Latest Odisha News

BREAKING NEWS

ମହିଳା ଦିବସ ଓ ସମାଜ ଆଖିରେ ନାରୀ

ପ୍ରୀତିଛନ୍ଦା ଧଳଙ୍କ ନିୟମିତ ସ୍ତମ୍ଭ ‘ପ୍ରୀତିଲେଖା’

 

ଆଜିର ଦିନରେ ଏପରି କୌଣସି କ୍ଷେତ୍ର ନାହିଁ ଯେଉଁଠି ମହିଳାମାନେ ସଫଳତାର ସହ କାର୍ଯ୍ୟ କରୁନାହାନ୍ତି ବୋଲି ଆମେ ପ୍ରଶ୍ନ କରିପାରିବା।  ଅଟୋ ଚଲେଇବାଠାରୁ ଆରମ୍ଭ କରି ଡାକ୍ତର, ଇଞ୍ଜିନିୟର ଆଉ ପାଇଲଟ, ସବୁ କ୍ଷେତ୍ରରେ ମହିଳାମାନେ ସକ୍ଷମ ବୋଲି ପ୍ରମାଣିତ କରିସାରିଲେଣି ।

ପର୍ବତ ଚଢିବା, ସମୁଦ୍ରରେ ବୁଡ଼ିବା ଆଦି ସବୁ କ୍ଷେତ୍ରରେ ସେମାନେ ଆଗରେ କହିଲେ ଅତ୍ୟୁକ୍ତି ହେବ ନାହିଁ । ରାଜନୀତି କ୍ଷେତ୍ରରେ ମଧ୍ୟ ନିଜର ସ୍ଥିତିକୁ ପୁରା ନହେଲେ ବି କିଛି ଭାଗକୁ ଅକ୍ତିଆର କରିବାରେ ମଧ୍ୟ ସମର୍ଥ ହେଇଗଲେଣି ବିଶେଷ କରି ମହିଳାମାନେ । ତାର ଜ୍ୱଳନ୍ତ ଉଦାହରଣ ହେଲା ରାଜ୍ୟ ଗଠନର ୬୦ ବର୍ଷ ପରେ ନାଗାଲାଣ୍ଡ ପାଇଛି ପ୍ରଥମ ମହିଳା ବିଧାୟକ । ଏହା ହେଉଛି ମଧ୍ୟ ରାଜନୀତି କ୍ଷେତ୍ରରେ ମହିଳାଙ୍କ ଗୋଟିଏ ବଡ଼ ସଫଳତା ବୋଲି ଏଡ଼ାଇ ଦିଆଯାଇନପାରେ । ଶିକ୍ଷା, କର୍ପୋରେଟ, ରାଜନୀତି ଅନେକ ଅନୁଷ୍ଠାନ ଆଜି ମହିଳା ଦିବସ ପାଳନ କରୁଛି ।  କିଏ କଣ ବାର୍ତ୍ତା ମହିଳା ସଶକ୍ତିକରଣକୁ ନେଇ ସମାଜକୁ ଦେଉଛି ଆଉ ଆଗକୁ କେତେ ପ୍ରୟାସ ରଖୁଛି ସେଇ ପ୍ରତିଯୋଗିତାରେ ଏବେ ସମସ୍ତେ ଆମେ । କିନ୍ତୁ କେଉଁଠି ନା କେଉଁଠି ଆମେ ଭୁଲିଯାଉଛେ ଯେ ସଶକ୍ତିକରଣର କଥା ଆମେ ଯେବେ କହିବା ସୁରକ୍ଷାର ଅଧିକାର ପାଇଁ ମଧ୍ୟ ଆମେ ଦାବୀ କରିବା ଦରକାର । ସେ ସରକାରଙ୍କ ପାଖରେ ହେଉ କିମ୍ବା ନିଜ ପରିବାର ପାଖରେ ହେଉ ।  ସମ୍ମାନ ଓ ସୁରକ୍ଷା ଏ ଦୁଇଟି ବଡ଼ ପ୍ରସଙ୍ଗ ହେବା ଦରକାର ମହିଳାଙ୍କ କ୍ଷେତ୍ରରେ ।
ଗୋଟିଏ ବର୍ଷ କିମ୍ବା ପ୍ରତି ବର୍ଷ ଗୋଟିଏ ଦିନ ପାଳି ଦେଲେ ଯଦି ସମସ୍ତ ସମସ୍ୟାର ସମାଧାନ ହେଇପାରନ୍ତା ତାହେଲେ ନିର୍ଭୟା କିମ୍ଵା ହଥରସ ଘଟଣା ଘଟୁନଥାନ୍ତା  ଅବା ଭୃଣ ହତ୍ୟା ଏତେ କଡ଼ା ଆଇନ ଥିବା ସତ୍ତ୍ୱେ ମଧ୍ୟ ଲୁଚାଚୋରାରେ ଚାଲୁନଥାନ୍ତା।

ଆମ ରାଜ୍ୟ ବି ଏ ଦିଗରେ କମ ପଡ଼ି ନାହିଁ ।  ଦୁଷ୍କର୍ମ, ହତ୍ୟା ସବୁ ହିଂସା ମହିଳାଙ୍କ କ୍ଷେତ୍ରରେ ବଢ଼ି ବଢ଼ି ଚାଲିଛି ।  ଆଜିକାଲି ଯଦି ଦେଖିବା ଅନେକ ଜାଗାରେ ମହିଳାମାନେ ଏ କ୍ଷେତ୍ରରେ ସ୍ୱର ଉତ୍ତୋଳନ  କରିଲେଣି ।  ଆଜି କାଲି ବାହାରକୁ ଆସି ଅଭିଯୋଗ କରିବାର ପ୍ରକ୍ରିୟାରେ ସାମିଲ ହେଲେଣି । କିନ୍ତୁ ଏବେ ବି ଆମେ ପୁରୁଷ ପ୍ରାଧାନ ସମାଜରେ ବଞ୍ଚୁଛେ ବୋଲି ମଧ୍ୟ କଥାକୁ ଅସ୍ୱୀକାର କରି ପାରିବା ନାହିଁ ।  କିଛିଟା ଲିଙ୍ଗଗତ ବୈଷମ୍ୟକୁ ମଧ୍ୟ ଆମେ ଏଡ଼ାଇ ଦେଇପାରିବା ନାହିଁ । ଲିଙ୍ଗଗତ ବୈଷମ୍ୟକୁ ଦୂର କରିବା ଅସମ୍ଭବ । ହରମୋନଗତ ପାର୍ଥକ୍ୟ ଯୋଗୁ ମହିଳାମାନେ ପୁରୁଷଙ୍କ ତୁଳନାରେ ଅଧିକ ଭାବପ୍ରବଣ, ଯତ୍ନଶୀଳ, ମମତାମୟୀ ହୋଇଥିବା ବେଳେ,  ପୁରୁଷମାନେ କର୍କଶ ଓ ରୁକ୍ଷ ହୋଇଥାନ୍ତି । ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ସର୍ବେକ୍ଷଣରେ ରହିଛି ।  ଏହାର ସୁଯୋଗ ନେଇ ପୁରୁଷ ସର୍ବସ୍ବ ସମାଜରେ ମହିଳା ମାନଙ୍କ ପ୍ରତି ଯେଉଁ ପ୍ରକାର ମାନସିକ, ଶାରିରୀକ, ସାମାଜିକ ଶୋଷଣ କରାଯାଉଛି ତାହା ମାନବ ସଭ୍ୟତାର ଏକ କଳଙ୍କ ଓ ସମାଜରେ ପ୍ରଗତିର ପ୍ରତିରୋଧକ ଅଟେ ।

ଆଜି ଅମୃତ ମହୋତ୍ସବ ପାଳନ ବେଳେ ଗାନ୍ଧିଜୀଙ୍କର ଗୋଟିଏ କଥା ମନେ ପଡୁଛି ।  ମହାତ୍ମା ଗାନ୍ଧୀ କହୁଥିଲେ ଯେ, ପୁରୁଷମାନେ କେବଳ ଶାରରୀକ ବଳରେ ନାରୀମାନଙ୍କ ଠାରୁ ବଳିୟାନ ।। ମାତ୍ର ଅନ୍ୟ ସମସ୍ତ ମାନବିକ ଦୃଷ୍ଟିରୁ ନାରୀମାନେ ପୁରୁଷଙ୍କଠାରୁ ଅଧିକ ବଳଶାଳୀ । ନାରୀ ମାନଙ୍କର ମନୋବଳ ପୁରୁଷଙ୍କଠାରୁ ଏତେ ଅଧିକ ଯେ ସେମାନେ ନିଜର ଶକ୍ତି ସମ୍ବନ୍ଧରେ ଯଦି ସଚେତନ ହେବେ ତାହେଲେ ଆବଶ୍ୟକ ହେଉଥିବା ପରିବର୍ତ୍ତନର ବାର୍ତ୍ତାବହ ମହିଳାମାନେ ହିଁ ହେଇପାରିବେ । ବେଳେ ବେଳେ ଲାଗେ ପୁରୁଷମାନେ ଏତିକି ବୁଝିପାରିଲେ ନିଜର ପଶୁ ତ୍ୱକୁ ଭୁଲି କେବେ ହେଲେ ଦୁଷ୍କର୍ମ ପରି ଅପରାଧକୁ ଆପଣେଇ  ପାରନ୍ତେ ନାହିଁ ।  ବୁଝିବାଟା ଆସେ ଶିକ୍ଷାରୁ, ପରିବାରରୁ ସମାଜରୁ।  ସେଥିପାଇଁ ମଧ୍ୟ ସମସ୍ତେ ଯତ୍ନବାନ ହେବା ଦରକାର । ମହିଳାମାନେ ବିଶ୍ୱରେ ଲିଙ୍ଗଗତ ସମସ୍ୟାକୁ ଚ୍ୟାଲେଞ୍ଜ କରିବା ଦରକାର ।

୨୦୨୩ର ଥିମ ରହିଛି ଅନ୍ତର୍ଜାତୀୟ ମହିଳା ଦିବସର- Digit All: Innovation and technology for gender equality. ଡିଜିଟାଲ : ଲିଙ୍ଗଗତ ସମାନତା ପାଇଁ ଅଭିନବତା ଏବଂ ପ୍ରଯୁକ୍ତି ବିଦ୍ୟା।  ଏହାର ଅର୍ଥ ହେଉଛି ଯେ ଆଜିର ଡିଜିଟାଲ ଯୁଗରେ ଲିଙ୍ଗଗତ ସମାନତା ହାସଲ କରିବା ପାଇଁ ମହିଳା ଏବଂ ଝିଅମାନଙ୍କ ସଶକ୍ତିକରଣ ପାଇଁ ନୂତନତା ଅଭିନବତା ବୈଷୟିକ ଜ୍ଞାନ କୌଶଳ ଓ ପ୍ରଯୁକ୍ତି ବିଦ୍ୟାରେ ପରିବର୍ତ୍ତନକୁ ପ୍ରାଧାନ୍ୟ ଦେବା । ଯାହା ଏବେ ନିହାତି ଭାବରେ ଆବଶ୍ୟକ ହୋଇପଡିଛି ସମାଜର ପରିବର୍ତ୍ତନରେ ମହିଳାଙ୍କ ସ୍ଥିତିକୁ ନେଇ ।  ତାହା ଆମ ସମସ୍ତଙ୍କୁ ବୁଝିବାକୁ ପଡ଼ିବ ।

ଆମେ ଯେତେବେଳେ ପ୍ରତ୍ୟକ ବର୍ଷ ଏଇ ମହିଳା ଦିବସ ପାଳନ କରୁଛେ,  ଆମ ରାଜ୍ୟରେ ମହିଳାଙ୍କ ସ୍ଥିତିରେ କେତେ ଉନ୍ନତ  ଘଟିଛି ତାର ଏକ ତର୍ଜମା ହେବା ଆବଶ୍ୟକ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ତଥ୍ୟ ଅନୁଯାୟୀ : ବିଶ୍ୱରେ ଏକ ତୃତୀୟାଂଶ ବା ୭୩ .୩ କୋଟି ମହିଳା ବିଭିନ୍ନ ଶାରରୀକ ହିଂସା, ଯୌନ ନିର୍ଯ୍ୟାତନା ଯାହା ନିଜ ସମ୍ପର୍କୀୟ ବା ଅନ୍ତରଙ୍ଗ ସାଥୀଙ୍କ ଦ୍ୱାରା ହୋଇଥାନ୍ତି। ସେହିପରି ମିଳିତ ଜାତିସଙ୍ଘ ୨୦୨୨ ଅନୁଯାୟୀ : ଦାରିଦ୍ର୍ୟ ଦ୍ୱାରା ଅସୁବିଧାକୁ ସାମ୍ନା କରୁଥିବା ୧୩୦ କୋଟି ଲୋକଙ୍କ ମଧ୍ୟରୁ ୭୦ % କେବଳ ମହିଳା ଅଟନ୍ତି । ସହରରେ ୪୦%  ଗରିବ ପରିବାର ମହିଳାଙ୍କ ଦ୍ୱାରା ପରିଚାଳିତ । ବିଶ୍ୱ ଖାଦ୍ୟ ଉତ୍ପାଦନରେ ମହିଳାମାନଙ୍କ ଅବଦାନ ପଚାଶରୁ ଅଶୀ ପ୍ରତିଶତ।  କିନ୍ତୁ ଦୁର୍ଭାଗ୍ୟର କଥା ଯେ ସେମାନଙ୍କ ହାତ ରେ ୧୦%  ରୁ କମ ଜମିର ମାଲିକାନା ରହିଛି ।  ଯାହାକି ସଶକ୍ତିକରଣ ଦିଗରେ ଗୋଟିଏ ବଡ଼ ପ୍ରତିବନ୍ଧକ ସାଜୁଛି କହିଲେ କିଛି ଭୁଲ ହେବ ନାହିଁ।

 

ତେଣୁ ସଶକ୍ତିକରଣର ପୁରା ସଂଜ୍ଞାକୁ ବ୍ୟାପ୍ତ କରିବାକୁ ହେଲେ ଦରକାର ଶିକ୍ଷା କ୍ଷେତ୍ରରେ ଓ ଆର୍ଥିକ କ୍ଷେତ୍ରରେ ମହିଳାଙ୍କୁ କେଉଁ ଭଳି ଅଧିକରୁ ଅଧିକ ସଶକ୍ତ କରିପାରିବା !  କ୍ଷମତା ଏବଂ ଆର୍ଥିକ ଡୋର ସବୁ ଜାଗାରେ ମହିଳାଙ୍କ ହାତରେ ରହିବା ଦରକାର । କ୍ଷମତାର ସଠିକ ସଦୁପଯୋଗ ସବୁବେଳେ ଆମେ ଦେଖିଆସିଛେ ମହିଳାଙ୍କ ହାତରେ ଯେତେବେଳେ ଥାଏ ।।ତେଣୁ ମହିଳା ଦିବସର ତାତ୍ପର୍ଯ୍ୟ ସମସ୍ତେ ବୁଝି ତାକୁ କାମରେ ଲଗାଇବା ହିଁ ହେଉଛି ପ୍ରକୃତ ମହିଳା ସଶକ୍ତିକରଣର ପ୍ରଚେଷ୍ଟା ।

Leave A Reply

Your email address will not be published.