ଯାଜପୁର:ବ୍ୟାସନଗର କବି କୈଳାସ ପାତ୍ର ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ରିକ୍ସା ଚଳାଇବା ହେଉଛି ତା’ଙ୍କର ପେଶା। ହେଲେ ନିଶା ହେଉଛି କବିତା ଲେଖିବା। ସେ ବର୍ତ୍ତମାନ ସୁଦ୍ଧା ଏହିଭଳି ପାଂଚହଜାରରୁ ଉର୍ଦ୍ଧ୍ବ ଉଚ୍ଚକୋଟୀର କବିତା ଲେଖିସାରିଲେଣି। ବ୍ୟାସନଗର ଅଂଚଳର ଏହି ରିକ୍ସା ଚାଳକ କବି କୈଳାସ ପାତ୍ରଙ୍କ ଏହି ସାଧନା ବିଷୟରେ ଗଣମାଧ୍ୟମରୁ ସୂଚନା ପାଇବା ପରେ ଓଡ଼ିଆ ଇ-ପତ୍ରିକା ସାହିତ୍ୟ ଚର୍ଚ୍ଚା ପକ୍ଷରୁ ତାଙ୍କୁ ମାନପତ୍ର ସହ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି।
ସେପ୍ଟେମ୍ବର ଏକ ତାରିଖ ଦିନ ବ୍ୟାସନଗରଠାରେ ପ୍ରକାଶ କୁମାର ରାଉତ ସାହିତ୍ୟ ଚର୍ଚ୍ଚା ଇ-ପତ୍ରିକା ତରଫରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ଏଥିସହିତ ଇ-ପତ୍ରିକାଟିର ସମ୍ପାଦକ ଘୋଷଣା କରିଛନ୍ତି ଯେ ଏଥର ପ୍ରତିବର୍ଷ କୈଳାସ ପାତ୍ରଙ୍କ ଭଳି ବଣମଲ୍ଲୀମାନଙ୍କୁ ‘ସାହିତ୍ୟ ଚର୍ଚ୍ଚା ସମ୍ମାନ’ ପ୍ରଦାନ କରାଯିବ।
ଜୀବିକା ଓ ଦାରିଦ୍ର୍ୟର କଷାଘାତ କୈଳାସ ଙ୍କୁ ସାହିତ୍ୟ ସେବାରୁ ବିଚ୍ୟୁତ କରିପାରିନାହିଁ ଏବଂ ସେ ଏବେ ନିରନ୍ତର ସାହିତ୍ୟ ସେବାରେ ବ୍ରତୀ ଅଛନ୍ତି। ନିଜର ଯତ୍ ସାମାନ୍ୟ ସଂଚିତ ସମ୍ବଳରେ ସେ ତାଙ୍କର ପ୍ରଥମ କବିତା ସଙ୍କଳନଟିଏ ପ୍ରକାଶ କରିବାକୁ ସମର୍ଥ ହୋଇଛନ୍ତି। ଏକଥା ଜାଣିବା ପରେ ଏବେ ଦେଶ ତଥା ବିଦେଶର କେତେକ ଶୁଭାକାଂକ୍ଷୀ ତାଙ୍କର ଆଗାମୀ ପୁସ୍ତକର ପ୍ରକାଶନ ଖର୍ଚ୍ଚ ବହନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ବିଶାଖାପାଟଣାରୁ ଜୀତେନ୍ଦ୍ର କୁମାର ନାୟକ ମଧ୍ୟ କବିଙ୍କ ନିକଟକୁ ପାଞ୍ଚ ହଜାର ଟଙ୍କାର ଆର୍ଥିକ ସହାୟତା ପଠାଇଥିବାରୁ ‘ସାହିତ୍ୟ ଚର୍ଚ୍ଚା’ ପତ୍ରିକା ପକ୍ଷରୁ ତାଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି।
Comments are closed.