର୍ଣ୍ଣ ଅଲଗା ।  ଖଣ୍ଡୁଆ ଶାଢ଼ି ସମ୍ବଲପୁରୀ ଶାଢ଼ିଠାରୁ କମ ଟଙ୍କା ଏବଂ କମ ଓଜନର ମଧ୍ୟ ହେଇଥାଏ । ଆପଣଙ୍କୁ ୪୦୦୦ ଟଙ୍କାରେ ଖଣ୍ଡୁଆ ପାଟଟିଏ ମିଳିପାରିବ କିନ୍ତୁ ସମ୍ବଲପୁରୀ ପାଟ ପାଇଁ ନିହାତି ଭାବରେ ଆପଣଙ୍କୁ ୬୦୦୦ ଟଙ୍କା ଦେବାକୁ ପଡ଼େ ।

ସମ୍ବଲପୁରୀ ସିଲକ ୬୫୦ ଗ୍ରାମରୁ ୭୦୦ ଗ୍ରାମ ଓଜନର ହୋଇଥିଲା ବେଳେ ଖଣ୍ଡୁଆ ସିଳ୍କକ ୩୮୦ ରୁ ୪୫୦ ଗ୍ରାମ ହୋଇଥାଏ ।  ଏତେ ସବୁ ଫରକ ଥିଲା ଭିତରେ ଆମେ କେମିତି ଭୁଲ ତଥ୍ୟକୁ ପ୍ରୋତ୍ସାହନ ଦେଉଛେ ତାହା ବଡ଼ ଚିନ୍ତାର ବିଷୟ ।  ଗଣ ମାଧ୍ୟମ ହେଉ କିମ୍ଵା କୌଣସି ବ୍ୟକ୍ତି ବିଶେଷ ହୁଅନ୍ତୁ ଗୋଟିଏ ଭୁଲ ତଥ୍ୟକୁ ଆଧାର କରି କିଛି ଲେଖିବା ଜମା ବି ଗ୍ରହଣୀୟ ନୁହେଁ । ଆମ ଓଡ଼ିଶାର କଥା ଆମ ଓଡ଼ିଶାର ଶାଢ଼ି, ଆମ ଓଡ଼ିଶାର ଖାଦ୍ୟ, ଆମ ଓଡ଼ିଶାର ପ୍ରତ୍ୟକ କୋଣର ସଂସ୍କୃତିକୁ ଜାଣିବା ହେଉଛି ଆମର ପ୍ରଥମ କର୍ତ୍ତବ୍ୟ ।  ତେଣୁ ଏଇ ସବୁ ବିଷୟରେ ଜାଣିବା ଆଉ ସଚେତନ ରହିବା ଆମର ନିହାତି ଜରୁରୀ ।

Leave A Reply

Your email address will not be published.