ଭୁବନେଶ୍ୱର: ଆପଣଙ୍କ ପାଖରେ ପୁରୁଣା ଗାଡ଼ି ଅଛି କି ? ଯଦି ହଁ ତେବେ ଆପଣଙ୍କ ପାଇଁ ଏହି ଖବର। କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ମନ୍ତ୍ରଣାଳୟର ନୂଆ ନୀତିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଭେଇକିଲ୍ କ୍ଲାସିଫିକେସନ୍ ନୀତି ଅନୁସାରେ କାଗଜପତ୍ର ନବୀକରଣ ହୋଇନଥିବା ଗାଡ଼ିଗୁଡ଼ିକୁ ରାସ୍ତାରୁ ହଟାଇବା ନେଇ ପଦକ୍ଷେପ ନିଆଯାଉଥିବା କୁହାଯାଉଛି। ଏହାରି ଭିତରେ ଓଡ଼ିଶାରେ ପ୍ରାୟ ୨୦ ଲକ୍ଷ ଗାଡ଼ିର ପଞ୍ଜୀକରଣ ସାର୍ଟିଫିକେଟ୍ ବା ଆର୍ସି ବାତିଲ୍ ହୋଇଥିବା ଦାବି କରାଯାଉଛି ।
ଯାଞ୍ଚ ବେଳେ ଗାଡ଼ି ଧରାପଡ଼ିଲେ ହିଁ ଆର୍ସି ବାତିଲ୍ ହୋଇଥିବା ଜାଣିବାକୁ ମିଳୁଛି। ଏଭଳି ସ୍ଥିତିରେ ଗାଡ଼ି ମାଲିକଙ୍କୁ ଜରିମାନା ଗଣିବାକୁ ପଡ଼ିପାରେ। ଆର୍ସି ବାତିଲ୍ ହୋଇଥିବା ଗାଡ଼ିଗୁଡ଼ିକ ଆଉ ରାସ୍ତାରେ ଚଳାଚଳ ପାଇଁ ବୈଧ ହେବ ନାହିଁ। ଏହାସହ ଆଗାମୀ ଦିନରେ ଆହୁରି ପ୍ରାୟ ୩୦ ଲକ୍ଷ ଗାଡ଼ି ରାସ୍ତାରୁ ହଟିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଗାଡ଼ିର ଆର୍ସି ବାତିଲ୍ ହେଉଥିଲେ ମଧ୍ୟ ଅନେକ ମାଲିକ ଏ ସମ୍ପର୍କରେ ଜାଣିପାରୁନଥିବା ଅଭିଯୋଗ ହେଉଛି। ଗାଡ଼ି ମାଲିକଙ୍କୁ ପୂର୍ବରୁ ଏନେଇ ସୂଚନା ଦିଆଯାଉନଥିବାରୁ ସେମାନେ ଅଜାଣତରେ ନିଜ ଗାଡ଼ି ଚଳାଉଛନ୍ତି।
ପୁରୁଣା ଗାଡ଼ିର କାଗଜପତ୍ର ନବୀକରଣ କରିବା ପ୍ରକ୍ରିୟା ଜଟିଳ ହେଲେ ମାଲିକମାନେ ଅଧିକ ଖର୍ଚ୍ଚର ସମ୍ମୁଖୀନ ହୋଇପାରନ୍ତି । ଏପରିକି ଗାଡ଼ି ଚଳାଚଳ ପାଇଁ ଅଯୋଗ୍ୟ ହୋଇଗଲେ ନୂଆ ଗାଡ଼ି କିଣିବାକୁ ଲୋକେ ବାଧ୍ୟ ହୋଇପାରନ୍ତି । ଏହାକୁ ନେଇ ସାଧାରଣ ଗାଡ଼ି ମାଲିକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି । ଅନ୍ୟପଟେ, ଏଭଳି ନୀତି ଦ୍ୱାରା ପୁରୁଣା ଗାଡ଼ି ବଦଳରେ ନୂଆ ଗାଡ଼ିର ଚାହିଦା ବଢ଼ିବା ସହ ଗାଡ଼ି ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ଲାଭବାନ ହୋଇପାରନ୍ତି ବୋଲି ମଧ୍ୟ ଆଶଙ୍କା ପ୍ରକାଶ ପାଉଛି ।

