Latest Odisha News

BREAKING NEWS

ଆଜି ଶ୍ରୀମନ୍ଦିରରେ ଓଢ଼ଣଷଷ୍ଠୀ ପାଳିତ, ମହାପ୍ରଭୁଙ୍କୁ ଲାଗି ହେଲା ଶୀତବସ୍ତ୍ର

ପୁରୀ: ଗୁରୁବାର ଶ୍ରୀମନ୍ଦିରରେ ଓଡ଼ଣଷଷ୍ଠୀ ପାଳିତ ହୋଇଛି । ଏହି ଅବସରରେ ଶ୍ରୀଜୀଉମାନଙ୍କୁ ଘୋଡ଼ଲାଗି କରାଯାଇଛି । ଗତକାଲି ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ରାତ୍ର ଚନ୍ଦନ ଲାଗି ବଢ଼ିବା ପରେ ପତନୀ, ଘୋଡ଼, ଖଣ୍ଡୁଆ ଘୋଡ଼, ପାଗ, ମଦନ ମୋହନଙ୍କୁ କବର, ବିମଳା, ଶ୍ରୀଦେବୀ ଓ ଭୂଦେବୀଙ୍କ ଘୋଡ଼ ଭୋଗମଣ୍ଡପ ଘରେ ଅଧିବାସ କରାଯାଇଥିଲା । ପୂର୍ବରୁ ଭୋଗମଣ୍ଡପ ଘର ଧୋପଖାଳ ହୋଇ ଚାନ୍ଦୁଆ ବନ୍ଧା ଯାଇଥିଲା । ବଡ଼ସିଂହାର ଭୋଗ ସରି ଠାକୁରମାନଙ୍କ ମଇଲମ ବଢ଼ିବା ପରେ ମହାସ୍ନାନ ବଢ଼ିଥିଲା । ପରେ ଠାକୁରମାନଙ୍କୁ ଝିନ ପତନୀ ଲାଗି କରାଯାଇଥିଲା । ଆଜି ମହାପ୍ରଭୁଙ୍କ ସକାଳଧୂପ ବଢ଼ିବା ପରେ ମଇଲମ କରାଯାଇଥିଲା ।

ସିଂହାସନରେ ଠାକୁରମାନଙ୍କର ପାଗ ଓ ଘୋଡ଼ ଲାଗି ବଢ଼ିବା ପରେ ଛଅ ମୂର୍ତ୍ତି ଅଳଙ୍କାର ଲାଗି କରାଯାଇଥିଲା । ପରେ ପ୍ରସାଦ ଲାଗି ସହ ତିନିବାଡ଼ରେ ବନ୍ଦାପନା କରାଯାଇଥିଲା । ଆଜି ଷଷ୍ଠୀ ଅବସରରେ ହଳଦିଆ ରଙ୍ଗର ଘୋଡ଼ ଲାଗି ହୋଇଥିଲା । ମଖଲମ ଓ ସୂତା କପଡ଼ାର ଦରଜୀ ସେବକଙ୍କ ଦ୍ୱାରା ଶ୍ରୀଜୀଉମାନଙ୍କର ଏହି ଘୋଡ଼ ସ୍ୱତନ୍ତ୍ର ଶୈଳୀରେ ପ୍ରସ୍ତୁତ କରାଯାଇଥିଲା । ବହୁ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଘୋଡ଼ଲାଗି ବେଶ ଦର୍ଶନ କରିଥିଲେ ।

ପରମ୍ପରା ଅନୁଯାୟୀ ଶ୍ରୀ ପଞ୍ଚମୀ କିମ୍ବା ସରସ୍ୱତୀ ପୂଜା ପୂର୍ବଦିନ ପର୍ଯ୍ୟନ୍ତ ଠାକୁରମାନେ ଏହି ଘୋଡ଼ ଲାଗି ହୋଇଥାନ୍ତି । ରବିବାର ଲାଲ ରଙ୍ଗ, ସୋମବାର କଳାଛିଟା ମିଶା ଶୁକ୍ଳରଙ୍ଗ, ମଙ୍ଗଳବାର ପଟିଆ, ବୁଧବାର ନୀଳରଙ୍ଗ, ଗୁରୁବାର ହଳଦିଆ, ଶୁକ୍ରବାର ଦିନ ଠାକୁରମାନେ ଧଳା ରଙ୍ଗର ଘୋଡ଼ ଓ ଶନିବାର କଳା ରଙ୍ଗର ଘୋଡ଼ ପରିଧାନ କରିଥାନ୍ତି । ଶୀତଦାଉରୁ ରକ୍ଷା ପାଇବା ପାଇଁ ମାନବୀର ଲୀଳାକ୍ରମରେ ଶ୍ରୀଜୀଉ ଏହି ଘୋଡ଼ ବା ଶୀତବସ୍ତ୍ର ପରିଧାନ କରିଥାନ୍ତି । ଏହି ଲୀଳାକୁ ପ୍ରାବରଣ ଯାତ୍ରା ମଧ୍ୟ କୁହାଯାଏ । ଏହି ବେଶକୁ ଦର୍ଶନ କଲେ କୋଟି ପୂଣ୍ୟ ଲାଭ ହୋଇଥାଏ ବୋଲି ଗବେଷକ ମତ ଦିଅନ୍ତି ।

Leave A Reply

Your email address will not be published.