Latest Odisha News

BREAKING NEWS

ୟୁକ୍ରେନରେ ଫସି ରହିଛନ୍ତି ରାଉରକେଲାର ୨୦ ମେଡିକାଲ ଛାତ୍ରଛାତ୍ରୀ

ରାଉରକେଲା: ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ କରୁଛି ଋଷ । ୟୁକ୍ରେନର ରାଜଧାନୀ କିଭ୍ ସହ ୧୦ଟି ସହରରେ ଜୋରଦାର ଆକ୍ରମଣ ଜାରି ରହିଛି। ତେବେ ୟୁକ୍ରେନରେ ଯୁଦ୍ଧ ଫଳରେ ସେଠାରେ ହଜାର ହଜାର ସଂଖ୍ୟାରେ ଭାରତୀୟ ଛାତ୍ରଛାତ୍ରୀ ଓ ନାଗରିକ ଫସି ରହିଛନ୍ତି । ଓଡ଼ିଶାରୁ ମଧ୍ୟ କିଛି ଛାତ୍ରଛାତ୍ରୀ ଏବେ ୟୁକ୍ରେନରେ ଫସି ରହିଥିବା ଖବର ମିଳିଛି।

ୟୁକ୍ରେନରେ ଫସି ରହିଛନ୍ତି ରାଉରକେଲାର ୨୦ ଓ ଢେଙ୍କାନାଳର ୨ ମେଡିକାଲ ଛାତ୍ରଛାତ୍ରୀ । ରାଉରକେଲାର ପ୍ରାୟ ୨୦ ଜଣ ଛାତ୍ରଛାତ୍ରୀ ୟୁକ୍ରେନର ବିଭିନ୍ନ ସହରରେ ଥିବା ମେଡିକାଲ କଲେଜରେ ପାଠ ପଢୁଛନ୍ତି । ୨୦ ଜଣ ଛାତ୍ରଛାତ୍ରୀ ରାଉରକେଲାର ବାସନ୍ତୀ କଲୋନୀ, ଛେଣ୍ଡ, ସେକ୍ଟର -୪, ସେକ୍ଟର-୧୮, ସେକ୍ଟର -୧୯, ସେକ୍ଟର-୨୦, ଜଗଦା, ଫାର୍ଟିଲାଇଜର, କୋଏଲନଗର ଅଞ୍ଚଳର ବୋଲି ଜଣାପଡ଼ିଛି ।
ସେଠାରେ ସମସ୍ତେ ହଷ୍ଟେଲରେ ଥିବାବେଳେ ଯୁଦ୍ଧ ପାଇଁ ମେସ ବନ୍ଦ ହୋଇସାରିଲାଣି ।
ଏବେ ସମସ୍ତଙ୍କୁ ବଙ୍କରକୁ ନେବାକୁ ସେଠାକାର ସରକାର ସମସ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେକ୍ଟର-୪, ବି’ ବ୍ଲକରେ ରହୁଥିବା ଜଣେ ଆରଏସପି କର୍ମଚାରୀଙ୍କ ଝିଅ ସଲୋନୀ ଜେନା ଏବେ ଖାର୍କିଭ ନେସନାଲ ମେଡିକାଲ ୟୁନିଭର୍ସିଟିରେ ପଞ୍ଚମ ବର୍ଷ ଛାତ୍ରୀ।
ଢେଙ୍କାନାଳ ସହରର ଗୋବିନ୍ଦପୁରର ନିବାସୀ ସନ୍ତୋଷ ସ୍ୱାଇଁଙ୍କ ପୁଅ ସୁପ୍ରୀତ ସ୍ୱାଇଁ ଓ ବାଇପାସ ନିବାସୀ ଆଦିତ୍ୟ ମହାପାତ୍ରଙ୍କ ପୁତ୍ର ଆଶାଦିତ ମହାପାତ୍ର ମଧ୍ୟ ୟୁକ୍ରେନରେ ଫସି ରହିଛନ୍ତି। ଦୁଇ ଜଣ ମେଡିକାଲ ବିଭାଗରେ ପଢିବା ପାଇଁ ୟୁକ୍ରେନ ଯାଇଥିଲେ।
ଅଶାଦିତ ତୃତୀୟ ବର୍ଷର ମେଡିକାଲ ଛାତ୍ର ହୋଇଥିବା ବେଳେ ଟିକେଟ ନମିଳିବାରୁ ଆଶାଦିତ ୟୁକ୍ରେନରୁ ଫେରି ପାରିନାହାନ୍ତି। ସେହିଭଳି ଗୋବିନ୍ଦପୁର ଗାଁର ସନ୍ତୋଷ ସ୍ୱାଇଁଙ୍କ ପୁଅ ସୁପ୍ରୀତ ସ୍ୱାଇଁ ୟୁକ୍ରେନର ବିନିସ୍ତାରେ ଫସିରହିଛନ୍ତି ।

Comments are closed, but trackbacks and pingbacks are open.