Latest Odisha News

BREAKING NEWS

ଦୁବାଇରେ ପ୍ରବାସୀ ଓଡ଼ିଆଙ୍କୁ ମନ୍ତ୍ରମୁଗ୍ଧ କଲା ଅନିନ୍ଦିତାଙ୍କ ସୁମୁଧୁର ସଙ୍ଗୀତ

ଭୁବନେଶ୍ୱର: କାଳଜୟୀ ଶ୍ରୃତିମଧୁର ପୁରୁଣା ଓଡ଼ିଆ ଗୀତକୁ ସମସ୍ତେ ଭୁଲିବାକୁ ଲାଗିଥିବା ବେଳେ ସୁଦୂର ଦୁବାଇରେ ପ୍ରବାସୀ ଓଡ଼ିଆଙ୍କୁ ନିଜ ସୁଲଳିତ କଣ୍ଠରେ ମନ୍ତ୍ରମୁଗ୍ଧ କରିଦେଇଛନ୍ତି କଣ୍ଠଶିଳ୍ପୀ ଅନିନ୍ଦିତା ଦାସ । ସେ ଗାଇଥିବା ବିବିଧତାଭରା ଗୀତ ଗୁଡ଼ିକରେ, ବିଶେଷକରି ପୁରାତନ ଓଡ଼ିଆ ଗୀତଗୁଡ଼ିକ ସେଠାରେ ସମସ୍ତଙ୍କ ଉଚ୍ଚ ପ୍ରଶଂସିତ ହୋଇପାରିଥିଲା ।

ଦୁବାଇରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆମାନଙ୍କ ସଂଗଠନ ‘ୟୁଏଇ ଓଡ଼ିଆ ସମାଜ’ ପକ୍ଷରୁ ନିମନ୍ତ୍ରିତ ହୋଇ ଅନିନ୍ଦିତା ଓ ତାଙ୍କର ଟିମ୍ ୨ଦିନ ଧରି ସେଠାରେ ସଙ୍ଗୀତ ପରିବେଷଣ କରିଥିଲେ । ଅନିନ୍ଦିତା ସୁଲଳିତ କଣ୍ଠରେ ଅନେକ ପୁରାତନ ଓଡ଼ିଆ ଗୀତ ଗାଇଥିବା ବେଳେ ଅକ୍ଷୟ ମହାନ୍ତିଙ୍କ ଅନେକ ମନଚ୍ଛୁଆଁ ଗୀତ ଗାଇ ସେଠାରେ ସମସ୍ତ ଶ୍ରୋତାଙ୍କ ପ୍ରିୟଭାଜନ ହୋଇପାରିଥିଲେ ।

ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଜୁଲାଇ ୨୬ ତାରିଖରେ ଦୁବାଇର ‘ୟୁଏଇ ଓଡ଼ିଆ ସମାଜ’ ପକ୍ଷରୁ ଜେଏଲଟି କମ୍ୟୁନିଟି ସେଣ୍ଟରଠାରେ ଅନୁଷ୍ଠିତ ହୋଇଥିଲା । ଏହି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଧିକାଂଶ ଓଡ଼ିଆ ପରିବାର ସାମିଲ୍ ହୋଇଥିବା ବେଳେ ଅନେକ ଗୁଜରାଟି ଓ ବଙ୍ଗଳା ଭାଷାଭାଷୀ ପରିବାର ମଧ୍ୟ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

ଏହି ଉତ୍ସବରେ ସାଧାରଣତଃ ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଥିବା ବେଳେ ଓଡ଼ିଶାର ଗାଁ’ ଗହଳିର ଚାଲିଚଳନକୁ ଭିତ୍ତି କରି ଅନେକ ପୁରାତନ ସଙ୍ଗୀତକୁ ଉପସ୍ଥାପନା କରାଯାଇଥିଲା । କାର୍ଯ୍ୟକ୍ରମକୁ ଅଜୟ ଚୌଧୁରୀ ଓ ଚିନ୍ତାମଣିଶ୍ୱର ମିଶ୍ର ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ଉପଦେଷ୍ଟା ୟୋଗେଶ ଭାୟାଣୀଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ସୂଚାରୁରୂପେ ପରିଚାଳିତ ହୋଇଥିଲା ।

Leave A Reply

Your email address will not be published.