Latest Odisha News

BREAKING NEWS

ମୁମ୍ବାଇ ଏୟାରପୋର୍ଟରେ ଓଡିଆ କ୍ୟାନସର ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର: ମୁମ୍ବାଇ ବିମାନ ବନ୍ଦରରେ ଓଡିଶାର ଜଣେ ୫୧ ବର୍ଷୀୟ କ୍ୟାନସର ପୀଡିତାଙ୍କ ମୃତ୍ୟୁ ଘଟିଛି ।

ମୃତକ ଜଣକ ସୁନ୍ଦରଗଡ ଜିଲ୍ଲାର କାଂସବାହାଲ ବାସିନ୍ଦା କସ୍ତୁରୀ ମିଶ୍ର ବୋଲି ଜଣାପଡିଛି । ସେ ସର୍ଭାଇକଲ୍ କ୍ୟାନସରରେ ପିଡିତ ଥିବାବେଳେ ଚିକିତ୍ସା ଲାଗି ସ୍ୱାମୀଙ୍କ ସହ ମୁମ୍ବାଇର ଟାଟା ମେମୋରିଆଲ୍ ହସ୍ପିଟାଲ ଯାଇଥିଲେ ।

ପ୍ରାପ୍ତ ସୂଚନାନୁଯାୟୀ କସ୍ତୁରୀ ଭୁବନେଶ୍ୱର ଆସିବା ଲାଗି ମୁମ୍ବାଇ ବିମାନବନ୍ଦରରେ ଛିଡା ହୋଇଥିବା ବେଳେ ଅଚାନକ ତଳେ ପଡିଯାଇଥିଲେ । ପରେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲ ନେବାବେଳେ ରାସ୍ତାରେ ହିଁ ତାଙ୍କର ଦେହାନ୍ତ ହୋଇଥିଲା ।

ପରବର୍ତ୍ତୀ ସମୟରେ ଏନଓସି ତଥା ଉଚିତ୍ ମୃତ୍ୟୁ ପ୍ରମାଣ ପତ୍ର ନଥିବାରୁ ସ୍ୱାମୀ କ୍ଷୀରୋଦ ଚନ୍ଦ୍ର ମିଶ୍ରଙ୍କୁ ବିମାନରେ ମୃତଦେହକୁ ଆଣିବା ଲାଗି ଅନୁମତି ଦିଆଯାଇନଥିଲା ।

ଏନେଇ ପରିବାରବର୍ଗ ରାଜ୍ୟ ସରକାରଙ୍କ ଦ୍ୱାରା ସଞ୍ଚାଳିତ ହେଉଥିବା ମୋ ପରିବାର ଅଭିଯାନର ସଂଯୋଜକ ଅରୂପ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷର କରିଥିଲେ । ଘଟଣା ସମ୍ପର୍କରେ ଜାଣିବା ପରେ ଶ୍ରୀ ପଟ୍ଟନାୟକ ମୁମ୍ବାଇ ପୋଲିସ ଓ କୋଣାର୍କ କ୍ୟାନସର ଫାଉଣ୍ଡେସନ୍ ସହ ସମ୍ପର୍କ କରିଥିଲେ । ପରେ ଏହି ଘଟଣାରେ ହସ୍ତକ୍ଷେପ କରିବା ଲାଗି ମଧ୍ୟ ଅନୁରୋଧ କରିଥିଲେ ।

ପରିଶେଷରେ ଟାଟା ମେମୋରିଆଲ ହସ୍ପିଟାଲ ପକ୍ଷରୁ ଏକ ମୃତ୍ୟୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ପରେ କୋଣାର୍କ କ୍ୟାନସର ଫାଉଣ୍ଡେସନର କର୍ମୀମାନେ ମୃତଦେହକୁ ଘରକୁ ଫେରାଇ ନେବା ପାଇଁ ଆବଶ୍ୟକୀୟ ଦସ୍ତାବିଜର ବ୍ୟବସ୍ଥା ମଧ୍ୟ କରାଇଥିଲେ । ତେବେ ଶନିବାର ଦିନ ସେମାନେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ନେଇ ସୂଚନା ମିଳିଛି ।

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଅନ୍ତିମ ସଂସ୍କାର ଲାଗି ମହିଳାଙ୍କ ମରଶରୀରକୁ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଜିଲ୍ଲାର ପୈତୃକ ଗ୍ରାମକୁ ନିଆଯିବ ବୋଲି ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.