Latest Odisha News

BREAKING NEWS

‘ବୀର ଗାଥାର ତୃତୀୟ ସଂସ୍କରଣ’ ପ୍ରତିଯୋଗିତା ଉତ୍ସବ, ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଭିଭାଷଣ ପଢି ଗୌରବ ଆଣିଲେ ଓଡ଼ିଆ ଝିଅ

କଟକ: କଟକ ତଥା ସମଗ୍ର ଓଡିଶା ପାଇଁ ଗୌରବ ଆଣିଲେ ଓଡିଆ ଝିଅ ବର୍ଣ୍ଣାଳୀ ସାହୁ । ଗୁରୁବାର ନୂଆଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ ହୋଇଥିବା ‘ବୀର ଗାଥାର ତୃତୀୟ ସଂସ୍କରଣ’ ପ୍ରତିଯୋଗିତାର ସମ୍ମାନ ପ୍ରଦାନ ଉତ୍ସବରେ ପ୍ରତିରକ୍ଷାମନ୍ତ୍ରୀଙ୍କ ଅଭିଭାଷଣ ପଢି ଚର୍ଚ୍ଚାରେ ଏବେ ବର୍ଣ୍ଣାଳୀ । କଟକ ସିଡିଏ ସେକ୍ଟର-୬ରେ ଥିବା ଡିଏଭି ସ୍କୁଲର ଦ୍ୱାଦଶ ଶ୍ରେଣୀର ଛାତ୍ରୀ ହେଉଛନ୍ତି ବର୍ଣ୍ଣାଳୀ ସାହୁ ।

‘ବୀର ଗାଥାର ତୃତୀୟ ସଂସ୍କରଣ’ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏହି ଉତ୍ସବରେ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ଶ୍ରେଷ୍ଠ ଶହେ ବିଜେତାଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ଥିଲା । ହେଲେ ପ୍ରତିରକ୍ଷାମନ୍ତ୍ରୀ ହଠାତ୍ ଦର୍ଶକ ଗ୍ୟାଲେରୀ କୁ ହାତ ଠାରି ବର୍ଣ୍ଣାଳୀଙ୍କୁ ଡାକିଥିଲେ । ଆଉ ତାଙ୍କ ଦ୍ବାରା ଦେବାକୁ ଥିବା ଅଭିଭାଷଣକୁ ବର୍ଣ୍ଣାଳୀଙ୍କୁ ପଢିବାକୁ କହିଥିଲେ । ପୂର୍ବରୁ କୌଣସି ପ୍ରସ୍ତୁତି ନ କରିଥିଲେ ସୁଦ୍ଧା ଶ୍ରୀ ସିଂଙ୍କ କହିବାନୁସାରେ ସେ ତୁରନ୍ତ ପ୍ରସ୍ତୁତ ହୋଇଯାଇଥିଲେ ।

ଆଉ ବର୍ଣ୍ଣାଳୀଙ୍କ ଅଭିଭାଷଣ ପରେ ତାଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ । କାର୍ଯ୍ୟକ୍ରମରେ ଉପସ୍ଥିତ ନେତାମନ୍ତ୍ରୀଙ୍କ ଠାରୁ ବଡ଼ ବଡ଼ ଅଫିସର ଓ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ଶ୍ରେଷ୍ଠ ଶହେ ବିଜେତାଙ୍କ କରତାଳିରେ ପ୍ରକମ୍ପିତ ହୋଇଥିଲା ଆୟୋଜନ ସ୍ଥଳ ।

ତେବେ ଜାତୀୟସ୍ତରରେ ଆୟୋଜିତ ‘ବୀର ଗାଥାର ତୃତୀୟ ସଂସ୍କରଣ’ ଉତ୍ସବରେ କବିତା ଲିଖନ ପ୍ରତିଯୋଗିତାରେ ସିଡିଏ ଡିଏଭିର ଛାତ୍ରୀ ବର୍ଣ୍ଣାଳୀ ଅଂଶଗ୍ରହଣ କରିଥିଲେ । ରାଷ୍ଟ୍ରୀୟ ମଞ୍ଚରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ତାଙ୍କ କବିତା ‘ଏ ଭିଜନ ଫ୍ରମ୍‌ ଦ କୁଇନ୍‌ ଅଫ୍‌ ଝାନ୍ସି’ ଗାଇ ଜାତୀୟ ପୁରସ୍କାର ମଧ୍ୟ ପାଇଛନ୍ତି । ବର୍ଣ୍ଣାଳୀଙ୍କ ର ଏହି ସଫଳତା ଓଡ଼ିଶା ଡିଏଭି ଅନୁଷ୍ଠାନ ତଥା ସିଡିଏ ପରିବାରକୁ ଗୌରବାନ୍ୱିତ କରିଛି ।

Leave A Reply

Your email address will not be published.